ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସୋସିଆଲ ମିଡିଆରେ ରଥଯାତ୍ରାକୁ ନେଇ ବିଜେପି କରୁଛି କ୍ୟାମ୍ପେନ। ମୋଦୀ, ଶାହଙ୍କୁ ପ୍ରଶଂସା। ରାଜ୍ୟ ସରକାରଙ୍କୁ ସମାଲୋଚନା।

ପବିତ୍ର ଶ୍ରୀଗୁଣ୍ଡିଚାରେ ନୂଆ ଇତିହାସ ସୃଷ୍ଟି କରିଛି ଓଡ଼ିଶା। ଭକ୍ତ ଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ। କରୋନା କଟକଣା ଭିତରେ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହୋଇଥିବାରୁ ଓଡ଼ିଶା ଉପରେ ସମସ୍ତଙ୍କ ନଜର ରହିଛି। ଏସବୁ ଭିତରେ ଭକ୍ତ ଶୂନ୍ୟ ରଥଯାତ୍ରା ସଫଳ ଭାବେ ଆୟୋଜନ ହୋଇଥିବାରୁ ରାଜନୀତି ତେଜିଛି। ରଥଯାତ୍ରାର ଶ୍ରେୟ ନେବା ପାଇଁ ବିଜେପି ଆଗକୁ ଆସିଛି। ଏନେଇ ସୋସିଆଲ ମିଡିଆରେ କ୍ୟାମ୍ପେନ ଆରମ୍ଭ କରିଛି।

ଶ୍ରୀଗୁଣ୍ଡିଚା ଦିନ ତିନି ରଥ ଗୁଣ୍ଡିଚା ମନ୍ଦିର ଆଗରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଥିଲା। ସେବାୟତ ଏବଂ ପୋଲିସ କର୍ମଚାରୀଙ୍କ ଗହଣରେ ରଥ ଗଡ଼ିଥିଲା। ଆଜି ରଥାରୂଢ଼ ଠାକୁରଙ୍କୁ ଆଡ଼ପ ମଣ୍ଡପରେ ବିଜେ କରାଯାଉଥିବା ବେଳେ ଶ୍ରେୟ ନେବା ପାଇଁ ଏବେ ଅଭିଯାନ ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଯୋଗୁଁ ଭକ୍ତ ଶୂନ୍ୟ ରଥଯାତ୍ରା ସଫଳ ହୋଇଥିବା ବିଜେପି କହୁଛି। ଭକ୍ତ କିନ୍ତୁ ଜଗନ୍ନାଥଙ୍କ ପାଇଁ ସବୁ ସମ୍ଭବ ହେଲା ବୋଲି କହୁଛନ୍ତି।

ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହେବା ପରେ ବିଜେପି, ଓଡ଼ିଶା ପକ୍ଷରୁ ଏକ ଟୁଇଟ୍‌ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଆ ଜାତିର ଅସ୍ତିତ୍ୱ ସହ ଜଡ଼ିତ ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସକରାତ୍ମକ ମନୋଭାବ ଯୋଗୁଁ ଏହି ଯାତ୍ରା ସମ୍ଭବପର ହୋଇଛି।

ଏହି ଟୁଇଟ୍‌ ପରେ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଏକ ଭିଡିଓ ଟୁଇଟ୍‌ କରି ରାଜନୀତିକୁ ଆହୁରି ତେଜିଛନ୍ତି। ସେ ଏଥିରେ ସିଧାସଳଖ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

‘‘ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଥିଲେ। ଏକଥା ଗତ ୨୨ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ରାୟରୁ ଜଣାପଡ଼ିଛି। ରଥଯାତ୍ରା ନହେଉ ବୋଲି ରାଜ୍ୟ ସରକାର ଚାହୁଁଥିଲେ। ଏଥିପାଇଁ ସୁପ୍ରିମକୋର୍ଟରେ ସେ ରଥଯାତ୍ରା ସପକ୍ଷରେ ଯୁକ୍ତି କରି ନଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହଙ୍କ ପାଇଁ ଏହା ଆଜି ସଫଳ ହୋଇଛି’’, କହିଛନ୍ତି ଲେଖାଶ୍ରୀ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବି ଶାନ୍ତିପୂର୍ଣ୍ଣ ଭାବେ ରଥଯାତ୍ରା ଶେଷ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଦେବାକୁ ପଛାଇ ନାହାନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିନ୍ତୁ ଉଭୟ ବିଜେଡି ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି। ଉଭୟ ଦଳ ରଥଯାତ୍ରା ହେଉ ବୋଲି ଚାହୁଁ ନଥିବା ସେ କହିଛନ୍ତି।

ଖାଲି ସେତିକି ନୁହେଁ, ବିଜେପି ଆଉ ଏକ ଟୁଇଟରରେ ମୋଦୀଙ୍କ ଫଟୋ ପୋଷ୍ଟ କରି ଓଡ଼ିଶାବାସୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛି। ଅକ୍ଷୟ ତୃତୀୟାଠାରୁ ରଥ ଗଡ଼ିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସହିତ ମୋଦୀ ଛିଡ଼ା ହୋଇଥିବା ଟୁଇଟରରେ ଦର୍ଶାଯାଇଛି।

ଏପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଆରମ୍ଭ କରି ଏକାଧିକ ମନ୍ତ୍ରୀ ରଥଯାତ୍ରା ପାଇଁ ଅନୁମତି ମିଳିଥିବାରୁ ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ। ଏନେଇ ନିଜେ ଅମିତ ଶାହ ଟୁଇଟ୍ କରିଥିଲେ। ଓଡ଼ିଶାବାସୀଙ୍କ ନିକଟତର ହେବା ପାଇଁ ଶାହ ଓଡ଼ିଆରେ ବି ଟୁଇଟ୍‌ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ରଥଯାତ୍ରାର ଶୁଭେଚ୍ଛା ଜଣାଇଥିଲେ।

ସେ କହିଥିଲେ, ‘‘ପ୍ରଧାନମନ୍ତ୍ରୀ କେବଳ ଶ୍ରଦ୍ଧାଳୁଙ୍କ ଭାବନାକୁ ବୁଝିଲେ ନାହିଁ, ଏହି ମାମଲାର ସକରାତ୍ମକ ସମାଧାନ ପାଇଁ ପ୍ରୟାସ କଲେ। ଯାହାଫଳରେ ଆମର ଏହି ମହାନ ପରମ୍ପରା ବଜାୟ ରହିଲା।

ରାୟ ପ୍ରକାଶ ପାଇବା ଦିନ ଅମିତ ଶାହ ଗଜପତି ମହାରାଜା ଏବଂ ଶଙ୍କରାଚାର୍ଯ୍ୟଙ୍କ ସହ ଫୋନରେ କଥା ହୋଇଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଅକ୍ଷୟ ତୃତୀୟାରୁ ରଥଯାତ୍ରାକୁ ନେଇ ଆଶଙ୍କା ଦେଖାଦେଇଥିଲା। ଏହି ତିଥିରୁ ରଥ ନିର୍ମାଣ ଆରମ୍ଭ ହେବାର ବିଧି ଥିଲେ ମଧ୍ୟ ଲକଡାଉନ୍‌ କଟକଣା ପାଇଁ ହୋଇପାରି ନଥିଲା। ପ୍ରାୟ ୧୨ ଦିନ ବିଳମ୍ବରେ କେନ୍ଦ୍ର ସରକାର ଅନୁମତି ଦେବା ପରେ ରଥ ନିର୍ମାଣ ଆରମ୍ଭ ହୋଇଥିଲା।

କୋଭିଡ୍‌ କଟକଣା ଭିତରେ ରଥ ନିର୍ମାଣ ଆଗେଇଥିଲା। ଏତିକି ବେଳେ ଓଡ଼ିଶା ହାଇକୋର୍ଟରେ ରଥଯାତ୍ରା ବନ୍ଦ କରିବା ପାଇଁ ପିଟିସନ ଦାଖଲ ହୋଇଥିଲା। ହେଲେ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କର ବୋଲି ହାଇକୋର୍ଟ କହିଥିଲେ। ଏ ବାବଦରେ କିନ୍ତୁ ରାଜ୍ୟ ସରକାର କିଛି ପ୍ରତିକ୍ରିୟା ଦେଇ ନଥିଲେ।

ଏହାପରେ ମାମଲା ସୁପ୍ରିମକୋର୍ଟ ଗଲା। ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ରଥଯାତ୍ରା ବନ୍ଦ କରିବା ଲାଗି ଆବେଦନ କରାଯାଇଥିଲା। ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେଇଥିଲେ। ସେତେବେଳେ ରାଜ୍ୟ ସରକାର କୌଣସି ଯୁକ୍ତି କରି ନଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ କ୍ୟାବିନେଟ୍‌ ଗ୍ରହଣ କରିଥିଲା।

ଏହାକୁନେଇ ଭକ୍ତ, ସେବାୟତ ଏବଂ ଜଗନ୍ନାଥପ୍ରେମୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗଜପତି ମହାରାଜା ରଥଯାତ୍ରା ସପକ୍ଷରେ ରାଜ୍ୟ ସୁପ୍ରିମକୋର୍ଟରେ ସାନିପିଟିସନ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଶଙ୍କରାଚାର୍ଯ୍ୟ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟରେ ଏକାଧିକ ପିଟସନ ବି ଦାଖଲ ହୋଇଥିଲା।

୨୨ ତାରିଖ ଶୁଣାଣି ଦିନ ସୁପ୍ରିମକୋର୍ଟରେ ସଲିସିଟର ଜେନେରାଲ ରଥଯାତ୍ରା ସପକ୍ଷରେ ଯୁକ୍ତି କରିଥିଲେ। କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ କହିଥିଲେ। ଏହାକୁ ରାଜ୍ୟ ସରକାର ସମର୍ଥନ ଦେଇଥିଲେ। ଏହାପରେ ସୁପ୍ରିମକୋର୍ଟ ଭକ୍ତ ଶୂନ୍ୟ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ। ହେଲେ ଏହାକୁ ମୋଦୀ, ଶାହଙ୍କ ସଫଳତା କହି ରାଜ୍ୟ ବିଜେପି ସୋସିଆଲ ମିଡିଆରେ କ୍ୟାମ୍ପେନ କରୁଛି।

Comment