ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ଓପିଟିସିଏଲ୍(ବିଦ୍ୟୁତ୍ ବିଭାଗ)ରେ କାମ କରୁଥିବା ୨୩୦ ଠିକା ସୁରକ୍ଷାକର୍ମୀଙ୍କୁ ସେପ୍ଟେମ୍ବର ଏକ ତାରିଖରୁ ଛଟେଇ କରାଯାଇଛି। ଏହାକୁ ବିରୋଧ କରି ସୁରକ୍ଷାକର୍ମୀମାନେ ଶୁକ୍ରବାର ପୂର୍ବାହ୍ନରେ ଜୟପୁର ମୁଖ୍ୟ ଟ୍ରାଫିକ ଛକରୁ ପାରାବେଡ଼ା ଟ୍ରାଫିକ ଛକ ପର୍ଯ୍ୟନ୍ତ ଛିଡ଼ା ହୋଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

ଜୟପୁର ବିଦ୍ୟୁତ୍ ବିଭାଗରେ ପ୍ରାୟ ୧୫-୧୭ ବର୍ଷ ଧରି କାମ କରିଆସୁଥିବା ଏହି ସୁରକ୍ଷାକର୍ମୀମାନଙ୍କୁ ବିନା ନୋଟିସ୍‌ରେ ଓଡ଼ିଶା ସରକାରଙ୍କ ଓପିଟିସିଏଲ୍ ବିଭାଗ ପକ୍ଷରୁ ଛଟେଇ କରାଯାଇଛି। ଏହି ଗାର୍ଡମାନେ ଗତ ଚାରି ମାସର ଦରମା ଏବଂ ପ୍ରାୟ ତିନି ବର୍ଷର ବୋନସ୍ ପାଇନାହାନ୍ତି। ଏମାନଙ୍କର ପ୍ରତିମାସରେ ଇପିଏଫ୍ ଏବଂ ଇଏସ୍ଆଇ ବାବଦକୁ ଦେୟ କଟୁଛି।

ଆଗରୁ ଏହି ଗାର୍ଡମାନେ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଡ୍ୟୁଟି କରୁଥିଲେ ଏବଂ ବିଭାଗର ବିଭିନ୍ନ ମରାମତି କାର୍ଯ୍ୟରେ ସହାୟତା ମଧ୍ୟ କରୁଥିଲେ। ବର୍ତ୍ତମାନ ଏମାନଙ୍କୁ କିଛି ବିଭାଗୀୟ ଅଧିକରୀ  ଦଶ କିଲୋମିଟର ଦୂର ପର୍ଯ୍ୟନ୍ତ ଡ୍ୟୁଟି କରିବା ପାଇଁ ବାଧ୍ୟ କରୁଛନ୍ତି। ଏଥିପାଇଁ କୌଣସି ଯାତାୟତ ପାଇଁ ଖର୍ଚ୍ଚ ମଧ୍ୟ ଦେଉନାହାନ୍ତି। ଏହି ଗାର୍ଡମାନେ ବିଦ୍ୟୁତ୍ ତାର ଚୋରି ଓ ବିଭିନ୍ନ ଯନ୍ତ୍ରାଂଶର ଜଗାରଖା ସହ ହେଲପର୍ ଭଳି କାମ କରିଆସିଛନ୍ତି।ବିଗତ ଦିନରେ ଠିକାଦାର ବଦଳା ଯାଇଥିଲା ବେଳେ ଏମାନଙ୍କ କାମ ସୁରକ୍ଷିତ ରହିଥିଲା। କରୋନା ମହାମାରୀ ସମୟରେ କାମଧନ୍ଦା ମିଳୁନଥିବାରୁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ଏଭଳି ସମୟରେ କାମରେ ନିୟୋଜିତ ଲୋକଙ୍କୁ ଛଟେଇ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଅମାନବିକତାର ପରିଚୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସୁରକ୍ଷାକର୍ମୀମାନଙ୍କ ପୁନଃ ନିଯୁକ୍ତି ସହ ସେମାନଙ୍କ ବକେୟା ପାଉଣା ଦେବା ପାଇଁ ଏଆଇଟିୟୁସିର ଜିଲ୍ଲା ଶ୍ରମିକ ପ୍ରତିନିଧି ପ୍ରମୋଦ କୁମାର ମହାନ୍ତି ଦାବି କରିଛନ୍ତି।

ଆସନ୍ତା ୨୧ ତାରିଖରେ ଜିଲ୍ଲା ଶ୍ରମ ଅଧିକାରୀ ମିଳିତ ବୈଠକ ଡକାଇଛନ୍ତି। ସେଥିରେ ଓପିଟିସିଏଲ୍‌ର ପଦାଧିକାରୀ, ଗଞ୍ଜାମ ସିକ୍ୟୁରିଟି ସଂସ୍ଥାର କଣ୍ଟ୍ରାକ୍ଟର ଓ ଶ୍ରମିକ ପ୍ରତିନିଧିମାନେ ଯୋଗ ଦେବେ। ଶ୍ରମିକମାନେ ନ୍ୟାୟ ନପାଇଲେ ଆନ୍ଦୋଳନ ଆହୁରି ବ୍ୟାପକ କରିବା ପାଇଁ ଶ୍ରମିକ ପ୍ରତିନିଧିମାନେ ଘୋଷଣା କରିଛନ୍ତି। ଆଜିର ଏହି ଆନ୍ଦୋଳନକୁ ସର୍ବଶ୍ରୀ ରାମକୃଷ୍ଣ ଦାସ, ସୁଦର୍ଶନ ବିଶୋଇ, ନିତ୍ୟାନନ୍ଦ ପାତ୍ର, ମଣ୍ଟୁ ହରିଜନ, ତ୍ରିଲୋଚନ ନାୟକ, ନରସିଂହ ନାୟକ, ତ୍ରିପତି ସଗରିଆ, ତ୍ରିନାଥ ନାୟକ, ଲବ ଗୌଡ଼, ଗୋବିନ୍ଦ ବେହେରା ପ୍ରମୁଖ ନେତୃତ୍ଵ ନେଇଥିଲେ।

Comment