ଓଡ଼ିଶାଲାଇଭ୍ ବ୍ୟୁରୋ
ତୂଳୀକୁ ତରବାରିର ସ୍ଥାନ ଦେଇଥିଲେ ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା।ତାଙ୍କ ତୂଳୀରେ ଜୀବନ୍ତ ହୋଇ ଉଠୁଥିଲା ଚିତ୍ର।
ଓଡ଼ିଆ କଳା ଜଗତର ପ୍ରଥମ କଳା-ଶିଳ୍ପୀଭାବେ ପରିଚିତ ଶିଳ୍ପୀଗୁରୁ ବିମ୍ଵାଧର ବର୍ମା। ୧୯୦୧ ମସିହା ଅଗଷ୍ଟ ୨୧ ଅର୍ଥାତ୍ ଆଜିର ଦିନରେ କଟକ ଜିଲ୍ଲା କୁସୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରାରେ ଜଣେ ଚିତ୍ରଶିଳ୍ପୀ, ମୃଣ୍ମୟ ପ୍ରତିମା ଶିଳ୍ପୀ, କବି ଏବଂ ଲେଖକ ଥିଲେ।
ପ୍ରାକ୍ ସ୍ଵାଧୀନତା କାଳରୁ ନିଜର ଅନନ୍ୟ ପ୍ରତିଭା ନେଇ ଓଡ଼ିଆ କଳା ଜଗତରେ ସେ ରଚିଯାଇଛନ୍ତି ଅନେକ ସୁବର୍ଣ୍ଣ କୀର୍ତ୍ତିମାନ। ଏଥିପାଇଁ ତାଙ୍କୁ ଓଡ଼ିଶାର ପ୍ରଥମ କଳା-ଶିଳ୍ପୀର ମାନ୍ୟତା ଦିଆଯାଇଛି।
ମନର କଳ୍ପନାରୁ ସେ ସୃଷ୍ଟି କରିପାରୁଥିଲେ ଚିତ୍ର। ଏଣୁ କେହି କେହି ତାଙ୍କୁ କଳ୍ପନା-ବିଳାସୀ ଚିତ୍ରକର ମଧ୍ୟ କୁହନ୍ତି। ତାଙ୍କ ଚିତ୍ରକଳାକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ବାସ୍ତବଧର୍ମୀ ଏବଂ କଳ୍ପନା ଧର୍ମୀ। ଗୋଧୂଳି, ପ୍ରସାଧନ, ପଲ୍ଲୀବଧୂ, ରାଗିଣୀ, ନବବଧୂର ପ୍ରସାଧନ, ଗୋପିକା ଆଦି ତାଙ୍କର ବାସ୍ତବଧର୍ମୀ ଚିତ୍ରକଳା। ସେହିପରି ଶକୁନ୍ତଳା, ମେଘଦୂତ, ଲାବଣ୍ୟବତୀ, ଦେବଦାସୀ ଆଦି ତାଙ୍କ କଳ୍ପନା ବିଳାସରୁ ସୃଷ୍ଟ ଚିତ୍ର।
ପିଲାଟି ବେଳୁ କଳା ପ୍ରତି ଥିଲା ତାଙ୍କର ଦୁର୍ବଳତା। ସେ ଆନୁଷ୍ଠାନିକ ଭାବେ କଳା କ୍ଷେତ୍ରରେ କୌଣସି ଶିକ୍ଷା ଗ୍ରହଣ କରିନଥିଲେ। ମାତ୍ର କଳା-ଶିଳ୍ପ ପାଇଁ ତାଙ୍କ ମନରେ ରହିଥିବା ଅଦମ୍ୟ ଇଚ୍ଛା ଏବଂ କଠୋର ସାଧନା ତାଙ୍କୁ ପରବର୍ତ୍ତୀ ସମୟରେ କଳା ଜଗତରେ ବିଶ୍ଵକର୍ମା ସଜାଇ ଦେଇଥିଲା।
ମାଟିରେ ଅନେକ ମହାପୁରୁଷଙ୍କ ମୃଣ୍ମୟ ପ୍ରତିମା ଗଢ଼ି ସେ ପ୍ରଶଂସିତ ମଧ୍ୟ ହୋଇଛନ୍ତି। କଳାକୁ ନିଜ ଜୀବନର ବ୍ରତ କରି ସେ ଆଜୀବନ ଅବିବାହିତ ରହିଥିଲେ। ପିତା, ମାତା, ଭାଇ ସଭିଁଙ୍କୁ ହରାଇ ସେ ଏକା କଳାକୁ ଆପଣାଇ ନିସଙ୍ଗଭାବେ ଜିଇଁଥିଲେ। କଳା ହିଁ ଥିଲା ତାଙ୍କର ଏକମାତ୍ର ପ୍ରେମ। ଦାରିଦ୍ର୍ୟ କାରଣରୁ ଶିକ୍ଷାରୁ ବି ସେ ବଞ୍ଚିତ ହୋଇଥିଲେ। ଫଳରେ ବହୁ ବାଧା ବିଘ୍ନ ଦେଇ ସେ ଜୀବନ କାଟିଥିଲେ। କଳା-ଶିଳ୍ପ ବାଦ୍ ସେ ଲେଖାଲେଖିରେ ମଧ୍ୟ ରୁଚି ରଖୁଥିଲେ। ‘ପତିପତ୍ନୀ’ ତାଙ୍କର ଏକ ଲୋକପ୍ରିୟ ଉପନ୍ୟାସ। ୨୩ ଡିସେମ୍ଵର ୧୯୫୩ ମସିହାରେ ତାଙ୍କର ପରଲୋକ ହୋଇଥିଲା।