ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଗତ ୮ ତାରିଖରେ ଭର୍ଚୁଆଲ ରାଲି, ୧୧ ତାରିଖରେ ଓଡ଼ିଶା ବିଜେପିର ନୂଆ ଟିମ୍‌।

(ଭୁବନେଶ୍ୱରରୁ ସରୋଜ ମହାପାତ୍ର): କରୋନା ସଙ୍କଟ ବେଳେ ବିଜେପି ତାର ରାଜନୀତିକ ଅଭିଯାନକୁ ଆଗକୁ ନେଇଛି। ଗତ ୮ ତାରିଖରେ ଡିଜିଟାଲ ପ୍ଲାଟଫର୍ମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଲି ଏବଂ ଗତକାଲି ରାଜ୍ୟ ବିଜେପିର ନୂଆ ଟିମ୍‌ ଘୋଷଣା କରାଯିବା ପରେ ବିଜେପି ଓଡ଼ିଶାରେ ତାର ସଙ୍ଗଠନକୁ ସୁଦୃଢ଼ କରିବା ଲାଗି କସରତ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।

ଓଡ଼ିଶାରେ ଶାସକ ବିଜେଡି କରୋନା ମୁକାବିଲାରେ ବ୍ୟସ୍ତ ରହିଥିବା ବେଳେ କଂଗ୍ରେସ ଏବେ ମାସ୍କ ଦୁର୍ନୀତିକୁ ପ୍ରସଙ୍ଗ କରି ଶାସକ ଦଳକୁ ଘେରୁଛି। ହେଲେ ବିଜେପି ଏହାରି ଭିତରେ ନିଜ ଘର ସଜାଡ଼ିବା ଉପରେ ଫୋକସ୍‌ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ନୂଆ ଟିମ୍‌ ଗଠନ କରି ବିଜେଡି ଗଡ଼କୁ ଭାଙ୍ଗିବା ଲାଗି ଏବେଠୁ ବିଜେପି ଗୋଟି ଚାଳନା କରୁଥିବା କୁହାଯାଉଛି।

ଗତ ୮ ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଜନସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଇ ମୋଦୀ ସରକାରଙ୍କର ସଫଳତାର ଗୁଣଗାନ କରିଥିଲେ। ଓଡ଼ିଶାକୁ ମୋଦୀ ସରକାର କ’ଣ କ’ଣ ଦେଇଛନ୍ତି ତାର ବି ଟିକିନିଖି ହିସାବ ଦେଇଥିଲେ। ଏହାସହ ଓଡ଼ିଶାକୁ ବିଜେପିର ଗଡ଼ କରିବା ପାଇଁ କର୍ମୀ ଓ ନେତାଙ୍କୁ ଆହ୍ୱାନ ଦେଇଥିଲେ। ଗତ ୨୦୧୯ ନିର୍ବାଚନରେ ମୋଦୀଙ୍କ ଉପରେ ୯୧ ଲକ୍ଷ ଓଡ଼ିଆ ମତଦାତାଙ୍କ ଆଶୀର୍ବାଦ ରହିଥିଲା। ଫଳରେ ବିଜେପି ୮ଟି ଲୋକସଭା ଆସନ ଏହି ରାଜ୍ୟରୁ ପାଇଥିଲା। ଏଣୁ ଆଗକୁ ଓଡ଼ିଶାରେ ବିଜେପିର ଗଡ଼ ପ୍ରତିଷ୍ଠା କରିବା ଲାଗି କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ ଶାହ।

ଅମିତ ଶାହଙ୍କ ଏହି ରାଲିର ଦୁଇଦିନ ପରେ ରାଜ୍ୟ ବିଜେପି ନୂଆ ଟିମ୍‌ ଘୋଷଣା କରିଛି। ସମୀର ମହାନ୍ତି ୫ ମାସ ହେଲା ଓଡ଼ିଶା ବିଜେପିର ମଙ୍ଗ ଧରିଥିଲେ ମଧ୍ୟ ଟିମ୍‌ ଗଠନ ହୋଇପାରି ନଥିଲା। କରୋନା ଏବଂ ଲକ୍‌ଡାଉନ୍‌ ସବୁକିଛି ଓଲଟ ପାଲଟ କରିଦେଇଥିଲା। ଏବେ ଲକ୍‌ଡାଉନ୍‌ କୋହଳ ହେଉଥିବା ବେଳେ ବିଜେପି ତାର ରାଜନୀତିକ ଅଭିଯାନକୁ ଆଗକୁ ନେବା ପାଇଁ ଅଣ୍ଟା ଭିଡ଼ିଛି।

ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ରାଜ୍ୟ ବିଜେପିର ମଙ୍ଗ କିଏ ଧରିବ ତାକୁନେଇ ଚର୍ଚ୍ଚା ଲାଗି ରହିଥିଲା। ଉପକୂଳ ଓଡ଼ିଶାରେ ବିଜେପିର ସଙ୍ଗଠନ ସୁଦୃଢ଼ ନଥିବାରୁ ଏହି ଅଞ୍ଚଳରୁ ଜଣେ କିଏ ସଭାପତି ହୋଇପାରନ୍ତି ବୋଲି କୁହାଯାଉଥିଲା। ଏଥିପାଇଁ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସମୀର ମହାନ୍ତିଙ୍କ ନାଁ ଚର୍ଚ୍ଚା ହେଉଥିଲା। ଶେଷରେ ସର୍ବସମ୍ମତିକ୍ରମେ ସମୀରଙ୍କୁ ସଭାପତି କରାଯାଇଥିଲା।

ସମୀର ଭୁବନେଶ୍ୱରର ପୁରୁଣା ନେତା ହୋଇଥିବାରୁ ଏବଂ ସେ ମୂଳରୁ ବିଜେପିରେ ରହିଥିବାରୁ ତାଙ୍କ ନେତୃତ୍ୱରେ ଉପକୂଳ ଓଡ଼ିଶାରେ ସଙ୍ଗଠନ ସୁଦୃଢ଼ ହେବ ବୋଲି କେନ୍ଦ୍ର ନେତାମାନେ ଆଶା ରଖିଛନ୍ତି। ହେଲେ ସମୀର ସଭାପତି ହେବାର କିଛିଦିନ ପରେ କରୋନା ମାହାମାରୀ ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ହୋଇଗଲା। ସମୀର ତାଙ୍କ ଟିମ୍‌ ଗଠନ କରିପାରି ନଥିଲେ।

ସଭାପତି ହେବାର ୫ ମାସ ପରେ ସମୀରଙ୍କ ପ୍ରଥମ ଥର ପାଇଁ ଭର୍ଚୁଆଲ ରାଲିରେ ଉଦବୋଧନ ଦେବା ଦେଖିବାକୁ ମିଳିଥିଲା। ଏହି ରାଲି ପରେ ଓଡ଼ିଶା ବିଜେପି ତାର ନୂଆ ଟିମ୍‌ ଗଠନ କରିଛି। ଆଗକୁ ପୌର ନିର୍ବାଚନ ଆସୁଥିବାରୁ ଏହି ଟିମ୍‌ ବିଜେଡିକୁ ମୁକାବିଲା କରିବାରେ କେତେଦୂର ସମର୍ଥ ହେଉଛି ତାହା ଅପେକ୍ଷା କରି ଦେଖିବାର କଥା।

ଏହାସହ ଭର୍ଚୁଆଲ ରାଲିରେ ଅମିତ ଶାହ ଯେଉଁ ଟାସ୍କ ଦେଇଛନ୍ତି ତାହା ସଫଳ କରିବା ମଧ୍ୟ ଏହି ନୂଆ ଟିମ୍‌ର ମୂଳ କାମ। ସମସ୍ତଙ୍କୁ ଏକାଠି କରି ବାଟ ଚାଲିବା ଏବଂ ବିଜେଡିକୁ ଚାଲେଞ୍ଜ ଦେବା ଏହି ଟିମ୍‌ ପାଇଁ ବଡ଼ ଆହ୍ୱାନ ହୋଇପାରେ।

ଗତ ୨୦୧୯ ନିର୍ବାଚନ ବେଳେ ଅମିତ ଶାହ ବିଜେପି ସଭାପତି ଥିଲେ। ସେ ଯେତେଥର ଓଡ଼ିଶା ଆସିଥିଲେ ସେତେଥର ଶାସକ ବିଜେଡିର ଗଡ଼ ଭାଙ୍ଗିବାକୁ ବିଜେପି କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ। ଏହାସହ ଓଡ଼ିଶାରେ ସରକାର ଗଠନ କରିବା ପାଇଁ ମିଶନ ୧୨୦ର ଗଣିତ କଷିଥିଲେ। ଏହାକୁ ସଫଳ କରିବା ପାଇଁ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଶାହ। ହେଲେ ଏହାକୁ କାମରେ ଲଗାଇ ପାରିନଥିଲା ଓଡ଼ିଶା ବିଜେପି।

୧୨୦ ପ୍ଲସ୍‌ ଆସନ ଜାଗାରେ ବିଜେପି ମାତ୍ର ୨୩ଟି ଆସନରେ ସନ୍ତୁଷ୍ଟ ରହିଥିଲା। ୨୦୧୪ ନିର୍ବାଚନ ଅପେକ୍ଷା ୨୦୧୯ରେ ବିଜେପି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସରକାର ଗଠନ କରିବାକୁ ସଫଳ ହୋଇ ନଥିଲା। କେବଳ କଂଗ୍ରେସକୁ ମୁଖ୍ୟ ବିରୋଧୀ ଦଳ ଆସନରୁ ପଛକୁ ହଟାଇବା ପାଇଁ ଶାହଙ୍କ ମନ୍ତ୍ର କାମ କରିଥିଲା। ସେହିପରି ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା ବିଜେପି। ୨୦୧୪ରେ ମାତ୍ର ଗୋଟିଏ ଆସନ ପାଇଥିବା ବିଜେପି ୨୦୧୯ରେ ୮ଟି ପାଇଥିଲା।

ଏବେ ଭର୍ଚୁଆଲ ରାଲିରେ ଅମିତ ଶାହ ପୁଣି ଓଡ଼ିଶାକୁ ବିଜେପିର ଗଡ଼ କରିବାକୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ କରି କର୍ମୀଙ୍କ ମନରେ ଜୋସ୍‌ ଭରିଛନ୍ତି। ହେଲେ ଏହି ଆହ୍ୱାନକୁ ସମୀରଙ୍କ ନୂଆ ଟିମ୍‌ କେମିତି ଗ୍ରହଣ କରୁଛନ୍ତି ଏବଂ ଏହାକୁ କିପରି ସଫଳ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।

Comment