ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସାଧାରଣ ଜନତା, ସେଲିବ୍ରିଟିଙ୍କ ପରେ ଏବେ କରୋନା କବଳରେ ନେତା।

କରୋନା ମହାମାରୀ କବଳରୁ କେହି ବି ବାଦ୍‌ ପଡ଼ି ନାହାନ୍ତି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନା ଜାଲରେ ପଡ଼ିଥିବା ବେଳେ ଏବେ ଜଣକ ପରେ ଜଣେ ନେତା କରୋନା ଶିକାର ହେଉଛନ୍ତି। ଜାତୀୟ ସ୍ତରରେ ବହୁ ହେଭିୱେଟ୍‌ ନେତା କରୋନା କବଳରେ ପଡ଼ିବା ପରେ ଓଡ଼ିଶାରେ ଏବେ ଏହି ତାଲିକା ଲମ୍ବି ଚାଲିଛି। ବର୍ତ୍ତମାନସୁଦ୍ଧା ଓଡ଼ିଶାରୁ ୭ ବିଧାୟକ, ଜଣେ ସାଂସଦ ଏବଂ ୨ ଜଣ ନିଗମ ଅଧ୍ୟକ୍ଷ କରୋନା ଆକ୍ରାନ୍ତ ହୋଇଛନ୍ତି।

BGUନୀଳଗିରି ବିଧାୟକଙ୍କୁ ପ୍ରଥମେ କରୋନା

ଓଡ଼ିଶାର ପ୍ରଥମ ବିଧାୟକ ଭାବେ କରୋନା ଆକ୍ରାନ୍ତ ହୋଇଥିଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଜୁଲାଇ ୬ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଅନ୍ୟ ନେତା ଓ କର୍ମୀମାନେ ଚିନ୍ତାରେ ପଡ଼ିଥିଲେ। ବିଶେଷକରି ତାଙ୍କ ନିର୍ବାଚନମଣ୍ଡଳୀର ବହୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ଏହାପରେ ବିଧାୟକଙ୍କୁ କୋଭିଡ୍‌ ହସ୍ପିଟାଲ ପଠାଯାଇଥିଲା।

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ନୀଳଗିରି ବିଧାୟକଙ୍କୁ କରୋନା ହୋଇଥିବା ଜଣାପଡ଼ିବା ପରେ ବିଧାନସଭାରେ ବିଭିନ୍ନ କମିଟିର ସବୁ ପ୍ରକାର ବୈଠକକୁ ବାତିଲ କରିଦେଇଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଅନ୍ୟପକ୍ଷରେ ଜଟଣୀ ବିଧାୟକ ସୁର ରାଉତରାୟ ଦାବି କରିଥିଲେ ଯେ ବିଧାୟକମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀର କର୍ମୀଙ୍କୁ ଭେଟିବା ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡୁଥିବାରୁ ସେମାନଙ୍କ ପାଇଁ କରୋନାଜନିତ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଉ।

Coronavirus blood testକରୋନା ଜାଲରେ ଧର୍ମେନ୍ଦ୍ର ପ୍ରଧାନ ଓ ସୁରେଶ ପୂଜାରୀ

ସୁକାନ୍ତ ନାୟକଙ୍କ ପରେ କରୋନା ଭୂତାଣୁ ଓଡ଼ିଶାର ଆହୁରି ଅନେକ ନେତାଙ୍କୁ ସଂକ୍ରମିତ କରିଛି। ସୁକାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ରେମୁଣାର ବିଜେଡି ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ସାଲେପୁରର ବିଜେଡି ବିଧାୟକ ପ୍ରଶାନ୍ତ ବେହେରା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେ ପୋଲସରାର ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମଧ୍ୟ କରୋନା ଭୂତାଣୁ ସଂକ୍ରମିତ କରିଥିଲା। ଅଗଷ୍ଟ ୪ରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ୍ ଚିହ୍ନଟ ହୋଇ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅଗଷ୍ଟ ୮ରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ମଧ୍ୟ କରୋନା ଦ୍ୱାରା କବଳିତ ହୋଇଥିଲେ। ଏନେଇ ସଂପୃକ୍ତ ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ନିଜ ତରଫରୁ ସୂଚନା ଦେଇଥିଲେ। ଏହାସହ ଯେଉଁମାନେ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥିଲେ।

ରାଜ୍ୟର ପ୍ରଥମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କରୋନା

ବିଧାୟକଙ୍କ ପରେ ମନ୍ତ୍ରୀଙ୍କୁ କାବୁ କରିଥିଲା କରୋନା ଭୂତାଣୁ। ଓଡ଼ିଶାର ପ୍ରଥମ ମନ୍ତ୍ରୀ ଭାବେ ଭଟ୍‌ଲି ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଶ୍ରମ  ଓ କର୍ମଚାରୀ ବୀମା ମନ୍ତ୍ରୀ ସୁଶାନ୍ତ ସିଂଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ଅନ୍ୟପକ୍ଷରେ ନିଜର ଜଣେ ପାଖଲୋକ କରୋନା ସଂକ୍ରମିତ ହେବା ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ହୋମ ଆଇସୋଲେସନରେ ରହିଥିଲେ।

ବିଜେଡିର ୬ ବିଧାୟକ ଓ ବିଜେପିର ୪ ନେତାଙ୍କୁ କରୋନା

ଓଡ଼ିଶାରେ କରୋନା ଆକ୍ରାନ୍ତ ନେତାଙ୍କ ତାଲିକା ଧୀରେଧୀରେ ବଢ଼ିବାରେ ଲାଗିଛି। ଏହି ତଲିକାରେ ବିଜେଡିର ୬ ବିଧାୟକ, ବିଜେପିର ୪ ନେତା ଅଛନ୍ତି। ବିଜେଡି ତାଲିକାରେ ଅଛନ୍ତି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଖଣ୍ଡପଡ଼ା ବିଧାୟକ ସୌମ୍ୟରନ ପଟ୍ଟନାୟକ, ଭଟ୍‌ଲି ବିଧାୟକ ସୁଶାନ୍ତ ସିଂ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା।

ସେହିପରି ଦୁଇ ଜଣ ନିଗମ ଅଧ୍ୟକ୍ଷ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଅଧ୍ୟକ୍ଷା ତଥା ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ।

ବିଜେପି ନେତାଙ୍କ ଭିତରେ ଅଛନ୍ତି ବିଧାୟକ ସୁକାନ୍ତ ନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସୁରେଶ ପୂଜାରୀ।

ଓଡ଼ିଶାରେ ଓଡ଼ିଆ ନେତା କରୋନା କବଳରେ ପଡ଼ିବାର ବହୁ ପୂର୍ବରୁ ମେ’ ୨୮ରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କଠାରେ କରୋନା ଲକ୍ଷଣ ଦେଖାଯିବା ପରେ ସେ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

Comment