ଓଡ଼ିଶାଲାଇଭ୍ ବ୍ୟୁରୋ

ବୃନ୍ଦାବନରେ ଥିବା ନିଧି ବନକୁ ନେଇ ରହିଛି ଅଲୌକିକ କାହାଣୀ। ଯେଉଁଠି ଆଜି ବି ଆସନ୍ତି ଭଗବାନ କୃଷ୍ଣ। ଏହି ବନରେ ରାତିରେ ଭଗବାନ କୃଷ୍ଣ ଗୋପୀମାନଙ୍କ ସହ ରାସ ରଚନ୍ତି ବୋଲି ବିଶ୍ଵାସ ରହିଛି।

ଭାରତରେ ଏମିତି ଅନେକ ସ୍ଥାନ ଅଛି,  ଯାହାକୁ ନେଇ ଅନେକ ରହସ୍ୟମୟ ଓ ଅଲୌକିକ କାହାଣୀ ରହିଛି। ସେମିତି ଏକ ସ୍ଥାନ ହେଲା ବୃନ୍ଦାବନର ନିଧି ବନ। ଏହି ସ୍ଥାନର ଏମିତି କିଛି ଅବିଶ୍ୱସନୀୟ କାହାଣୀ ରହିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

କୁହାଯାଏ ଯେ, ଏହି ନିଧି ବନରେ ପ୍ରତିଦିନ ରାତିରେ ଭଗବାନ କୃଷ୍ଣ ଗୋପୀମାନଙ୍କ ସହ ରାସ ରଚାନ୍ତି। ପ୍ରତିଦିନ ରାତିରେ ଏଠି କେହି ରହନ୍ତି ନାହିଁ। ପଶୁପକ୍ଷୀ ବି ଏହି ବନରୁ ବାହାରି ଯାଆନ୍ତି। ତା’ ପରଦିନ ପୁଣି ଦ୍ୱାର ଖୋଲାଯାଏ।

ଏହାସହ ଏହି ବନ ପରିସରରେ ହେଉଥିବା ଗଛ କିଛି ଭିନ୍ନ ପ୍ରକାରରେ ବଢ଼ିଥାଏ। ସବୁଠୁ ଆଶ୍ଚର୍ଯ୍ୟର କଥା ଏଠାରେ ଥିବା ତୁଳସୀ ଗଛ। ତୁଳସୀ ଗଛଗୁଡ଼ିକ ଯୋଡ଼ିରେ ବଢ଼ୁଥିବାର ଦେଖିବାକୁ ମିଳେ।

ସନ୍ଧ୍ୟା ବେଳୁ ନିଧି ବନ୍‌ ବନ୍ଦ ହୋଇଯାଏ। ଏବଂ ସବୁ ଲୋକ ଏଠାରୁ ଚାଲିଯାନ୍ତି। ଯଦି କେହି ଲୁଚିକରି କୃଷ୍ଣଙ୍କ ରାସଲୀଳା ଦେଖିବାକୁ ଚେଷ୍ଟା କରନ୍ତି, ସେମାନେ ପାଗଳ ହୋଇଯା’ନ୍ତି ବୋଲି ବିଶ୍ୱାସ ରହିଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ୧୦ ବର୍ଷ ପୂର୍ବେ ଯେତେବେଳେ ଜୟପୁରରୁ ଆସିଥିବା ଜଣେ କୃଷ୍ଣ ଭକ୍ତ ବ୍ୟକ୍ତି ରାସଲୀଳା ଦେଖିବାକୁ ଚେଷ୍ଟା କରିଥିଲା। କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ସେ ନିଧି ବନରେ ଲୁଚିକି ବସିପଡ଼ିଥିଲା। ତା’ ପରଦିନ ସକାଳୁ ଯେତେବେଳେ ନିଧି ବନର ଗେଟ୍‌ ଖୋଲିଥିଲା, ଉକ୍ତ ବ୍ୟକ୍ତି ଜଣକ ଅଚେତ୍‌ ଅବସ୍ଥାରେ ମିଳିଥିଲା। ଏହାପରେ ତାହାର ମାନସିକ ସନ୍ତୁଳନ ବିଗିଡ଼ି ଯାଇଥିଲା।

ସେହିପରି ନିଧି ବନ ଆଖପାଖ ଅଞ୍ଚଳରେ ଥିବା ଘରମାନଙ୍କର ଝରକା ଲାଗି ନଥାଏ। ଯାହାର ବି ଲାଗିଥାଏ ସନ୍ଧ୍ୟା ପରଠୁ ବନ୍ଦ କରି ଦିଆଯାଏ। କେହି ନିଧି ବନ ଆଡ଼କୁ ଅନେଇ ବି ପାରିବେ ନାହିଁ। ଯଦି କିଏ ଅନେଇ ଦିଏ, ସିଏ କୌଣସି ଅଘଟଣର ଶିକାର ହୁଏ ବୋଲି ଲୋକ ମାନି ନେଇଛନ୍ତି।

ନିଧିବନ ପାଖରେ ଏକ ବିଶାଖା କୁଣ୍ଡ ମଧ୍ୟ ରହିଛି।  ଯେତେବେଳେ କୃଷ୍ଣ ଗୋପୀଙ୍କ ସହ ଲୀଳା ରଚୁଥିଲେ, ସେତେବେଳେ ଜଣେ ଗୋପୀଙ୍କୁ ଶୋଷ ଲାଗିଥିଲା। ପାଣିର କୌଣସି ବ୍ୟବସ୍ଥା ନ ଦେଖି କୃଷ୍ଣ ତାଙ୍କ ବଂଶୀରେ ଚମତ୍କାର କରି ପାଣି କୁଣ୍ଡ ତିଆରି କରିଥିଲେ। ଏହା ପରଠୁ ଏହାର ନାମ ବିଶାଖା କୁଣ୍ଡ ନାମରେ ପରିଚିତ ବୋଲି ମାନ୍ୟତା ରହିଛି।

ଏଭଳି ଅନେକ ଅଲୌକିକ ଏବଂ ରହସ୍ୟମୟ କଥା ପାଇଁ ନିଧି ବନ ବୃନ୍ଦାବନର ସବୁଠୁ ଆକର୍ଷଣୀୟ ସ୍ଥାନ ପାଲଟିଛି।

Comment