ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ଏସ୍‌ଆଇଟି ତଦନ୍ତ ଆରମ୍ଭ ହୋଇଛି। ଏସ୍‌ଆଇଟିର ଏକ ୩ ଜଣିଆ ଟିମ୍‌ ପୀଡ଼ିତାଙ୍କ ଗାଁକୁ ଯାଇ ତଦନ୍ତ କରିଛନ୍ତି। ଯେଉଁ ସ୍ଥାନରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା, ସେହି ସ୍ଥାନ ମଧ୍ୟ ବୁଲି ଦେଖିଛନ୍ତି। ଏହାସହ ପୀଡ଼ିତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କଠାରୁ ମଧ୍ୟ ତଥ୍ୟ ସଂଗ୍ରହ କରିଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ତଦନ୍ତ ଆରମ୍ଭ ହୋଇଛି। ଡିଆଇଜି ସଫିକ୍ ଅହମ୍ମଦ କେ, ସତ୍ୟବ୍ରତ ଭୋଇ ଏବଂ ହିମାଂଶୁ ଲାଲ୍‌ଙ୍କୁ ନେଇ ଗଠିତ ତିନି ଜଣିଆ ଏସ୍‌ଆଇଟି ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

ସୋମବାର କୋରାପୁଟସ୍ଥିତ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଅଫିସରେ ଏସ୍‌ଆଇଟି ବୈଠକ ବସିଥିଲା। ଏହି ବୈଠକରେ ହାଜର ହୋଇଥିଲେ କୁନ୍ଦୁଲି ପୀଡ଼ିତାଙ୍କ ମା’ ଏବଂ ଭାଇ। ଏସ୍‌ଆଇଟି ଆଗରେ ସେମାନେ ସେମାନଙ୍କ ବୟାନ ରଖିଥିଲେ। ପଟ୍ଟାଙ୍ଗୀ ଥାନାର ତତ୍କାଳୀନ ଆଇଆଇସି ଦେବ କୁମାର ଗମାଙ୍ଗଙ୍କୁ ମଧ୍ୟ ଡାକି ପଚରା ଉଚରା କରିଛି ଏସ୍‌ଆଇଟି।

୨୦୧୭ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦୁଲିର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଥିଲା। ଘଟଣା ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ହେଲେ ପୀଡ଼ିତାଙ୍କୁ ନ୍ୟାୟ ନମିଳିବାରୁ ସେ ୨୦୧୮ ଜାନୁଆରି ୨୨ରେ ଆତ୍ମହତ୍ୟା କରିଥିଲେ।

Comment