ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପାଞ୍ଜିର ଗୁରୁତ୍ୱ ରହିଛି। ମଣିଷ ଦୈନନ୍ଦିନ ଜୀବନରେ ଯାହା କରୁଛି ସେସବୁ ପାଞ୍ଜିରେ ଭଲଭାବେ ଉଲ୍ଲେଖ ରହିଛି। ପାଞ୍ଜି ଦେଖି ଲୋକେ ପ୍ରତିଦିନ ବିଭିନ୍ନ କାମ କରିଥାନ୍ତି। ସାଂସ୍କୃତିକ, ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମ, ମେଳା ମହୋତ୍ସବ ପାଇଁ ପାଞ୍ଜି ଉପରେ ସମସ୍ତେ ନିର୍ଭର କରିଥାନ୍ତି ବୋଲି ବିଶିଷ୍ଟ ସାହିତ୍ୟିକ ପ୍ରଫେସର ରାଜକିଶୋର ମିଶ୍ର ‘ଓଡ଼ିଶାରେ ପାଞ୍ଜିର ସାଂସ୍କୃତିକ ଓ ଧର୍ମୀୟ ପ୍ରଭାବ’ ଉପରେ ଆଲୋଚନା କରି କହିଛନ୍ତି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରାଜ୍ୟ ଅଭିଲେଖାଗାରର ମିଳିତ ଆନୁକୂଲ୍ୟରେ ସଂସ୍କୃତି ଚର୍ଚ୍ଚାର ୪୩ତମ ସଂପାନ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରଫେସର ରାଜ କିଶୋର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଓଡ଼ିଶାରେ ପାଞ୍ଜିର ସାଂସ୍କୃତିକ ଓ ଧର୍ମୀୟ ପ୍ରଭାବ’ ଉପରେ ଆଲୋଚନା କରିଥିଲେ। ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରତି ମାସରେ ବିଭିନ୍ନ ବିଷୟକୁ ନେଇ ସଂସ୍କୃତି ଚର୍ଚ୍ଚା ରାଜ୍ୟ ଅଭିଲେଖାଗାରରେ ଆୟୋଜନ କରାଯାଇଥାଏ। ହେଲେ ଏଥର କରୋନା ମହାମାରୀ ପାଇଁ ଡିଜିଟାଲ ପ୍ଲାଟଫର୍ମରେ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
‘‘ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଦେଶ। ଓଡ଼ିଶାରେ ଯେଉଁ ସାଂସ୍କୃତିକ ବା ଧର୍ମୀୟ କାର୍ଯ୍ୟକ୍ରମ କରାଯାଏ ତାହା ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି କରାଯାଇଥାଏ। କୌଣସି ଶୁଭ କାର୍ଯ୍ୟ କରିବା ବେଳେ ପାଞ୍ଜି ଦେଖିବାକୁ ପଡ଼ିଥାଏ। ଓଡ଼ିଶାରେ କୋହିନୂର, ଅସଲି ଖଡ଼ିରତ୍ନ, ବିରଜା ଆଦି ପାଞ୍ଜି ରହିଛି। ଲୋକମାନେ ବିଭିନ୍ନ ପାଞ୍ଜିକୁ ଅନୁସରଣ କରି ସାମାଜିକ, ସାଂସ୍କୃତି ଏବଂ ଧାର୍ମିକ କାର୍ଯ୍ୟକ୍ରମମାନ କରିଥାନ୍ତି। ସବୁଠୁ ପୁରୁଣା ହେଉଛି ମାଦଳା ପାଞ୍ଜି। ଏହି ପାଞ୍ଜି ୧୨୦୦ ଶତାବ୍ଦୀରେ ଲେଖାଯାଇଥିଲା। ଏଥିରେ ଜଗନ୍ନାଥ ସଂସ୍କୃତି ଏବଂ ଏହାର କ୍ରମବିକାଶ ଉପରେ ବିସ୍ତୃତ ଭାବେ ତଥ୍ୟ ରହିଛି। ଓଡ଼ିଆମାନଙ୍କ ଜୀବନଚର୍ଯ୍ୟା ପାଞ୍ଜିକୁ ନେଇ ଚାଲିଥାଏ। ଧାର୍ମିକ ଉତ୍ସବ ଏବଂ କୃଷି କାର୍ଯ୍ୟ କରିବାର ମୂଳ ଆଧାର ହେଉଛି ପାଞ୍ଜି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।
‘‘ଆମ ଦୈନନ୍ଦିନ ଜୀବନ ଉପରେ ପାଞ୍ଜିର ପ୍ରଭାବ ରହିଛି। ବିଭିନ୍ନ ଓଷା, ବ୍ରତ, ବାହାଘର, ବ୍ରତଘର ଆଦି କାର୍ଯ୍ୟକ୍ରମ ପାଞ୍ଜି ଦେଖି କରାଯାଇଥାଏ। ଆମ ସାଂସ୍କୃତିକ ଜୀବନର ଧାରା ମଧ୍ୟ ଏହି ପାଞ୍ଜିରୁ ଜଣାପଡ଼ିଥାଏ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।
ପାଞ୍ଜିରେ ନିର୍ଦ୍ଦିଷ୍ଟ ଦିନ ଓ ମୁହୂର୍ତ୍ତକୁ ନେଇ ଓଡ଼ିଶାରେ ବହୁ କାର୍ଯ୍ୟକାମ ସମ୍ପନ୍ନ କରାଯାଇଥାଏ। ପୁରୀରେ ୧୮୮୭ ମସିହା ପୂର୍ବରୁ ହାତଲେଖା ପାଞ୍ଜିର ପ୍ରଚଳନ ରହିଥିଲା। ୧୮୮୭ ମସିହା ପରେ ପଠାଣି ସାମନ୍ତ ପଞ୍ଚାଙ୍ଗତ ତିଆରି କରି ମହାପ୍ରଭୁଙ୍କ ବିଭିନ୍ନ ପର୍ବ ପର୍ବାଣୀ କଥା ଉଲ୍ଲେଖ କରିକି ଦେବା ପରେ ଏହାକୁ ଶ୍ରୀମନ୍ଦିରର ପଣ୍ଡିତ ଓ ସେବାୟତମାନେ ଗ୍ରହଣ କରିଥିଲେ। ଉନବିଂଶ ଶତାବ୍ଦୀର ଶେଷ ଭାଗ ବେଳକୁ କ୍ଷୁଦ୍ର ପୁସ୍ତକ ଆକାରରେ ପାଞ୍ଜି ପ୍ରକାଶ ପାଇଲା। ୧୯୦୮ରୁ ୧୯୧୦ ମସିହା ବେଳକୁ ଖଡ଼ିରତ୍ନ, କୋହିନୂର ଆଦି ପାଞ୍ଜି ପୁସ୍ତକ ଆକାରରେ ଉପଲବ୍ଧ ହୋଇଥିଲା। ପାଞ୍ଜି ଦେଖି ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ। ଏଣୁ ହେଉଛି ଆମର ମୂଳ ଆଧାର’’, କହିଛନ୍ତି ପ୍ରଫେସର ରାଜକିଶୋର ମିଶ୍ର।
ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡକ୍ଟର ଶେଖ୍ ସୋଲେମାନ୍ ଅଲ୍ଲୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।