ଓଡିଶାଲାଇଭ୍ ବ୍ୟୁରୋ

କଟକ: ମଦ ଦୋକାନ ଲାଇସେନ୍ସର ନବୀକରଣ କିମ୍ବା ନୂଆ ମଦ ଦୋକାନ ଲାଇସେନ୍ସ ପାଇଁ ଆବଶ୍ୟକ ପଡ଼ୁଥିବା ସଲଭେନ୍ସି ସାର୍ଟିଫିକେଟ୍ ପରିବର୍ତ୍ତେ ବ୍ୟାଙ୍କ୍ ଗ୍ୟାରେଣ୍ଟି ବ୍ୟବସ୍ଥା ଲାଗୁ ନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଫଳରେ ମଦ ଦୋକାନ ଲାଇସେନ୍ସ ପାଇଁ ପୂର୍ବ ପରି ସଲଭେନ୍ସି ସାର୍ଟିଫିକେଟ୍ ବ୍ୟବସ୍ଥା ଜାରି ରହିବ ବୋଲି ସ୍ପଷ୍ଟ ହୋଇଛି।

ସଲ୍‌ଭେନ୍ସି ସାର୍ଟିଫିକେଟ୍ ପରିବର୍ତ୍ତେ ବ୍ୟାଙ୍କ୍ ଗ୍ୟାରେଣ୍ଟି ବ୍ୟବସ୍ଥା ଲାଗୁ କରିବା ପାଇଁ ସରକାର ଯଦି ଆଇନରେ ସଂଶୋଧନ ନ ଆଣନ୍ତି ତଥାପି ବି ସଲଭେନ୍ସି ସାର୍ଟିଫିକେଟ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇପାରିବ ନାହିଁ। ବ୍ୟାଙ୍କ୍ ଗ୍ୟାରେଣ୍ଟି ବ୍ୟବସ୍ଥା ଯୋଡ଼ିବା ପାଇଁ ସରକାର ଯଦିବା ସଂଶୋଧିତ ଆଇନ ନ ଆଣିବେ ତେବେ ଉକ୍ତ ଆଇନ ପିଛିଲା ଭାବେ ଲାଗୁ ହେବ ନାହିଁ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି।

ଅବକାରୀ ବିଭାଗ ପକ୍ଷରୁ ଲାଗୁ ହୋଇଥିବା ବ୍ୟାଙ୍କ୍ ଗ୍ୟାରେଣ୍ଟି ବ୍ୟବସ୍ଥାକୁ ଚାଲେଞ୍ଜ କରି ହାଇକୋର୍ଟରେ ୧୬୨ ଜଣ ମଦ ବ୍ୟବସାୟୀ ମାମଲା ରୁଜୁ କରିଥିଲେ। ଗତ ୩ ତାରିଖରେ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ମାମଲାର ରାୟ ପ୍ରକାଶ କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ କେ.ଆର୍. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅବକାରୀ ବିଭାଗ ବିଜ୍ଞପ୍ତିକୁ ରଦ୍ଦ କରିଦେଇଛନ୍ତି।BGUପୂର୍ବରୁ ନୂଆ ମଦ ଦୋକାନ ଖୋଲିବା ହେଉ ଅବା ମଦ ଦୋକାନ ଲାଇସେନ୍ସର ନବୀକରଣ ପାଇଁ ଆବେଦନକାରୀଙ୍କୁ ସଲଭେନ୍ସି ସାର୍ଟିଫିକେଟ୍ ଦାଖଲ କରିବାକୁ ପଡ଼ୁଥିଲା। ଏହି ସଲଭେନ୍ସି ସାର୍ଟିଫିକେଟ୍ ସମ୍ପୃକ୍ତ ଅଞ୍ଚଳର ଉପଜିଲ୍ଲାପାଳ କିମ୍ବା ତହସିଲଦାର ପ୍ରଦାନ କରିଆସୁଥିଲେ। କିନ୍ତୁ ଗତ ମାର୍ଚ୍ଚ ୨୮ ତାରିଖରେ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏକ ନୂତନ ନିୟମ ଲାଗୁ କରାଯାଇଥିଲା। ଏହି ନିୟମ ଅନୁଯାୟୀ, ଉପରୋକ୍ତ ଦୁଇଟି କାର୍ଯ୍ୟ ଲାଗି ସଲଭେନ୍ସି ସାର୍ଟିଫିକେଟ୍ ପରିବର୍ତ୍ତେ ବ୍ୟାଙ୍କ୍ ଗ୍ୟାରେଣ୍ଟି ବ୍ୟବସ୍ଥା ଲାଗୁ ହେବ ବୋଲି କୁହାଯାଇଥିଲା।

ଏହାକୁ ଚାଲେଞ୍ଜ କରି ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ଏକ ଅନ୍ତରୀଣ ଆଦେଶରେ ସଲଭେନ୍ସି ସାର୍ଟିଫିକେଟ୍‌ ଜରିଆରେ ଆବେଦନ କରାଯାଇ ପାରିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଅନ୍ତରୀଣ ରହିତାଦେଶ ବଳବତ୍ତର ଥିବା ବେଳେ ହାଇକୋର୍ଟ ମାମଲାର ରାୟ ପ୍ରକାଶ କରିଛନ୍ତି। ଏଥିରେ କୁହାଯାଇଛି ଯେ, ସଲଭେନ୍ସି ସାର୍ଟିଫିକେଟ୍ ବ୍ୟବସ୍ଥା ପାଇଁ ଏକ ଷ୍ଟାଚ୍ୟୁଟାରୀ ନିୟମ ରହିଛି। କିନ୍ତୁ ଏହି ଷ୍ଟାଚୁଟାରୀ ନିୟମରେ କୌଣସି ପରିବର୍ତ୍ତନ କରାନଯାଇ କେବଳ ଅଭକାରୀ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ବ୍ୟାଙ୍କ୍ ଗ୍ୟାରେଣ୍ଟି ବ୍ୟବସ୍ଥା ଲାଗୁ କରାଗଲା ବୋଲି ନିର୍ଦ୍ଦେଶାନାମା ଜାରି କରାଗଲା। ଗୋଟିଏ ଷ୍ଟାଚ୍ୟୁଟାରୀ ନିୟମକୁ ଅତିକ୍ରମ କରି ଗୋଟିଏ ସାମାନ୍ୟ ବିଜ୍ଞପ୍ତି ଜରିଆରେ କୌଣସି ଆଦେଶ କେବେ ବି’ ଗ୍ରହଣୀୟ ହୋଇପାରିବ ନାହି। ତେଣୁ ହାଇକୋର୍ଟ ଅବକାରୀ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିକୁ ରବ୍ଦ କରିଛନ୍ତି।

LEAVE A REPLY

Please enter your comment!
Please enter your name here