ଓଡିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଏକ ହୋଟେଲରେ ଆୟୋଜିତ ଜୀବନ ବିନ୍ଦୁ ରକ୍ତଦାନ ଶିବିରକୁ କେନ୍ଦ୍ରାପଡ଼ା ସଦରଥାନା ପୋଲିସ ବନ୍ଦ କରିଦେଇଛି। ସରକାରୀ ଦଳର ବ୍ୟାନର ଲାଗିଥିବା ଏହି କାର୍ଯ୍ୟକ୍ରମକୁ କିଏ ଆୟୋଜନ କରିଥିଲା ଓ କାହା ଚାପରେ ବନ୍ଦ ହେଲା ସେନେଇ କୌଣସି ସୂଚନା ମିଳିନାହିଁ।

ଗତକାଲି କେନ୍ଦ୍ରାପଡ଼ା ସହର ସଂଲଗ୍ନ ଗୁହାଳସିଂ ମୌଜାରେ ଥିବା ଗୌରୀଶଂକର ହୋଟେଲରେ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆୟୋଜକମାନେ ସମସ୍ତ ବ୍ୟବସ୍ଥା କରିସାରିଥିଲେ। ଏହି ସମୟରେ କେନ୍ଦ୍ରାପଡ଼ା ସଦରଥାନା ପୋଲିସ ସେଠାରେ ପହଞ୍ଚି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କେନ୍ଦ୍ରାପଡ଼ା ପୌରାଞ୍ଚଳର ଜଣେ ଯୁବକ ଏଠାରେ ବସାଉଠା କରନ୍ତି। ତେଣୁ ଏଠାରେ ରକ୍ତଦାନ ଶିବିର ହୋଇପାରିବନି ବୋଲି ପୋଲିସ କହିଥିଲା।ସେଠାରେ ଲାଗିଥିବା ସମସ୍ତ ବ୍ୟାନର ଓ ହୋର୍ଡିଂରୁ ସ୍ପଷ୍ଟ ହୋଇଛି ଯେ ଏହି କାର୍ଯ୍ୟକ୍ରମ କୌଣସି ବିଶିଷ୍ଟ ସରକାରୀ ରାଜନେତାଙ୍କ ପୃଷ୍ଟପୋଷକତାରେ ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ବି ଲାଗିଥିଲା। ହେଲେ କିଏ ଏହି ଜୀବନ ବିନ୍ଦୁ ରକ୍ତଦାନ ଶିବିରକୁ ଆୟୋଜନ କରିଥିଲେ ତାହା ଜଣାପଡ଼ିନାହିଁ। ରକ୍ତଦାନ କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ପରେ କାହାରିଠାରୁ ପ୍ରତିକ୍ରିୟା ମଧ୍ୟ ମିଳିନାହିଁ।

ତେବେ ଜୀବନ ବିନ୍ଦୁ ରକ୍ତଦାନ ଶିବିର କରିବା ପୂର୍ବରୁ ଜିଲ୍ଲା ଜୀବନ ବିନ୍ଦୁ ଆୟୋଜନ କମିଟିର ସଂଯୋଜକ ତଥା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସହିତ ଆଲୋଚନା କରାଯିବାର ବିଧି ଥିଲେ ମଧ୍ୟ ତାହା କେହି କରିନାହାନ୍ତି ବୋଲି ବିଧାୟକ କହିଛନ୍ତି। ଏହାଛଡ଼ା ରାଜ୍ୟର ଯେଉଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ, ସେହି ନିର୍ବାଚନ ମଣ୍ଡଳୀର ବିଧାୟକ ହୁଅନ୍ତୁ କି ପରାଜିତ ପ୍ରାର୍ଥୀ ହୁଅନ୍ତୁ, ସେମାନଙ୍କର ପରାମର୍ଶ ନେବାର ବିଧି ରହିଥିବା ବେଳେ ତାହା କରାଯାଇନଥିବା କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି।ଅନ୍ୟ ପକ୍ଷରେ ଏହି ଅଞ୍ଚଳ କୋଭିଡ କଣ୍ଟେନମେଣ୍ଟ ଜୋନ୍ ପରିସରରେ ଆସୁଥିବାରୁ ସେଠାରେ ରକ୍ତଦାନ ବ୍ୟବସ୍ଥାକୁ ବନ୍ଦ କରାଗଲା ବୋଲି କେନ୍ଦ୍ରାପଡ଼ା ଏସ୍‌ପି ନୀତିଶେଖର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here