ଓଡ଼ିଶାଲାଇଭ୍‍ ବ୍ୟୁରୋ

ଗୁଜୁରାଟ ମିଲ୍‌କ ମାର୍କେଟିଂ ଫେଡେରେସନ ବା ଅମୁଲ ପକ୍ଷରୁ ଓଡ଼ିଶାରେ ଡାଏରି କ୍ଷେତ୍ରରେ ୨୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ଦିଲ୍ଲୀରେ ଚାଲିଥିବା ବିଶ୍ଵ ଖାଦ୍ୟ ଉତ୍ସବରେ ଏହା ଘୋଷଣା କରାଯାଇଛି।

ଦିଲ୍ଲୀରେ ଚାଲିଥିବା ୱାର୍ଲ୍‌ଡ୍‌ ଫୁଡ୍ ଫେଷ୍ଟିଭାଲରେ ଓଡ଼ିଶା ଏକ ଫୋକସ୍ ରାଜ୍ୟ ହୋଇଛି। ଯଦି ଏହି ବିନିଯୋଗ ହେବ ତାହା ହେଲେ ଅମୁଲ ପାଇଁ ଓଡିଶା ହେବ ଦ୍ୱିତୀୟ ବଡ଼ ବଜାର।

‘ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ସମ୍ଭାବନା’ ଉପରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗଦେଇ କମ୍ପାନୀର ଏମଡିଆର ଏସ ସୋଧି କହିଲେ ଯେ ଓଡ଼ିଶାରେ କ୍ଷୀରର ଚାହିଦା ଓ ଯୋଗାଣ ଭିତରେ ଢେର ଅନ୍ତର ଅଛି ଓ ଦୈନିକ ୩୦ ଲକ୍ଷ ଲିଟର କ୍ଷୀର ନିଅଣ୍ଟ ପଡ଼ୁଛି।
ଅମୁଲ ବ୍ୟତୀତ ଆହୁରି ଅନେକ କମ୍ପାନି ଓଡ଼ିଶାରେ  ବ୍ୟବସାୟ କରିବା ପାଇଁ ଆଗ୍ରହୀ। ଇଣ୍ଡୋ-ନିସିନ ଫୁଡ୍ ପକ୍ଷରୁ କୁହାଯାଇଛି ଯେ ସେମାନେ ତାଙ୍କ ଉତ୍ପାଦନ ବୃଦ୍ଧି କରିବାକୁ ଯାଉଛନ୍ତି। ଏବେ କମ୍ପାନୀର ଦୈନିକ ଉତ୍ପାଦନ କ୍ଷମତା ୧୨ ଟନ।

ସେହିଭଳି କେଭେଣ୍ଟର ଆଗ୍ରୋ ମକା ପ୍ରକ୍ରିୟାକରଣ ଓ କଦଳୀ ଚାଷ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ତା’ ଛଡ଼ା ସେମାନେ ଏକ ଖାଦ୍ୟ ପ୍ରକ୍ରିୟାକରଣ ଲ୍ୟାବ୍ ମଧ୍ୟ ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ଇଛୁକ।

ଟାଟା  ଗ୍ଲୋବାଲ ବିଭରେଜ୍ ମଧ୍ୟ ଓଡ଼ିଶାରେ ତାଙ୍କର ନୂଆ ବ୍ୟବସାୟ  ପାଇଁ ଆଗ୍ରହୀ। ୨୦ ଏକର ଜମିରେ ୪୦ କୋଟି ଖର୍ଚ୍ଚରେ ଟାଟା ପକ୍ଷରୁ ଏକ ଚା’ ପ୍ୟାକେଜିଂ ୟୁନିଟ ପ୍ରତିଷ୍ଠା କରାଯିବ। ଏଥିରେ ୪୦୦ ଲୋକ ନିଯୁକ୍ତି ପାଇବେ। ପାରାଦୀପ  ନିକଟରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ପାଇଁ ଏଜିଟି ଫୁଡ୍ ଓ ତାଙ୍କ କାନାଡା ପ୍ରୋମୋଟର ଆଗ୍ରହୀ। ଏଥିପାଇଁ ୨୫୦ କୋଟି ଟଙ୍କା ବିନିଯୋଗ ହେବ।

ଏମଏସଏମଇ ସଚିବ ଏଲ ଏନ ଗୁପ୍ତା କହନ୍ତି,“ୱାର୍ଲ୍‌ଡ୍‌ ଫୁଡ୍ ଇଣ୍ଡିଆ ଏକ୍ସପୋରେ ଓଡ଼ିଶା ଉପରେ ସମସ୍ତଙ୍କ ନଜର ରହିଥିଲା। ଉଭୟ ଜାତୀୟ ଓ ଆନ୍ତର୍ଜାତିକ ସମୂହ ଓଡ଼ିଶାରେ ବେଶ୍ ପରିମାଣର ପୁଞ୍ଜିନିବେଶ କରିବା ପାଇଁ ଯାଉଛନ୍ତି।”

ଏହି ପ୍ରଦର୍ଶନୀରେ ଓଡ଼ିଶାର ପ୍ରାୟ ୨୫ଟି ଆଗଧାଡିର ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନି ଭାଗ ନେଇଥିଲେ। ଏକ୍ସପୋ ରବିବାର ଦିନ ଶେଷ ହୋଇଛି।

 

 

 

 

Comment