ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ ୧୪ଲୋକକଳା ଦିବସ ପ୍ରାଚୀନ ପାରମ୍ପରିକ ଲୋକକଳାର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ପ୍ରୟାସ ଦେଖନ୍ତୁ ଭିଡିଓ

କଳା, ସଂସ୍କୃତି, ଐତିହ୍ୟ କ୍ଷେତ୍ରରେ ସମୃଦ୍ଧ ଆମ ରାଜ୍ୟ ଓଡ଼ିଶା। ଆମର ଅନନ୍ୟ ଲୋକକଳା ଦେଶ ବିଦେଶରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛି। ଏହାର ପ୍ରଚାର ପ୍ରସାର ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ପ୍ରତି ବର୍ଷ ଜୁନ୍‌ ୧୪ ତାରିଖକୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛି।

କରୋନା ସଙ୍କଟ ପାଇଁ ଚଳିତବର୍ଷ ଦ୍ୱିତୀୟ ଲୋକକଳା ଦିବସ ମଞ୍ଚ ବଦଳରେ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ପାଳନ କରାଯାଉଛି। ଲୋକଙ୍କ ପାଖରେ ଏହି କଳାକୁ ପହଞ୍ଚାଇବା ପାଇଁ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉଦ୍ୟମ କରିଛି। ଆଜି ଦ୍ୱିତୀୟ ଲୋକକଳା ଦିବସ ଉପଲକ୍ଷେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ କଳାକାର ଏବଂ ଲୋକକଳା ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

‘‘ପ୍ରତି ବର୍ଷ ଲୋକକଳା ଦିବସ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ୨୦୧୯ ଜୁନ ୧୪ରେ ପ୍ରଥମ ଲୋକକଳା ଦିବସ ପାଳନ କରାଯାଇଥିଲା। ଚଳିତବର୍ଷ କରୋନା ମହାମାରୀ ପାଇଁ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ। ତେବେ ଡିଜିଟାଲ ମାଧ୍ୟମରେ ଲୋକକଳା ଦିବସକୁ ସମସ୍ତେ ଉପଭୋଗ କରିପାରିବେ’’, କହିଛନ୍ତି ପର୍ଯ୍ୟଟନ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

ରାଜ୍ୟ ବ୍ୟାପି ଲୋକକଳା ସଂଘ

ଲୋକକଳାର ପ୍ରସାର ପ୍ରଚାର ଓ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଲୋକକଳା ସଂଘ ବ୍ୟବସ୍ଥାର ଆରମ୍ଭ କରିଥିଲେ। ୨୦୧୧ ଏପ୍ରିଲ ୧ରୁ ଏହା ଶୁଭାରମ୍ଭ କରାଯାଇଥିଲା। ଏହି କ୍ରମରେ ବ୍ଲକ କଳା ସଂସ୍କୃତି ସଂଘ, ନଗର କଳା ସଂସ୍କୃତି ସଂଘ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା କଳା ସଂସ୍କୃତି ସଂଘ ସହିତ ରାଜ୍ୟସ୍ତରୀୟ କଳା ସଂସ୍କୃତି ସଂଘ ଗଠନ କରାଯାଇଛି। ରାଜ୍ୟରେ ୪୭୧ ପ୍ରକାରର ଲୋକକଳା ସହିତ ୯ ହଜାରରୁ ଅଧିକ ଲୋକକଳା ଦଳ ରହିଛି। ୧ ଲକ୍ଷ ୫୦ ହଜାରରୁ ଅଧିକ କଳାକାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଜୀକୃତ ହୋଇଛନ୍ତି। ଲୋକକଳାକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ୧୫ଟି ନଗରକଳା ସଂଘ ମଧ୍ୟ ଗଠନ କରାଯାଇଛି।

‘‘ଆଜି ହେଉଛି ଦ୍ୱିତୀୟ ଲୋକକଳା ଦିବସ। ଆମ ଲୋକକଳାକୁ କେବଳ ଓଡ଼ିଶାରେ ସୀମିତ ନରଖି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଆମେ ଲକ୍ଷ୍ୟ ରଖିଥିଲୁ। ହେଲେ କରୋନା ମହାମାରୀ ପାଇଁ ଏଥର ମଞ୍ଚରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଇପାରୁ ନାହିଁ। ତେଣୁ ଭର୍ଚୁଆଲ ମୋଡରେ ଲୋକଙ୍କ ପାଖରେ ଏହା ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ସଚିବ ଶ୍ରୀ ପାଣିଗ୍ରାହୀ ଆହୁରି କହିଛନ୍ତି ଯେ, ଓଡ଼ିଶା ହେଉଛି ଉତ୍କୃଷ୍ଟ ସଂସ୍କୃତିର ଦେଶ। ଆମ ସଂସ୍କୃତିର ମାନଦଣ୍ଡ ହେଉଛି ଲୋକକଳା।

