ଓଡ଼ିଶାଲାଇଭ୍ ବ୍ୟୁରୋ

  • ରଥଯାତ୍ରା ବନ୍ଦକୁ ନେଇ ପ୍ରତିକ୍ରିୟା ରଖିଲେ ଗଜପତି
  • ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବା ଆମ ସମସ୍ତଙ୍କର କର୍ତ୍ତବ୍ୟ – ଗଜପତି
  • କରୋନା ସଂକ୍ରମଣ ମଧ୍ୟରେ ରଥଯାତ୍ରା ଆୟୋଜନ ସମ୍ଭବପର ହେଉନାହିଁ

“କରୋନା ସଂକ୍ରମଣ ପାଇଁ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ କହିଛନ୍ତି। ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ଜଗନ୍ନାଥପ୍ରେମୀଙ୍କୁ ଗଭୀର କଷ୍ଟ ଦେବ। ହେଲେ ସୁପ୍ରିମକୋର୍ଟଙ୍କ ରାୟକୁ ମାନିବା ଆମ ସମସ୍ତଙ୍କ କର୍ତ୍ତବ୍ୟ”,ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ନେଇ ରାୟ ଶୁଣାଇବା ପରେ ଏପରି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।

ସେ କହିଛନ୍ତି ଯେ, କୋଭିଡ୍ ମହାମାରୀର ଏଭଳି ସ୍ଥିତିରେ ରଥଯାତ୍ରା ଆୟୋଜନ ସମ୍ଭବପର ହେଉନାହିଁ। କୋର୍ଟଙ୍କ ରାୟ ପରେ ମଧ୍ୟ ଆଉ ବଡ଼ଦାଣ୍ଡରେ ରଥଯାତ୍ରା ସମ୍ଭବପର ନୁହେଁ। ତେବେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଆଲୋଚନା କରାଯିବ। ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ଗଜପତି କହିଛନ୍ତି।କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆଜି ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଫଳରେ ଏବର୍ଷ ପ୍ରଭୁ ଜଗନ୍ନାଥ ଆଉ ଭାଇ ଭଉଣୀଙ୍କୁ ଧରି ଜନ୍ମବେଦୀକୁ ଯାତ୍ରା କରିବେ ନାହିଁ।

ଯଦି ରଥଯାତ୍ରା ଅନୁଷ୍ଠିତ ହୁଏ ତେବେ କରୋନା ସଂକ୍ରମଣର ଭୟ ରହିଛି। ଅନ୍ୟପଟେ ରଥଯାତ୍ରା ସମୟରେ ମଧ୍ୟ ସାମାଜିକ ଦୂରତା ପାଳନ କରିବା କଷ୍ଟକର ହେବ ବୋଲି କୁହାଯାଇଥିଲା। ଯାହାର ବିଚାର କରି ସୁପ୍ରିମକୋର୍ଟ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

Comment