ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାହିତ୍ୟ ଏକାଡେମୀ ଦ୍ୱାରା ସ୍ୱୀକୃତ ୨୪ଟି ଭାରତୀୟ ଭାଷାରେ ୨୦୨୧ ମସିହା ପାଇଁ ଯୁବ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ଯୁବ ଲେଖକ ଓ ପ୍ରକାଶକମାନଙ୍କଠାରୁ ପୁସ୍ତକ ଆହ୍ୱାନ କରାଯାଇଛି। ଏନେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ସଚିବ ଡ. କେ. ଶ୍ରୀନିବାସରାଓଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି।

ଯୁବ ପୁରସ୍କାର ବିଷୟରେ ଜାଣନ୍ତୁ

ଭାରତୀୟ ଭାଷାରେ ଲେଖୁଥିବା ଯୁବ ଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୧ରେ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରଚଳନ କରିଥିଲା। ଏକାଡେମୀ ସ୍ୱୀକୃତ ଭାରତୀୟ ଭାଷା ଯେପରି ଆସାମୀ, ବେଙ୍ଗଲି, ବୋଡୋ, ଡୋଙ୍ଗରୀ, ଇଂରାଜୀ, ଗୁଜରାଟି, ହିନ୍ଦୀ, କନ୍ନଡ଼, କଶ୍ମୀରି, କୋଙ୍କଣି, ମୈଥିଳି, ମାଲାୟାଲମ, ମଣିପୁରୀ, ମରାଠି, ନେପାଳି, ଓଡ଼ିଆ, ପଞ୍ଜାବୀ, ରାଜସ୍ଥାନୀ, ସାନ୍ତାଳି, ସଂସ୍କୃତ, ସିନ୍ଧି, ତାମିଲ, ତେଲୁଗୁ ଓ ଊର୍ଦ୍ଦୁରେ ଲିଖିତ ଶ୍ରେଷ୍ଠ ପୁସ୍ତକକୁ ଏହି ପୁରସ୍କାର ଦିଆଯାଉଛି।

ଏଯାବତ୍ କେଉଁ ଯୁବ ଓଡ଼ିଆ ପାଇଛନ୍ତି ଏହି ପୁରସ୍କାର

ଓଡ଼ିଆ ଭାଷାର ସୃଷ୍ଟି ପାଇଁ ୨୦୧୧ରୁ ୨୦୧୯ ଭିତରେ ୯ ଜଣ ଯୁବ ଲେଖକ ଏହି ପୁରସ୍କାର ପାଇଛନ୍ତି। ସେଥିରେ ୨ ଜଣ ଲେଖିକା ଓ ୭ ଜଣ ