ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀର ବନ୍ଧକୁ ସୁଦୃଢ଼ କରିବାକୁ ପ୍ରଶାସନ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି। ଯାହାଫଳରେ ନଦୀବନ୍ଧଗୁଡ଼ିକ ଚଉଡ଼ା ଓ ଉଚ୍ଚା ହୋଇଛି। ହେଲେ ଜଳସ୍ତର ମାପିବା ପାଇଁ ବ୍ୟବହାର ହେଉଥିବା ବିପଦ ସଂକେତ ଗେଜକୁ ଦୀର୍ଘ ଦିନ ଧରି ବଦଳାଯାଉନି। ଫଳରେ ନଦୀର ଜଳସ୍ତର ବନ୍ଧଠାରୁ ଯଥେଷ୍ଟ ତଳେ ଥିଲେ ମଧ୍ୟ ଏହା ବିପଦ ସଙ୍କେତ ଉପରେ ଦେଇ ପ୍ରବାହିତ ହେଉଥିବା ଖବର ଶୁଣିବାକୁ ମିଳୁଛି। ଯାହା ଏବେ ସ୍ଥାନୀୟ ବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟ କରିଛି।ଗତ କିଛି ବର୍ଷ ମଧ୍ୟରେ ନଦୀ ବନ୍ଧମାନଙ୍କର ଉଚ୍ଚତା ବଢ଼ିଥିଲେ ମଧ୍ୟ ବିପଦ ସଙ୍କେତ ଗେଜର ପୁରୁଣା ସଙ୍କେତ ବଦଳିନି। ପୂର୍ବରୁ ବିପଦ ସଙ୍କେତ ଯେଉଁଠି ଥିଲା ଆଜି ବି ସେଇଠି ଅଛି। ହେଲେ ଏହି ବର୍ଷ ଭିତରେ ନଦୀ ବନ୍ଧର ଉଚ୍ଚତା ଢେର ବୃଦ୍ଧି ପାଇଛି। ତେଣୁ ଏବେ ନଦୀର ପାଣି ବନ୍ଧ ତଳକୁ ରହିଲେ ବି ଏହାକୁ ବିପଦ ସଙ୍କେତ ଉପରେ ବୋଲି କୁହାଯାଉଛି।

ଅଗଷ୍ଟ ୩୧ ତାରିଖ ସଂଧ୍ୟା ୬ଟା ସମୟରେ ମିଳିଥିବା ଜଳସେଚନ ବିଭାଗର ରିପୋର୍ଟ ଅନୁସାରେ ମହାନଦୀର ଶାଖାନଦୀ ଲୁଣାନଦୀର ପୁବଂଶ ନିକଟରେ ବିପଦ ସଂକେତ ୩୫.୨୮ ଫୁଟ ଥିବା ବେଳେ ବନ୍ୟା ପାଣି ୩୭.୬୦ ଫୁଟରେ ପ୍ରବାହିତ ହେଉଛି । ସେହିପରି ଏହି ନଦୀର ଦାନପୁର ନିକଟରେ ବିପଦ ସଂକେତ ୩୨.୫୫ ଫୁଟ ରହିଥିବା ବେଳେ ବନ୍ୟା ପାଣି ୩୫.୩୦ ଫୁଟରେ ପ୍ରବାହିତ ହେଉଛି, ବସୁପୁର ନିକଟରେ ବିପଦ ସଂକେତ ୩୦ ଫୁଟ ଥିବା ବେଳେ ନଦୀର ଜଳସ୍ତର ୩୨.୧୦ ଫୁଟ ରହିଛି । ମାର୍ଶାଘାଇ ନିକଟରରେ ଏହି ନଦୀର ବିପଦ ସଂକେତ ୨୨ଫୁଟ ଥିବା ବେଳେ ଜଳସ୍ତର ୨୪ .୭୦ ଫୁଟ ରହିଛି।

ସେହିପରି ଚିତ୍ରୋତ୍ପଳା ନଦୀର ପାଟକୁରା ନିକଟରେ ବିପଦ ସଂକେତ ୨୧ ଫୁଟ ଥିବା ବେଳେ ନଦୀ ୨୫.୫୫ ଫୁଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବ୍ରାହ୍ମଣୀ ନଦୀର ଇନ୍ଦୁପୁର ନିକଟରେ ବିପଦ ସଂକେତ ୮.୨୩ ମିଟର ଥିବା ବେଳେ ନଦୀ ୮.୨୯ ମିଟରରେ ପ୍ରବାହିତ ହେଉଛି। ବ୍ରାହ୍ମଣୀ ପଟ୍ଟାମୁଣ୍ଡାଇର ଅଳଭା ନିକଟରେ ବିପଦ ସଂକେତ ୪.୯୯ ମିଟର ଥିବା ବେଳେ ଏବେ ନଦୀର ଜଳ ପତନ ୫.୬୭ ମିଟର ରହିଛି। ହେଲେ ପ୍ରକୃତରେ ଏହି ସ୍ଥାନରେ ଥିବା ସଙ୍କେତ ଗେଜ୍ ସବୁ ନଦୀ ବନ୍ଧଠାରୁ ବହୁ ତଳେ ରହିଛି। ଯାହା ଫଳରେ ଏଭଳି କିଛି ଖବର ଶୁଣିବାକୁ ମିଳୁଛି।ଏ ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ  ପ୍ରବୋଧ ରାଉତଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି। ତେବେ ନଦୀବନ୍ଧ ସୁଦୃଢ଼ ହେବାପରେ ପୁଣି କିପରି ପୁରୁଣା ବିପଦ ସଂକେତକୁ ବ୍ୟବହାର କରାଯାଉଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Comment