ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟରେ ଉଦ୍‌ଘାଟିତ ହେଲା ରାଜ୍ୟର ଆଉ ଏକ ପ୍ଲାଜ୍‌ମା ବ୍ୟାଙ୍କ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରିଛନ୍ତି। ଜିଲ୍ଲାର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରେ ଏହି ପ୍ଲାଜମା ବ୍ୟାଙ୍କଟି ପ୍ରତିଷ୍ଠା କରାଯାଇଛି। କଟକ, ଭୁବନେଶ୍ଵର, ରାଉରକେଲା, ବ୍ରହ୍ମପୁର ଏବଂ ସମ୍ଵଲପୁର ପରେ କୋରାପୁଟ ଜିଲ୍ଲାରେ ରାଜ୍ୟର ଏହି ଷଷ୍ଠ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଛି।“କରୋନା ମହାମାରୀକୁ ପ୍ରତିହତ କ୍ଷେତ୍ରରେ ପ୍ଲାଜମା ଥେରାପି ଆରମ୍ଭ କରି ଓଡ଼ିଶା ବେଶ୍ ଭଲ ସ୍ଥିତିରେ ରହିଛି। ଆମର କରୋନା ଯୋଦ୍ଧାମାନଙ୍କ ପାଇଁ ଆମେ ଗର୍ବିତ। ରାଜ୍ୟ ସରକାର ଆପଣଙ୍କୁ ଭରଷା ଦେଉଛନ୍ତି କି, ରାଜ୍ୟରେ କେହି ଜଣେ ବି ବ୍ୟକ୍ତି ଉତ୍ତମ ଏବଂ ଆଧୁନିକ ମେଡିକାଲ ସେବାରୁ ବଞ୍ଚିତ ହେବେ ନାହିଁ। ପ୍ଲାଜମା ଦାନପାଇଁ ଯୋଗ୍ୟ ବ୍ୟକ୍ତିମାନେ ପ୍ଲାଜମା ଦେବାପାଇଁ ଆଗେଇ ଆସି ଜୀବନ ରକ୍ଷକ ସହ ଜଣେ ଜଣେ ପ୍ଲାଜମା ଯୋଦ୍ଧା ସାଜନ୍ତୁ ଏବଂ ଓଡ଼ିଶା ପାଇଁ ଗର୍ବ ପାଲଟନ୍ତୁ” କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଦିବାସୀବହୁଳ କୋରାପୁଟ ଜିଲ୍ଲାରେ ଏହି ବ୍ୟାଙ୍କ ଖୋଲିବା ଦ୍ଵାରା ସେହି ଅଞ୍ଚଳର ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଆଉ ଏକ ମାଇଲଷ୍ଟୋନ ହୋଇପାରିଛି ଏବଂ ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ଆମର ଜନଜାତି ଭାଇଭଉଣୀଙ୍କ ଆସ୍ଥା ଓ ବିଶ୍ଵାସକୁ ଅଧିକ ସୁଦୃଢ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।BGUରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପ୍ଲାଜ୍‌ମା ଥେରାପି ଆରମ୍ଭ ପରେ ଏବେ ସୁସ୍ଥହାର ମଧ୍ୟ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୋଟ ୩୮୬ ଜଣ ଗୁରୁତର କରୋନା ରୋଗୀ ପ୍ଲାଜ୍‌ମା ନେଇଥିବା ବେଳେ, ସେଥିମଧ୍ୟରୁ ୭୦ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଏଥିସହ ୨୪୬ ଜଣ ରୋଗୀଙ୍କ ସ୍ଵାସ୍ଥ୍ୟରେ ଦ୍ରୁତ ଗତିରେ ସୁଧାର ମଧ୍ୟ ଆସୁଛି।

 

Comment