ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନେ ମାଟେରିଆଲ ଇଞ୍ଜିନିୟର ଭାବେ ଗୁଗୁଲରେ ଚାକିରି କରିଥିଲେ, ଆଜି ହୋଇଛନ୍ତି ଗୁଗୁଲର ସିଇଓ। ସେ ହେଉଛନ୍ତି ସୁନ୍ଦର ପିଚାଇ। ଆଜି ତାଙ୍କ ୪୮ତମ ଜନ୍ମଦିନ। ୧୯୭୨ ମସିହା ଆଜିର ଦିନରେ ସୁନ୍ଦର ପିଚାଇ ତାମିଲନାଡୁର ମଦୁରାଇରେ ଜନ୍ମଗ୍ରହଣ କରିଥିଲେ।

ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ଯିଏକି ଏବେ ବିଶ୍ୱର କେତେ ଜଣ ଧନୀ ଲୋକଙ୍କ ଶ୍ରେଣୀ ତାଲିକାରେ ସ୍ଥାନ ପାଉଛନ୍ତି। ସେ ଆରମ୍ଭରୁ ଯେପରି ଜୀବନ ବିତାଇଛନ୍ତି ତାହା ଏବେ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ପାଲଟିଛି।

ନ୍ୟୁୟର୍କ ଟାଇମ୍ସକୁ ଏକ ସାକ୍ଷାତକାରରେ ଜୀବନର ଅଭୁଲା ସ୍ମୃତି କଥା କହିଛନ୍ତି। ଚେନ୍ନାଇରେ ରହୁଥିବା ସମୟରେ ଏକଦମ ସାଧାରଣ ଜୀବନ ବିତାଇଥିଲେ। ଏପରିକି ସେ ସମୟରେ ତାଙ୍କ ଘରେ ଫ୍ରିଜଟିଏ ବି ନଥିଲା। ପିଚାଇ ଆହୁରି ବି କହିଛନ୍ତି କି ଆମ ଘରେ ଖଟଟିଏ ବି ନଥିଲା।

“ସେ ସମୟରେ ଆମେ ଚଟାଣରେ ବିଛଣା ପାରି ଶୋଉଥିଲୁ। ଶୋଇବା ପାଖରେ ପାଣି ବୋତଲ ରଖି ଶୋଇବା ଆମର ଏକ ପ୍ରକାରର ଅଭ୍ୟାସ ହୋଇଯାଇଥିଲା। ଅନ୍ୟମାନଙ୍କ ଘରେ ରେଫ୍ରିଜିରେଟର ଥିଲା। ଆମ ଘରେ ନଥିଲା”, କହିଛନ୍ତି ପିଚାଇ।

ଶେଷରେ ଆମ ଘରକୁ ଏକ ଫ୍ରିଜ୍ ଆସିଲା। ତାହା ଆମ ପାଇଁ ଖୁବ୍ ବଡ଼ କଥା ଥିଲା। ପିଲାଦିନେ ପିଚାଇ ଅଧିକାଂଶ ସମୟ ପଢ଼ିବାରେ ବିତାଉଥିଲେ। ଯେତେବେଳେ ସମୟ ମିଳୁଥିଲା ଅଧିକାଂଶ ସମୟ ପାଠପଢ଼ାରେ କଟୁଥିଲା ବୋଲି ପିଚାଇ କହିଛନ୍ତି।

ଷ୍ଟାନଫୋର୍ଡ ୟୁନିଭରସିଟିରେ ନାମ ଲେଖାଇବା ପୂର୍ବରୁ ଆଇଆଇଟି ଖଡ଼ଗପୁରରେ ପଢ଼ୁଥିଲେ। ସେ ପ୍ରଥମ ଥର ପାଇଁ ବିମାନରେ ଷ୍ଟାନଫୋର୍ଡ ୟୁନିଭରସିଟିରେ ନାମ ଲେଖାଇବା ପରେ ହିଁ ଯାତ୍ରା କରିଥିଲେ। ସେ ୨୦୦୪ ମସିହାରେ ଗୁଗୁଲରେ ଚାକିରି ପାଇଲେ। ୨୦୧୫ରେ ଗୁଗୁଲ ସିଇଓ ହୋଇଥିଲେ ସୁନ୍ଦର ପିଚାଇ।

Comment