କପିଳାସ ଭୂୟାଁ

ଶିବ ପାଣିଗ୍ରାହୀ। ଓଡ଼ିଶାର ଚିତ୍ରକଳା ଜଗତରେ ଏକ ଅପ୍ରତିହତ ନାମ। ତାଙ୍କ ବାହାର ଆକାଶ ଯେତିକି ପ୍ରଶସ୍ତ, ଭିତରର ଆକାଶ ସେତିକି ସ୍ୱପ୍ନିଳ। ସେଥିପାଇଁ ତ ‘ଡ୍ରିମ୍ ଇନ୍ ଦ ସ୍କାଏ’ ତାଙ୍କର ସୁବିଖ୍ୟାତ ଚିତ୍ରକଳା ସିରିଜ୍।

ପ୍ରାୟ ପଚାଶ ବର୍ଷ ତଳେ ମୋର ଶୈଶବର ସ୍ମୃତିରେ ଶିବ ପାଣିଗ୍ରାହୀ ହେଉଛନ୍ତି ସର୍ବାଧିକ ଜାଜ୍ଜୁଲ୍ୟମାନ ପ୍ରତିଭା। ୧୯୭୦ ଦଶକରେ ସ୍କୁଲ ପାଠ ପଢ଼ା ବେଳେ ‘ମୋ ଦେଶ’ ଓ ‘ମନ ପବନ’ ପରି ଶିଶୁ ପତ୍ରିକାରେ ପ୍ରଚ୍ଛଦ ଚିତ୍ରରେ ତାଙ୍କର ଉପସ୍ଥିତି ଏବେ ବି ମୋର ସ୍ପଷ୍ଟ ମନେ ଅଛି। ସେହି ସବୁ ଶିଶୁ ପତ୍ରିକାର ପ୍ରଚ୍ଛଦ ଚିତ୍ରର ନିମ୍ନ ଭାଗର ଗୋଟିଏ କୋଣରେ ରହିଥାଏ ଗୋଟିଏ ତୂଳୀ ବାକ୍ସ ଓ ପ୍ୟାଲେଟ୍, ତା’ ପାଖରେ ଛୋଟ ହରଫରେ ହାତ ଲେଖାରେ ଲେଖା ଥାଏ ‘ଶିବ ପାଣିଗ୍ରାହୀ’। ସେହି ସବୁ ପତ୍ରିକାର ପ୍ରଚ୍ଛଦ ବାରମ୍ବାର ଦେଖିବା ଭିତରେ ଶିବ ପାଣିଗ୍ରାହୀ ଥିଲେ ମୋ ପାଇଁ ପୃଥିବୀର ଶ୍ରେଷ୍ଠ ଚିତ୍ରଶିଳ୍ପୀ।

ପରବର୍ତ୍ତୀ ସମୟରେ ତାଙ୍କ ସହ ସାକ୍ଷାତ ହେଲାବେଳକୁ ସେ ରହିଥାନ୍ତି ବି.କେ. କଲେଜ ଅଫ୍ ଆର୍ଟ ଏଣ୍ଡ କ୍ରାଫ୍ଟସ୍‌ର ପେଣ୍ଟିଂ ବିଭାଗର ମୁଖ୍ୟ ଅଧ୍ୟାପକ। ମୁଣ୍ଡର ରଙ୍ଗକରା ବାବୁରି ବାଳ ଓ ନିଶ କଳା ମୁଚ୍‌ମୁଚ୍‌ ତଥା ପରିଧାନରେ ଜୋତା ଓ ଜିନ୍ସ ଉପରେ କୁର୍ତ୍ତା ତାଙ୍କ ଯୁବ ସୁଲଭ ଉଦ୍ଦୀପନାର ପରିଚୟ ଦିଏ। କଥାବାର୍ତ୍ତା ବି ସେହିଭଳି ଯୁବସୁଲଭ। ମୋଟାମୋଟି ତାଙ୍କର ବେଶ ପରିପାଟି ଓ ବ୍ୟକ୍ତିତ୍ୱ ବେଶ୍ ମାର୍ଜିତ ଓ ଷ୍ଟାଇଲିସ୍।

ଠିକ୍ ସେହିଭଳି ତାଙ୍କ ଚିତ୍ରକଳାରେ ମଧ୍ୟ ରହିଛି ସ୍ୱତନ୍ତ୍ର ଷ୍ଟାଇଲ୍। ଓଡ଼ିଶାରେ ଆଧୁନିକ ଚିତ୍ରକଳା ପ୍ରସ୍ତୁତି ଓ ପ୍ରସାର କ୍ଷେତ୍ରରେ ପ୍ରଥମ ପିଢ଼ିର ଯେଉଁ ଚିତ୍ରଶିଳ୍ପୀମାନେ ସେମାନଙ୍କ ସ୍ୱତନ୍ତ୍ର ଆବେଦନ ଛାଡ଼ି ଦେଇଯାଇଛନ୍ତି, ସେମାନଙ୍କ ମଧ୍ୟରୁ ଶିବ ପାଣିଗ୍ରାହୀ ଅନ୍ୟତମ।

ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିକଟବର୍ତ୍ତୀ କୁଳିଅଣାଠାରେ ୧୯୪୩ରେ ତାଙ୍କର ଜନ୍ମ। ଶୈଶବରେ ବାପା ମା’ ଛେଉଣ୍ଡ ହୋଇ ଅଭାବ ଓ ଅନଟନ ଭିତରେ ବଡ଼ ହୋଇଥିଲେ ବି ଶିବ ପାଣିଗ୍ରାହୀଙ୍କ ମନରେ ଚିତ୍ରକଳା ପ୍ରତି ରହିଥିଲା ଗଭୀର ଆକର୍ଷଣ। ମୟୂରଭଞ୍ଜ ଛଉ ନୃତ୍ୟର ବର୍ଣ୍ଣାଢ଼୍ୟ ବିଭବ ଓ ସ୍ଥାନୀୟ ଆଦିବାସୀମାନଙ୍କ ଜୀବନଯାପନ ପ୍ରଣାଳୀ ତାଙ୍କୁ ବେଶ୍ ପ୍ରଭାବିତ ମଧ୍ୟ କରିଥିଲା।

