ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପହିଲି ରଜ। ବରଷକେ ଥରେ ଆସିଛି ଏହି ଗଣପର୍ବ। ଯଦି କରୋନା ଭଳି ଏକ ବିପଦ ନଥାନ୍ତା ତେବେ ଆଜି ପୁରପଲ୍ଲୀ ରଜ ମଉଜରେ ଝୁମି ଥାଆନ୍ତା। ଗାଁରୁ ସହର, ସବୁଠି ଉତ୍ସବର ମାହୋଲ୍ ଥାଆନ୍ତା। ପିଲା, ବୁଢା ସମସ୍ତେ ପାଳୁଥାନ୍ତେ ଏହି ପାରମ୍ପରିକ ପର୍ବ । ବନ୍ଧୁବାନ୍ଧବରେ ପୂରି ଉଠିଥାନ୍ତା ଘରଦ୍ୱାର।

ରଜ ପର୍ବ କଥା ଉଠିଲେ ଆପେ ଆପେ ମନକୁ ଆସିଯାଏ ଖରା ପଶିପାରୁନଥିବା ଗାଁର ଗହଳିଆ ଆମ୍ବତୋଟା, ବଡ଼ ବଡ଼ ଗଛରେ ଲଗାଯାଉଥିବା ଦୋଳି କଥା। ଓଡ଼ିଶାର ପ୍ରାଚୀନ ଲୋକକଥା ଅନୁସାରେ ଯଦି କେହି ରଜରେ ଦୋଳି ନ ଖେଳନ୍ତି ତା’ ହେଲେ ସେ ପରଜନ୍ମରେ କାଠ ବେଙ୍ଗ ହୋଇ ଜନ୍ମ ନେବେ ବୋଲି ବିଶ୍ୱାସ ରହିଛି। ତେଣୁ କୁମାରୀ ଝିଅଙ୍କଠାରୁ ଆରମ୍ଭ କରି ସମସ୍ତେ ଏହି ସମୟରେ ଦୋଳି ଖେଳର ମଜା ନେଇଥାନ୍ତି।

କିନ୍ତୁ କରୋନା ପାଇଁ ଫିକା ରଜ। ନା ଆମ୍ବ ତୋଟାରେ ଦୋଳି ଲାଗିଛି ନାଁ ଗାଁ ପଡ଼ିଆରେ କବାଡ଼ିର ଆୟୋଜନ ହୋଇଛି। ନା ବଜାରରେ ମିଠା ପାନ ମିଳୁଛି। ତେଣୁ ରଜ ପାଇଁ ଘରେ ପିଠା ଖାଇ ନିଜ ନିଜ ଘରେ ପହିଲି ରଜ ପାଳୁଛନ୍ତି ସମସ୍ତେ।

ରଜ ବଜାରରେ ସିନେମାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଏହି ପର୍ବରେ ସିନେମା ହଲରେ ଟକ୍କର ହୋଇଥାଏ। କାହା ଫିଲ୍ମ କେତେ ଆୟ କରିବ ସମସ୍ତେ ତାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। କରୋନା ପାଇଁ ସିନେମା ହଲରେ ମଧ୍ୟ ତାଲା। ଫଳରେ ଏଥର ରଜ ମଉଜ ପୂରା ଫିକା।

Comment