ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଓଡ଼ିଶା ଲଳିତକଳା ଏକାଡେମୀର ପୂର୍ବତନ ସଭାପତି ଶିବ ପାଣିଗ୍ରାହୀଙ୍କ ପରଲୋକ ହୋଇଛି। ସୋମବାର କଟକ ସିଡିଏସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିବା ନେଇ ତାଙ୍କ ପୁଅ ରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା।

ଶିବ ପାଣିଗ୍ରାହୀ ଓଡ଼ିଶା ଲଳିତ କଳା କ୍ଷେତ୍ରରେ ଜଣେ ସୁପରିଚିତ ଚିତ୍ରଶିଳ୍ପୀ ଭାବେ ବେଶ୍ ପରିଚିତ ଥିଲେ। ୧୯୬୨ରେ ଖଲ୍ଲିକୋଟର ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ଚିତ୍ରକଳାରେ ଉପାଧି ହାସଲ କରିଥିଲେ ଶ୍ରୀ ପାଣିଗ୍ରାହୀ। ପରବର୍ତ୍ତୀ ସମୟରେ ସେ ବିଶ୍ଵଭାରତୀ ଶାନ୍ତି ନିକେତନରୁ ଉଚ୍ଚତର ଶିକ୍ଷା ଏବଂ ପ୍ରଶିକ୍ଷଣ ଲାଭ କରିଥିଲେ। ଏହାପରେ ଭୁବନେଶ୍ଵରସ୍ଥିତ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଚିତ୍ରକଳା ବିଭାଗର ମୁଖ୍ୟ ଭାବେ ସେ ଅଧ୍ୟାପନା ଦାୟିତ୍ଵ ତୁଲାଇଥିଲେ।ଚିତ୍ରକଳା ପ୍ରତି ସମର୍ପିତ ଏହି ଶିଳ୍ପୀଙ୍କର ଜନ୍ମ ୧୯୪୩ ମସିହା ମାର୍ଚ୍ଚ ପହିଲାରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣାରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଥିଲା କେଦାରନାଥ ପାଣିଗ୍ରାହୀ ଏବଂ ମାଙ୍କ ନାମ କ୍ଷେତ୍ରମଣି ପାଣିଗ୍ରାହୀ। ପିଲାବେଳୁ ମୟୂରଭଞ୍ଜ ଛଉ ନୃତ୍ୟରେ ବ୍ୟବହୃତ କଳା କାରିଗରୀ ଦେଖି ବିଭିନ୍ନ ଦେବଦେବୀଙ୍କ ଚିତ୍ର ଆଙ୍କୁଥିଲେ ଶ୍ରୀ ପାଣିଗ୍ରାହୀ। ଏହିଠାରୁ ହିଁ ତାଙ୍କର ଚିତ୍ର ଆଙ୍କିବାର ମୂଳଦୁଆ ପଡ଼ିଥିଲା। ସୂକ୍ଷ୍ମ ଚିତ୍ରକଳା ସହିତ ଶତାଧିକ ପୁସ୍ତକର ପ୍ରଚ୍ଛଦ ରଚନା ଓ ଚିତ୍ର ସଂଯୋଜନା କରି ଓଡ଼ିଆ ଭାଷା ଏବଂ ସାହିତ୍ୟ କ୍ଷେତ୍ରକୁ ତାଙ୍କର ଅନେକ ଅବଦାନ ରହିଛି।

ଦୀର୍ଘ ବର୍ଷର କଳା ସାଧନା ମଧ୍ୟରେ ଶିଳ୍ପୀ ପାଣିଗ୍ରାହୀ ହୋଇପାରିଥିଲେ ଅଜସ୍ର ପୁରସ୍କାରର ବିଜେତା। ଯାହା ମଧ୍ୟରେ ରହିଛି ଓଡ଼ିଶା ଲଳିତକଳା ଏକାଡେମୀ ପୁରସ୍କାର ଏବଂ ଜାତୀୟ ଲଳିତକଳା ଏକାଡେମୀ ପୁରସ୍କାର। ୧୯୭୨ ମସିହାରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଜ୍ୟର ଶ୍ରେଷ୍ଠ ଚିତ୍ରକର ସମ୍ମାନ ମିଳିଥିଲା। ସେହିପରି ହାଇଦ୍ରାବାଦ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ସର୍ବଭାରତୀୟ ସମ୍ମାନ ପାଇଥିଲେ। ୧୯୭୮ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇ ସେ ଓଡ଼ିଶା ପାଇଁ ଗୌରବ ସାଉଁଟିଥିଲେ।

୧୯୮୯ରେ ଭୁବନେଶ୍ୱରରେ ଆୟୋଜିତ ଦ୍ଵିତୀୟ ସର୍ବଭାରତୀୟ ଚିତ୍ରଶିଳ୍ପୀ ଶିବିରର ଆବାହକ ଦାୟିତ୍ୱ ନିର୍ବାହ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ଶ୍ରୀ ପାଣିଗ୍ରାହୀ। ୧୯୯୨ ମସିହାରେ ଭୁବନେଶ୍ୱରରେ ‘୩୭ ଇୟର୍ସ ଅଫ୍ ଆର୍ଟ’ ଆୟୋଜନ କରିବା ସହିତ ବିପୁଳ ପ୍ରଶଂସାର ଅଧିକାରୀ ହୋଇଥିଲେ। ଜଣେ ସଫଳ ତଥା ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ଭାବେ ଗୌରବ ଅର୍ଜନ କରିଥିବାରୁ ୨୦୧୩ ମସିହାରେ ତାଙ୍କୁ ଓଡ଼ିଶା ଲଳିତ କଳା ଏକାଡେ଼ମୀର ସଭାପତି ଦାୟିତ୍ୱ ମିଳିଥିଲା। ୨୦୧୫ ମସିହା ପର୍ଯ୍ୟନ୍ତ ସଭାପତି ଭୂମିକାରେ ରହି ଚିତ୍ରକଳାର ବିକାଶ ଦିଗରେ କାର୍ଯ୍ୟ କରିଥିଲେ ଶିବ ପାଣିଗ୍ରାହୀ । ଆଜି ତାଙ୍କ ପରଲୋକରେ ଓଡ଼ିଶା ଏକ ମହାନ୍ ଶିଳ୍ପୀଙ୍କୁ ହରାଇଛି।

Comment