ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ହିମାଂଶୁ ଲାଲଙ୍କ କେନ୍ଦ୍ର ଡେପୁଟେସନକୁ ରଦ୍ଦ କରିଦିଆଯାଇଛି। ତାଙ୍କର କ୍ୟାବିନେଟ ସେକ୍ରେଟେରିଏଟରେ କ୍ଲାସ ୧ ଏକଜିକିଟିଭ ପଦବୀରେ ଯୋଗ ଦେବାର ଥିଲା। ଗତ ଜୁନ ମାସରେ ତାଙ୍କର କେନ୍ଦ୍ର ଡେପୁଟେସନ ରାଜ୍ୟ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିଲା। ଡେପୁଟେସନ ବାତିଲ ହେବା ପରେ ହିମାଂଶୁ ଲାଲ ଇତି ମଧ୍ୟରେ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି।
ଯଦିଓ ଲାଲ ଏନେଇ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି, ରାଜ୍ୟ ଗୃହ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ତାଙ୍କର କ୍ୟାବିନେଟ ସେକ୍ରେଟେରିଏଟରେ ଯୋଗ ଦେବା ସମ୍ପର୍କରେ ସୋସିଆଲ ମିଡ଼ିଆରେ ଖବର ପ୍ରକାଶ ପାଇ ଯାଇଥିଲା।ଲାଲ ରିସର୍ଚ୍ଚ ଓ ଆନାଲିସିସ ଉଇଙ୍ଗ ବା ର’ରେ ଯୋଗ ଦେଇପରନ୍ତି ବୋଲି ସୋସିଆଲ ମିଡିଆରେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।
ଏହି ଚର୍ଚ୍ଚା ଆରମ୍ଭ ହେବା ପରେ କ୍ୟାବିନେଟ ସେକ୍ରେଟେରିଏଟ ଏହାକୁ ଗୁରୁତ୍ୱର ସହ ନେଇଥିଲା ଓ ତତକ୍ଷଣାତ ଏହି ପ୍ରସ୍ତାବିତ ନିଯୁକ୍ତିକୁ ବାତିଲ କରି ଦେଇଥିଲା।ଲାଲଙ୍କର ନିଯୁକ୍ତି ନେଇ ସ୍କ୍ରୁଟିନି ଚାଲିଥିବା ବେଳେ ସୋସିଆଲ ମିଡିଆରେ ଆଲୋଚନା ତାଙ୍କର ନିଯୁକ୍ତି ବାତିଲ ପଛରେ ମୁଖ୍ୟ କାରଣ ବୋଲି ଉକ୍ତ ଅଧିକାରୀ କହିଛନ୍ତି।ସାଧାରଣତଃ,କ୍ୟାବିନେଟ ସେକ୍ରେଟେରିଏଟ ତାର ଅଫିସର ମାନଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିଥାଏ ଓ ନିଜ ସମ୍ପର୍କରେ ସମସ୍ତ ବିଷୟ ଗୁପ୍ତ ରଖିବା ପାଇଁସେମାନଙ୍କୁ କୁହା ଯାଇଥାଏ।
ଜୁନ ମାସରେ ଓଡିଶା ସରକାରଙ୍କ ପକ୍ଷରୁ ଲାଲଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ସେହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ ଲାଲ ୪ ବର୍ଷ ପାଇଁ କେନ୍ଦ୍ରକୁ ଡେ଼ପୁଟେସନରେ ଯିବେ। ସେତେବେଳେ ହିମାଂଶୁ ଲାଲ ଉତ୍ତର ରେଞ୍ଜର ଡିଆଇଜି ଥିଲେ।











