ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ କର୍ମକର୍ତ୍ତାଙ୍କ ଭିତରେ ଅଦଳବଦଳ ହେବ ବୋଲି ଜଣାପଡିଛି। ବିଜେପି ପାର୍ଲାମେଣ୍ଟାରୀ ବୋର୍ଡକୁ କିଛି ନୂଆ ନେତା ଯିବେ। ପାର୍ଲାମେଣ୍ଟାରୀ ବୋର୍ଡ ହେଉଛି ଦଳର ସବୁଠାରୁ ଶକ୍ତିଶାଳୀ ମଞ୍ଚ। ସଭାପତି ଜେପି ନଡ୍ଡା ଖୁବ ଶୀଘ୍ର ତାଙ୍କ ନୂଆ ଟିମ ଘୋଷଣା କରିବେ ବୋଲି ଜଣାପଡିଛି। ଚଳିତ ଜାନୁଆରି ମାସରେ ନଡ୍ଡା ସଭାପତି ଦାୟିତ୍ୱ ନେଇଥିଲେ। କିନ୍ତୁ କରୋନା ମହାମାରୀ ଯୋଗୁଁ ନୂଆ ଟିମର ଘୋଷଣା ବିଳମ୍ବିତ ହୋଇଥିଲା।

ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଦଳର ସଭାପତି ବଦଳିବା ସହ କର୍ମକର୍ତ୍ତା ବି ବଦଳିଥାନ୍ତି। ଏଣୁ ନଡ୍ଡା ଏବେ ତାଙ୍କ ଟିମକୁ ଚୂଡ଼ାନ୍ତ ରୂପ ଦେଉଛନ୍ତି। ନୂଆ ଟିମରେ କିଛି ନୂଆ ମୁହଁ ସହ ପୁରୁଣା ମୁହଁ ବି ଦେଖିବାକୁ ମିଳିବ।CGU new

ଇତି ମଧ୍ୟରେ ଦଳର ତିନି ଜଣ ବରିଷ୍ଠ ନେତା ଅନନ୍ତ କୁମାର,ଅରୁଣ ଜେଟଲି ଓ ସୁଷମା ସ୍ୱରାଜଙ୍କର ବିୟୋଗ ଘଟିଛି। ସେହିଭଳି ଅନ୍ୟତମ ବରିଷ୍ଠ ନେତା ଭେଙ୍କୟା ନାଇଡୁ ଉପରାଷ୍ଟ୍ରପତି ହୋଇଛନ୍ତି। ଏହି ସବୁ ଖାଲି ସ୍ଥାନକୁ ପୁରଣ କରାଯିବ।

ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ଼ରେ ସ୍ୱର୍ଗତ ସୁଷମା ସ୍ୱରାଜ ହିଁ ଏକମାତ୍ର ମହିଳା ସଦସ୍ୟ ଥିଲେ। ଆଶା କରାଯାଉଛି ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ସ୍ଥାନ ନେଇପାରନ୍ତି। ତେବେ ନଡ୍ଡାଙ୍କ ଟିମର ରୂପରେଖ କଣ ହେବ ଓ ଅନ୍ୟ କର୍ମକର୍ତ୍ତା କିଏ ହେବେ ସେ ନେଇ କିଛି ସ୍ପଷ୍ଟ ଆଭାସ ମିଳୁନାହିଁ।ଏଣେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ପରିବର୍ତ୍ତନ ହେବ ବୋଲି ଶୁଣାଯାଉଛି। ଏହି ପରିବର୍ତ୍ତନ ବେଳେ କିଛି ଦଳୀୟ କର୍ମକର୍ତ୍ତାଙ୍କୁ ମନ୍ତ୍ରୀ କରାଯାଇପାରେ। ସେହିଭଳି ଏବେ ଥିବା କିଛି ମନ୍ତ୍ରୀଙ୍କୁ ଦଳୀୟ ସଂଗଠନ ଦାୟିତ୍ୱ ଦିଆଯାଇପାରେ।

ଏହି କସରତ ଭିତରେ ଆହୁରି ମଧ୍ୟ ଶୁଣାଯାଉଛି ଯେ ନୂଆ ଟିମରେ ଯୁବକମାନଙ୍କୁ ଅଧିକ ମାତ୍ରାରେ ସାମିଲ କରାଯିବ। ନଡ୍ଡାଙ୍କ ପୂର୍ବରୁ ସଭାପତି ଥିବା ଅମିତ ଶାହଙ୍କ ସମୟରୁ  ଯୁବକଙ୍କ ଉପରେ ଗୁରୁତ୍ୱ ଦିଆ ଯାଇଆସିଛି। ଦଳର ତୁଙ୍ଗ ନେତାମାନେ ମଧ୍ୟ ଏକମତ ଯେ ଅପେକ୍ଷାକୃତ କମ ବୟସର ଲୋକଙ୍କୁ ଦାୟିତ୍ୱ ଦିଆଯିବା ଉଚିତ। ଏଇକ୍ଷଣି ସମଗ୍ର ଦେଶରେ  ବିଜେପିର ଜିଲ୍ଲା ସଭାପତିମାନଙ୍କ ବୟସ ୫୦ ବର୍ଷରୁ କମ ଯାହାକି ଆଗରୁ କେବେ ନଥିଲା।

Comment