ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ ପକ୍ଷରୁ ‘ଓଡିଶାରେ ଦୁଗ୍ଧଚାଷରେ ସୁଯୋଗ ଏବଂ ପରିସର’ ବିଷୟବସ୍ତୁ ଉପରେ ଏକ ୱେବିନାର ଆୟୋଜିତ ହୋଇଛି। ଏଥିରେ ମୁଖ୍ୟବକ୍ତା ଭାବେ ଅମୁଲ୍‌ର ବରିଷ୍ଠ ଜେନେରାଲ ମ୍ୟାନେଜର ମନୋରଂଜନ ପାଣି, ଟେକ୍ନୋକମ ସଲ୍ୟୁସନର ପରିଚାଳନା ନିର୍ଦ୍ଦେଶକ ମନୋଜସାହୁ, ସନ୍ଧ୍ୟାରାଣୀ ଡାଏରୀର ନିର୍ଦ୍ଦେଶକ ଶକ୍ତିପ୍ରସାଦ ସାମନ୍ତ, ଗଞ୍ଜାମର ମମତା ଡାଏରୀର ନିର୍ଦ୍ଦେଶକ ବିମଲ କୁମାର ଚୌଧୁରୀ ଯୋଗ ଦେଇଥିଲେ।

“ଦୁଗ୍ଧ ଜାତୀୟ ଉତ୍ପାଦ ସାଧାରଣତଃ ଶୀଘ୍ର ନଷ୍ଟ ହୋଇଯାଏ। କିନ୍ତୁ ଏବେ ବୈଷୟିକ ଜ୍ଞାନ କୌଶଳ ବଳରେ ଏହାକୁ ଅଧିକ ଦିନ ସଂରକ୍ଷିତ କରି ରଖିହେଉଛି। ଆମକୁ ସବୁବେଳେ ଗ୍ରାହକଙ୍କ ଆବଶ୍ୟକତା ଓ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଦୁଗ୍ଧଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେଇ ଏହି ଉତ୍ପାଦଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବା ଆବଶ୍ୟକ। ଭାରତରେ ପ୍ରତିଦିନ ୫୦ କୋଟି ଲିଟର ଦୁଗ୍ଧ ଉତ୍ପାଦନ ହେଉଥିବା ବେଳେ ଓଡ଼ିଶାରେ ୬୦ ରୁ ୭୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି, ଯାହାକି ଜାତୀୟ ହାରର ମାତ୍ର ୧.୨୫ ପ୍ରତିଶତ ଏବଂ ଓଡ଼ିଶାରେ ଏହି ଉତ୍ପାଦଗୁଡିକର ମୂଲ୍ୟ କେବଳ ଗ୍ରାହକମାନଙ୍କ ଚାହିଦା ହିସାବରେ ନିର୍ଦ୍ଧାରଣ କରାଯାଇଥାଏ। ଯଦି ଓଡ଼ିଶାରେ ଚାଷୀମାନଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଏ ତେବେ ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରାଯାଇପାରିବ”, କହିଛନ୍ତି ଅମୁଲର ବରିଷ୍ଠ ଜେନେରାଲ ମ୍ୟାନେଜର ମନୋରଞ୍ଜନ ପାଣି ।BGU

ସେ ଆହୁରି ମଧ୍ୟ କହିଛନ୍ତି କି, ଆଜିର ପ୍ରତିଯୋଗିତା ବଜାରରେ ପ୍ରାୟ ସମସ୍ତ ଉଦ୍ୟୋଗ ଗୁଣବତା ମାନକକୁ ପ୍ରାଥମିକତା ଦେଉଛନ୍ତି, ମାତ୍ର ବର୍ତ୍ତମାନର ମହାମାରୀ ସମୟରେ ଗ୍ରାହକମାନଙ୍କୁ ସଠିକ୍ ସମୟରେ, ସଠିକ୍ ସ୍ଥାନରେ କିପରି ଦୁଗ୍ଧ ଜାତୀୟ ଉତ୍ପାଦ ଯୋଗାଯାଇପାରିବ ତାହା ପ୍ରାଥମିକତା ହେବା ଆବଶ୍ୟକ।

ଜଣେ ଦୁଗ୍ଧ ଚାଷୀ ଦୁଗ୍ଧ ବିକିବା ଅପେକ୍ଷା ଦୁଗ୍ଧ ଜାତୀୟ ଉତ୍ପାଦ ପ୍ରସ୍ତୁତ କରି ବିକ୍ରି କଲେ ଅଧିକ ଲାଭବାନ ହୋଇପାରିବ ବୋଲି ମମତା ଡାଏରୀର ନିର୍ଦ୍ଦେଶକ ବିମଲ କୁମାର ଚୌଧୁରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଜଣେ ଚାଷୀ କିପରି ଲାଭବାନ ହୋଇପାରିବେ ଏବଂ କି କି ସୁବିଧା ପାଇପାରିବ ସେ ନେଇ ମଧ୍ୟ ସେ ଆଲୋଚନା କରିଥିଲେ।

“ପ୍ରତିଟି ଉତ୍ପାଦର ପ୍ୟାକିଂ ଆଖିଦୃଶିଆ ହେବାର ଆବଶ୍ୟକତା ରହିଛି, ଏଥିସହ ଖାଦ୍ୟର ମାନ କିପରି ଖରାପ ନ ହେବ ତା ଉପରେ ଧ୍ୟାନ ଦେବାର ମଧ୍ୟ ଆବଶ୍ୟକତା ରହିଛି”, କହିଛନ୍ତି ଟେକ୍ନୋକମ ସଲ୍ୟୁସନର ପରିଚାଳନା ନିର୍ଦ୍ଦେଶକ ମନୋଜ ସାହୁ।

“ଆମେ ଯେତେବେଳେ କୌଣସି ବ୍ୟବସାୟ ଆରମ୍ଭ କରିଥାଉ, ପ୍ରଥମେ ଆମେ ବଜାର ଚାହିଦା, ଆବଶ୍ୟକତା ଆଦିକୁ ଧ୍ୟାନ ଦେବା ସହିତ ଉତ୍ପାଦର ଗୁଣବତାକୁ ବଜାୟ ରଖିବା ଆବଶ୍ୟକ। ଯେଉଁଠି ସ୍କୋପ କମ୍ ଥାଏ ସେଠାରେ ସୁଯୋଗ ମଧ୍ୟ ଅଧିକ ଥାଏ”, ସନ୍ଧ୍ୟାରାଣୀ ଡାଏରୀର ନିର୍ଦ୍ଦେଶକ ଶକ୍ତିପ୍ରସାଦ ସାମନ୍ତ କହିଛନ୍ତି।

ଆଲୋଚନା ଶେଷରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ମୁଖ୍ୟବକ୍ତା ଏବଂ ଅନ୍ୟ ଅତିଥିମାନେ ଅଂଶଗ୍ରହଣକାରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ମିଲ୍କ ମନ୍ତ୍ରାର ପ୍ରଡକ୍ସନ ମ୍ୟାନେଜର ବିଶ୍ୱଜିତ ଆଚାର୍ଯ୍ୟ ଏବଂ ଆଇଟି ଏବଂ ଆଗ୍ରୋ ବିଶେଷଜ୍ଞ ମନୋଜ କର ଏହି ଆଲେଚନା ଚକ୍ରର ମଡରେଟର ଭାବେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here