ଗାଁ ଗାଁରେ ଲୋକକଳା ମାଧ୍ୟମରେ ପହଞ୍ଚୁଛି ସରକାରୀ ଯୋଜନା

ରାଜ୍ୟ ସରକାରଙ୍କର ବିଭିନ୍ନ ଜନମଙ୍ଗଳ ଯୋଜନା ସଂପର୍କରେ ଗାଁ ଗହଳିର ଲୋକଙ୍କ ପାଖରେ ସୂଚନା ପହଞ୍ଚାଇବା ପାଇଁ ଲୋକକଳା ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। ରାଜ୍ୟ ସରକାରଙ୍କ ପ୍ରମୁଖ ୧୨ଟି ବିଭାଗର କାର୍ଯ୍ୟକ୍ରମକୁ ଲେକକଳା ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଛି। ରାଜ୍ୟ ଲୋକକଳା ସଂଘ ମାଧ୍ୟମରେ ୪ ଲକ୍ଷରୁ ଅଧିକ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଛି। ସେଥିମଧ୍ୟରେ ପିଠା, ସହଭାଗିତା, ମ୍ୟାଲେରିଆ ଓ ଡେଙ୍ଗୁ ସଚେତନତା ଏବଂ ସବୁଦିନ ଯିବା ସ୍କୁଲ କାର୍ଯ୍ୟକ୍ରମ ଅନ୍ୟତମ।

‘‘ଭାରତବର୍ଷର ଅନ୍ୟ କେଉଁଠି ଲୋକକଳା ଦିବସ ପାଳନ କରାଯାଏ ନାହିଁ। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ଲୋକକଳା ଦିବସ ପାଳନ କରାଯାଉଛି। ଲୋକକଳା ମାଧ୍ୟମରେ ସରକାରୀ ଯୋଜନା ସଂପର୍କରେ ବ୍ୟାପକ ସୂଚନା ଲୋକଙ୍କ ପାଖରେ ପହଞ୍ଚିପାରୁଛି। ଏହାସହ ବିଭିନ୍ନ ଲୋକକଳା ପରିବେଷଣ ହେଉଥିବାରୁ ଏହି କଳା ବଞ୍ଚି ରହିଛି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ।

ଲୋକକଳା ସଂଘକୁ ଆର୍ଥିକ ପ୍ରେତ୍ସାହନ

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସଂସ୍କୃତି ବିଭାଗ ତରଫରୁ ଲୋକକଳାର ବିକାଶ ସହିତ କଳାକାରମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି। କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ମାସିକ ଭତ୍ତା ଦେଉଥିବା ବେଳେ ବ୍ଲକ, ଜିଲ୍ଲା ଓ ନଗର କଳା ସଂସ୍କୃତି ସଂଘକୁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଜିଲ୍ଲା କଳା ସଂସ୍କୃତି ସଂଘକୁ ୫ ଲକ୍ଷ ଟଙ୍କା, କ୍ଲକ କଳା ସଂସ୍କୃତି ସଂଘକୁ ୨ ଲକ୍ଷ ଟଙ୍କା, ନଗର କଳା ସଂସ୍କୃତି ସଂଘକୁ ୩ ଲକ୍ଷ ଟଙ୍କର ପାଣ୍ଠି ପ୍ରଦାନ କରାଯାଇଛି। ଏହାସହ ପ୍ରତ୍ୟେକ ଜିଲ୍ଲାରେ ଲୋକକଳା ଗ୍ରାମ ଗଠନ କରାଯାଇଛି।

‘‘ଲୋକକଳା ହେଉଛି ଆମର ପ୍ରଚୀନ କଳା। ଏହି କଳାର ଅଭିବୃଦ୍ଧି ଏବଂ ବିକାଶ ପାଇଁ ଆମେ ସବୁବେଳେ ଉଦ୍ୟମ କରି ଆସୁଛୁ। କଳାକାରମାନେ କେମିତି ସେମାନଙ୍କ ଜୀବିକା ନିର୍ବାହ କରିବେ ଏବଂ ଏହି କଳାର କେମିତି ଅଧିକ ପ୍ରଚାର ପ୍ରସାର ହୋଇପାରିବ ସେଥିପାଇଁ ଜୁନ୍‌ ୧୪ରେ ଲୋକକଳା ଦିବସ ପାଳନ କରିବାକୁ ଧାର୍ଯ୍ୟ କରାଯାଇଛି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ।

