ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁଙ୍କ ରଥଯାତ୍ରାକୁ ଆଉ ମାତ୍ର ୯ ଦିନ ବାକି ଅଛି। ହେଲେ ଏହାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଛି।

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ଏଭଳି ସମୟରେ ପୁରୀରେ ରଥଯାତ୍ରା ଆୟୋଜନ ହେବ କି ନାହିଁ ତାକୁ ନେଇ ମଧ୍ୟ ଆଶା ଆଶଙ୍କା ରହିଛି। ଏସବୁ ମଧ୍ୟରେ ରଥଯାତ୍ରାକୁ ବନ୍ଦ କରିବାକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ରୁଜୁ ହୋଇଛି।

ଓଡିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢ଼ୀ ଆଇନଜୀବୀ ରଞ୍ଜିତା ରୋହତଗୀଙ୍କ ଜରିଆରେ ରଥଯାତ୍ରାକୁ ବନ୍ଦ କରିବାକୁ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ଏହି ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହିତ ସୋମବାର ଏହାର ଶୁଣାଣି ହେବ ବୋଲି କୁହାଯାଇଛି।

ଏହି ଆବେଦନକୁ ନେଇ ଆବେଦନକାରୀ ସୁଶାନ୍ତ ପାଢ଼ୀ କହିଛନ୍ତି ଯେ, ସେବାୟତମାନେ ରଥଯାତ୍ରାର ଆୟୋଜନ କରିବା ସମୟରେ ସାମାଜିକ ଦୂରତା ରକ୍ଷା କରିବେ କିପରି। ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ଏନେଇ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେଇ ନାହାନ୍ତି। ତେଣୁ ଏନେଇ ତୁରନ୍ତ କୌଣସି ନା କୌଣସି ନିଷ୍ପତ୍ତି ନିଆଯିବା ଦରକାର ବୋଲି ସେ କହିଛନ୍ତି। ତେଣୁ ସୁଶାନ୍ତଙ୍କ ଏହି ଆବେଦନ ରଥଯାତ୍ରା ଆୟୋଜନ ଉପରେ ଏକ ପାଚେରୀ ହେବ ବୋଲି ମଧ୍ୟ କୁହାଯାଉଛି।

ପୁରୀ ସିଲ୍ କରାଯାଇ ହେଉ ରଥଯାତ୍ରା

ଅନ୍ୟପଟେ ପୁରୀ ସହରକୁ ସିଲ୍ କରାଯାଇ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରିବାକୁ କହିଛନ୍ତି ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର।

ପଦ୍ମବିଭୂଷଣ ରଘୁନାଥ ମହାପାତ୍ର କହିଛନ୍ତି, “ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ଠିକ୍‌ ହେବନି। ପୁରୀ ସହରକୁ ସିଲ୍‌ କରାଯାଇ ରଥଯାତ୍ରା ଆୟୋଜନ କରାଯାଉ। ସେବାୟତ ଏବଂ ପୋଲିସଙ୍କ ସହାୟତାରେ ରଥ ଟଣାଯାଉ। କିଛି ସେବାୟତ ରଥ ଉପରେ ରହନ୍ତୁ ଏବଂ ଆଉ କିଛି ସେବାୟତ ରଥ ଟାଣନ୍ତୁ। ପୁରୀ ସହରର ଲୋକ ବି ବଡ଼ଦାଣ୍ଡକୁ ନଆସନ୍ତୁ।”

Comment