ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ହରିବଂଶ ନାରାୟଣ ସିଂହ। ବାଚନିକ ଭୋଟରେ ସେ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ଆଜି କରୋନା ସଙ୍କଟ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ବସିଛି। ପ୍ରଥମ ଦିନରେ ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହୋଇଛି। ଏହି ନିର୍ବାଚନରେ ୟୁପିଏ ପ୍ରାର୍ଥୀ ମନୋଜ ଝାଙ୍କୁ ହରାଇ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ବିଜୟୀ ହୋଇଛନ୍ତି।BGU

ହରିବଂଶ ନାରାୟଣ ସିଂହ ଉପାଧ୍ୟକ୍ଷ ହେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଇଥିବାରୁ ହରିବଂଶଙ୍କୁ ମୋର ଶୁଭେଚ୍ଛା। ସେ ସାମ୍ବାଦିକତା ଓ ସାମାଜିକ କାର୍ଯ୍ୟ ଜରିଆରେ ନିଜର ଏକ ବଳିଷ୍ଠ ଭାବମୂର୍ତ୍ତି ଗଠନ କରିପାରିଛନ୍ତି। ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି।”

ସେହିପରି କଂଗ୍ରେସର ରାଜ୍ୟସଭା ସାଂସଦ ଗୁଲାମ ନବି ଆଜାଦ କହିଛନ୍ତି ଯେ, ହରିବଂଶ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା।

ଉପାଧ୍ୟକ୍ଷ ନିର୍ବାଚନରେ ବିଜୟୀ ହେବାକୁ ହେଲେ ୧୨୩ ସାଂସଦଙ୍କ ସମର୍ଥନ ଆବଶ୍ୟକ ହେଉଥିଲା। ଏନଡିଏ ପାଖରେ ପୂର୍ବରୁ ୧୧୭ ସାଂସଦଙ୍କ ସମର୍ଥନ ଥିଲା। ଏହାପରେ ବିଜେଡି ସାଂସଦ ହରିବଂଶଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିବା ପରେ ସେ ଉପାଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା।

ହରିବଂଶ ନାରାୟଣ ସିଂହ ଏହା ପୂର୍ବରୁ ମଧ୍ୟ ରାଜ୍ୟସଭାର ଉପାଧ୍ୟକ୍ଷ ରହିଥିଲେ।  ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଜେଡିୟୁ ତାଙ୍କୁ ପୁଣିଥରେ ଉପାଧ୍ୟକ୍ଷ ପାଇଁ ପ୍ରାର୍ଥୀ କରିଥିଲା। ତାଙ୍କୁ ଏନଡିଏର ସମର୍ଥନ ମଧ୍ୟ ମିଳିଥିଲା। ଏବେ ସେ ଦ୍ୱିତୀୟ ଥର ପାଇଁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

Comment