ୟୁନିସେଫ୍ ସହଯୋଗ

ଓଡ଼ିଶା ସମୃଦ୍ଧ ଲୋକକଳା ଧାରାକୁ ଏକାଠି କରିବା ସହ ଲୋକକଳାକାରମାନଙ୍କ ଜୀବନ ଓ ଜୀବିକାକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାରଙ୍କ ସହ ୨୦୧୧ ମସିହାରୁ ଯୋଡ଼ି ହୋଇଛି ୟୁନିସେଫ୍‌। ସଂସ୍କୃତି ବିଭାଗ ସହ ମିଶି ୟୁନିସେଫ୍‌ ଏଥିପାଇଁ ବିଶେଷ ଖସଡ଼ା ପ୍ରସ୍ତୁତ କରିଛି।

‘‘ରାଜ୍ୟରେ ଲୋକକଳାର ବିକାଶ ପାଇଁ ୟୁନିସେଫ୍‌ ଜଡ଼ିତ ହୋଇ ରହିଛି। ଦୀର୍ଘ ବର୍ଷ ହେଲା ଆମେ ଏହି କାର୍ଯ୍ୟକ୍ରମକୁ ବୈଷୟିକ ସହଯୋଗ ଦେଇ ଆସୁଛୁ। କଳାକାରମାନଙ୍କୁ ତାଲିମ ଦେବା, ଲୋକକଳାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟଧାରା ପ୍ରସ୍ତୁତ କରିବା ଏବଂ ଯେଉଁଠି ଖବରକାଗଜ, ଟିଭି, ରେଡିଓ ବା ଡିଜିଟାଲ୍‌ ମିଡିଆ ପହଞ୍ଚି ପାରୁନାହିଁ ସେଠାରେ ଲୋକକଳା ମାଧ୍ୟମରେ କେମିତି ଲୋକେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିପାରିବେ ସେଥିପାଇଁ ୟୁନିସେଫ୍‌ ସଂସ୍କୃତି ବିଭାଗକୁ ସହଯୋଗ କରି ଆସିଛି’’, କହିଛନ୍ତି ୟୁନିସେଫ୍‌ ବିକାଶ ପାଇଁ ଯୋଗାଯୋଗ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ।

ଆମ ଲୋକକଳା ଆମ ସଂସ୍କୃତି

ଓଡ଼ିଶାର ପାରମ୍ପରିକ ଲୋକକଳାକୁ ଉଜ୍ଜୀବୀତ କରି ରଖିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆଉ ଏକ ପାଦ ଆଗକୁ ଆସିଥିଲା। ଲୋକକଳାର ପ୍ରଚାର ପ୍ରସାର ପାଇଁ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ପ୍ରତି ମାସରେ ଥରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜନ କରାଗଲା। ବିଭିନ୍ନ ପାରମ୍ପରିକ ଲୋକକଳା ଏହି ମଞ୍ଚରେ ପରିବେଷଣ କରାଯାଇଥିଲା। ଏହି ପାରମ୍ପରିକ ଲୋକକଳାକୁ ବର୍ତ୍ତମାନର ପିଢ଼ିଙ୍କ ପାଖରେ ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ ଏହି ପ୍ରୟାସ କରାଯାଇଥିଲା।

‘‘ପ୍ରତିବର୍ଷ ଜୁନ୍‌ ୧୪ ତାରିଖରେ ଲୋକକଳା ଦିବସ ପାଳନ କରାଯାଉଛି। ଗତ ଦଶନ୍ଧି ଧରି ରାଜ୍ୟ ସରକାର ଲୋକକଳା ସଂଘ ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ଲୋକକଳାର ପ୍ରସାର ପ୍ରଚାର କରି ଆସୁଛନ୍ତି। କଳାକାରମାନଙ୍କୁ ଆର୍ଥିକ ସହାୟତା ଦେବା ସହ ସରକାରଙ୍କ ଜନମଙ୍ଗଳକାରୀ ଯୋଜନା ଲୋକକଳା ମାଧ୍ୟମରେ ଗ୍ରାମାଞ୍ଚଳରେ ପହଞ୍ଚି ପାରୁଛି। ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ ମାଧ୍ୟମରେ କଳାର ପ୍ରଚାର ପ୍ରସାର କରାଯାଉଛି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋୟୀ।

ଖାଲି ସେତିକି ନୁହେଁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମିଳିତ ଆନୁକୂଲ୍ୟରେ ଦୁଃସ୍ଥ ଦାଦନ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଜିଲ୍ଲାରେ ଦୁଃସ୍ଥ ଦାଦନ ରୋକିବା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚାରି ଜିଲ୍ଲାର ୨୦ଟି ବ୍ଲକ, ୩୭ଟି ପଞ୍ଚାୟତର ୩୨୯୮ ରାଜସ୍ୱ ଗ୍ରାମରେ ସଚେତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Comment