ଓଡିଶାଲାଇଭ୍ ବ୍ୟୁରୋ

ଭୂମିହୀନ ଚାଷୀଙ୍କୁ ଋଣ ଯୋଗାଇବା ପାଇଁ ଆରମ୍ଭ ହେବ ‘ବଳରାମ’ ଯୋଜନା। ଏହି ଯୋଜନାରେ ୧୦୪୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ। ଆଗାମୀ ଦୁଇ ବର୍ଷରେ ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀ ଏହି ଯୋଜନାରେ ଉପକୃତ ହେବେ। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି।

ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା ଆଣୁଛି। ‘ବଳରାମ’ ଯଦି ସଫଳ ହୁଏ ତେବେ ଏହା ସମଗ୍ର ଦେଶ ପାଇଁ ଏକ ମଡେଲ ହେବ ବୋଲି ନାବାର୍ଡର ସିଜିଏମ ଏ ଚନ୍ଦ୍ରଶେଖର କହିଛନ୍ତି। ଏହି ଯୋଜନାରେ ଭୂମିହୀନ ଚାଷୀଙ୍କୁ ନେଇ ଗଠିତ ୭୦ ହଜାର ଗ୍ରୁପ ମାଧ୍ୟମରେ ୧୦୪୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ। ଭୂମିହୀନ ଚାଷୀମାନେ ଗୋଷ୍ଠୀ ଗଠନ(ଜଏଣ୍ଟ ଲାଏବିଲିଟି ଗ୍ରୁପ୍) କରିବେ। ଏହାରି ମାଧ୍ୟମରେ ସେମାନେ ସମବାୟ ସଂସ୍ଥା ଓ ବିଭିନ୍ନ ବ୍ୟାଙ୍କ ଜରିଆରେ ଋଣ ପାଇପାରିବେ।

ରାଜ୍ୟ ସ୍ତରରେ ଇମେଜ୍ ଓ ଜିଲ୍ଲା ସ୍ତରରେ ଆତ୍ମା ସଂସ୍ଥା ‘ବଳରାମ’ ଯୋଜନାକୁ କାର୍ଯ୍ୟକାରୀ କରିବେ। ଛୋଟ ଛୋଟ ସହର ଓ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତିର ୭ ହଜାର ଶାଖା ମାଧ୍ୟମରେ ଭୂମିହୀନ ଚାଷୀମାନଙ୍କୁ ଋଣ ଯୋଗାଇ ଦିଆଯିବ। ପ୍ରତି ବ୍ୟାଙ୍କ ସଂସ୍ଥା ଅତି କମରେ ୧୦ଟି ଜେଏଲବି ଗ୍ରୁପକୁ ଋଣ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରତି ଜେଏଲବିରେ ୫ ଜଣ ସଦସ୍ୟ ରହିବେ। ପ୍ରତି ଗ୍ରୁପକୁ ୧.୦୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ଚଳିତବର୍ଷ ୭୦ ହଜାର ଜେଏଲବିକୁ ଋଣ ଦିଆଯିବ। ଦୁଇ ବର୍ଷ ଭିତରେ ୧୪୦ ହଜାର ଜେଏଲଜି ମାଧ୍ୟମରେ ପ୍ରାୟ ୭ ଲକ୍ଷ ଭୂମିହୀନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ।

ଏହି ଯୋଜନା କୃଷିଋଣ ଭାବେ ଉପଲବ୍ଧ ହେବ। ସରକାରଙ୍କ ନିର୍ଦ୍ଧାରିତ ସର୍ତ୍ତାବଳୀ ଅନୁସାରେ ସୁଧ ହାର ଏବଂ ସୁଧ ରିହାତି ଲାଗୁ ହେବ।

Comment