ଚିତ୍ରକଳା ପ୍ରତି ଥିବା ତାଙ୍କ ଅନ୍ତରର ଅଦମ୍ୟ ଆକର୍ଷଣ ଫଳରେ ସେ ଖଲ୍ଲିକୋଟସ୍ଥିତ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟରେ ୧୯୫୮ରୁ ୧୯୬୨ ପର୍ଯ୍ୟନ୍ତ ଚାରି ବର୍ଷ ପାଇଁ ଚିତ୍ରକଳା ବିଭାଗରେ ଅଧ୍ୟୟନ କଲେ ଏବଂ ଅଧ୍ୟୟନ କରିବା ସମୟରେ ହିଁ ୧୯୬୦ମସିହାରେ ରାଜ୍ୟ ଲଳିତ କଳା ଏକାଡେମୀ ପୁରସ୍କାର ଲାଭ କଲେ। ପରବର୍ତ୍ତୀ ସମୟରେ ୧୯୬୪ ଓ ୧୯୭୨ରେ ମଧ୍ୟ ସେ ଆଉ ୨ ଥର ଏହି ପୁରସ୍କାର ପାଇବାର ସୌଭାଗ୍ୟ ଲାଭ କଲେ।

ଶାରୀରିକ ଅସୁସ୍ଥତା କାରଣରୁ ଗତ ଗୋଟିଏ ଦଶକକୁ ଛାଡ଼ି ଦେଲେ ବିଗତ ୫୦ ବର୍ଷ ଭିତରେ ଓଡ଼ିଶାର ସମସାମୟିକ ଚିତ୍ରକଳା କ୍ଷେତ୍ରରେ ତାଙ୍କର ଥିଲା ଏକ ସ୍ୱତନ୍ତ୍ର ପରିଚୟ। ରଙ୍ଗ ବ୍ୟବହାର କ୍ଷେତ୍ରରେ ଏକାଧିକ ଆସ୍ତରଣ ସୃଷ୍ଟି କରିପାରୁଥିବାରୁ ତାଙ୍କ ଚିତ୍ରକଳାଗୁଡ଼ିକ ସହସା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରେ। ଆଦିବାସୀ ଓ ଲୋକକଳା ଆଧାରରେ ଅତି ସରଳ ଓ ସାବଲୀଳ ଢଙ୍ଗରେ ଅଙ୍କନ କରିବା ବ୍ୟତୀତ ରଙ୍ଗ ଆସ୍ତରଣରେ ସ୍ୱତନ୍ତ୍ର ଭାଷା ସୃଷ୍ଟି କରିବାରେ ତାଙ୍କର ଦକ୍ଷତା ଅତୁଳନୀୟ।

‘‘ଶିବ ବାବୁ ହେଉଛନ୍ତି ସମକାଳୀନ ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ୱର ଓ ତାଙ୍କ ଚିତ୍ରକଳାର ଶୈଳୀ ଅତି ଆକର୍ଷଣୀୟ। ତାଙ୍କର ବିୟୋଗ ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି’’, ସ୍ମୃତି ବିଜଡ଼ିତ ସ୍ୱରରେ କହନ୍ତି ବରିଷ୍ଠ ଚିତ୍ରଶିଳ୍ପୀ ରାମହରି ଜେନା।

‘ଡ୍ରିମ୍ ଇନ୍ ଦ ସ୍କାଏ’ ସିରିଜରେ ଶିବ ପାଣିଗ୍ରାହୀ ସୃଷ୍ଟି କରିଯାଇଛନ୍ତି ଶତାଧିକ ଚିତ୍ରକଳା। ଆକାଶ ଛାତିରେ ପ୍ରତିନିୟତ ବଦଳୁଥିବା ଭସା ବାଦଲଗୁଡ଼ିକର ଅଦ୍ଭୂତ ଦୃଶ୍ୟ ରୂପକୁ ତାଙ୍କ କଳ୍ପନାରେ ବାନ୍ଧି ରଖିବାକୁ ଯାଇ ସେ ସୃଷ୍ଟି କରିଥିବା ଏହି ସିରିଜ୍‌ର ଚିତ୍ରକଳାଗୁଡ଼ିକ ଓଡ଼ିଶାର ଚିତ୍ରକଳା ଜଗତକୁ ତାଙ୍କର ଅନବଦ୍ୟ ଅବଦାନ।

ତେବେ ‘ଡ୍ରିମ୍ ଇନ୍ ଦ ସ୍କାଏ’ର ଆକାଶ ଓ ତହିଁରେ ପ୍ରତିଭାତ ରୂପକଳ୍ପ କ’ଣ ତାଙ୍କ ବାହାରର ଆକାଶର ରୂପାଙ୍କନ? ନା, ଏହା ତାଙ୍କ ମନ ଭିତରର ଆକାଶ ପରି ସମ୍ପ୍ରସାରିତ ପଟ୍ଟଭୂମି ଓ ତହିଁରେ ତାଙ୍କର ମନଭିତରେ ଆତଯାତ ହେଉଥିବା ସ୍ୱପ୍ନିଳ ରୂପକଳ୍ପ!!

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

Comment