ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ମାତ୍ରାଧିକ ଖରା ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ମଙ୍ଗଳବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ଵର। ଏଠାରେ ଦିନ ୨ଟା ୩୦ ସୁଦ୍ଧା ସର୍ବାଧିକ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆହୁରି ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବାର ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ମଙ୍ଗଳବାର ସକାଳୁ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ପାର କରିଥିଲା। ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିବା ସହ ଚାନ୍ଦବାଲିରେ ୪୦.୪ ଡିଗ୍ରୀ ଏବଂ ବାଲେଶ୍ଵରରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

ସେହିପରି ଝାରସୁଗୁଡାରେ ୩୯.୫ ଡିଗ୍ରୀ, ପାରାଦୀପରେ ୩୮.୮ ଡିଗ୍ରୀ, ରାଉରକେଲାରେ ୩୭.୯ ଡିଗ୍ରୀ, କେନ୍ଦୁଝରରେ ୩୭.୮ ଡିଗ୍ରୀ ଏବଂ ସମ୍ବଲପୁରରେ ୩୭.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।  

ଅନ୍ୟପଟେ ଏପ୍ରିଲ ୨୬ ଓ ୨୭ ତାରିଖରେ ରାଜ୍ୟର ବିଭିନ୍ନ ସହରରେ ହିଟୱେଭର ସ୍ଥିତି ଗମ୍ଭୀର ହେବ ବୋଲି ଆକଳନ କରାଯାଇଛି। ଏପ୍ରିଲ ୨୬ରେ ସିଭିୟର୍ ହିଟୱେଭ୍ ନେଇ ୧୧ଟି ଜିଲ୍ଲାକୁ ଏବଂ ଏପ୍ରିଲ ୨୭ରେ ୧୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। କିଛି ସ୍ଥାନରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି।

ଏବେ ଓଡ଼ିଶାକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ ସହ ତାପମାତ୍ରା ବଢ଼ୁଥିବା ଦେଖିବାକୁ ମିଳୁଛି। ହେଲେ ଉପକୂଳବର୍ତ୍ତୀ ଜିଲ୍ଲାରେ ଆର୍ଦ୍ରତା ରହିବାରୁ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Tags: #HeatWave #Summer #Weather #MCBBSR #Odisha

Comment