ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାର କାରଣ ଖୋଜିବ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍। ଏହି ଟିମ୍‌ ଏବେ କୁନ୍ଦୁଲି ଗସ୍ତରେ ଯାଇଛନ୍ତି।

କାହିଁକି ଆତ୍ମହତ୍ୟା କଲେ କୁନ୍ଦୁଲି ପୀଡ଼ିତା? ଏହି ଆତ୍ମହତ୍ୟ ପଛର କାରଣ କ’ଣ? ଫୋରେନସିକ୍‌ ଲାବ ରିପୋର୍ଟରେ କିଛି ହେରଫେର୍ ହୋଇଛି କି?

ଏସବୁର କାରଣ ଖୋଜିବା ପାଇଁ ଗଠନ ହୋଇଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନିର୍ଦ୍ଦେଶରେ ଏହି ସ୍ପେଶାଲ ଟିମ୍‌ ଗଠନ କରାଯାଇଛି। ଡିଏସ୍‌ପି ପାହ୍ୟା ଅଫିସରଙ୍କ ନେତୃତ୍ୱରେ ଗଢ଼ା ହୋଇଥିବା ଟିମ୍‌ ସୋମବାର କୁନ୍ଦୁଲି ଅଭିମୁଖେ ଯାଇଛନ୍ତି।

କ୍ରାଇମବ୍ରାଞ୍ଚ ଏସ୍‌ପି ପ୍ରଶାନ୍ତ କୁମାର ଜେନା କହିଛନ୍ତି, “କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅଞ୍ଚଳରେ ଘଟିଥିବା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚର ସେଶାଲ ଟିମ୍‌ କରିବେ। ଦୁଇ ଜଣ ଡିଏସ୍‌ପି ଆଜି କୋରାପୁଟ ଯାଇଛନ୍ତି। କୁନ୍ଦୁଲି ଯାଇ ସେମାନେ ବିସ୍ତୃତ ତଥ୍ୟ ସଂଗ୍ରହ କରିବେ।”

୨୦୧୭ ଅକ୍ଟୋବର ୧୦ ତାରିଖରେ ଘଟିଥିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୋରିଷପଦର ଜଙ୍ଗଲରେ ଘଟିଥିଲା ଏହି ଘଟଣା। କୁନ୍ଦୁଲିର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣା ତଦନ୍ତ ସେତେବେଳେ ଓଡ଼ିଶା ପୋଲିସ ଏବଂ କ୍ରାଇମବ୍ରାଞ୍ଚ କରୁଥିଲେ। ହେଲେ ପୀଡ଼ିତାଙ୍କୁ ନ୍ୟାୟ ଦେଇ ପାରିଲେନି ତଦନ୍ତକାରୀ ସଂସ୍ଥା। ଶେଷରେ ପୀଡ଼ିତା ଗତ ୨୨ ତାରିଖରେ ଆତ୍ମହତ୍ୟା କଲେ। ଏହାକୁ ନେଇ ଏବେ ଝଡ଼ ବହୁଛି।

ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହେବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ଗଠନ କରିଛନ୍ତି ସରକାର।

ଏପଟେ ଘଟଣାର ଉଚ୍ଚ ସ୍ତରୀୟ ନ୍ୟା଼ୟିକ ତଦନ୍ତ ପାଇଁ ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ବାର୍ଥ ମାମଲା। ଏକ ସାମାଜିକ ସଙ୍ଗଠନ ଏହି ମାମଲା ଦାୟର କରି କର୍ତ୍ତବ୍ୟରେ ହେଳା କରିଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

୨୦୧୭ ନଭେମ୍ବର ୭ରେ ଏଚ୍‌ଆର୍‌ପିସି ଏଡିଜି କୌଣସି ଗଣଦୁଷ୍କର୍ମ ହୋଇନାହିଁ ବୋଲି କହିଥିଲେ। ଏହାକୁ ନେଇ ବିବାଦ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮ ତାରିଖରେ ଜୁଡିସିଆଲ ତଦନ୍ତ ଆଦେଶ ଦେଇଥିଲେ। ଅଢ଼େଇ ମାସ ପରେ ବି ଏହି ତଦନ୍ତ ଶେଷ ହୋଇନି। ପୀଡ଼ିତାଙ୍କୁ କିପରି ନ୍ୟାୟ ମିଳିବ ତାହା ଦେଖିବାର କଥା।

Comment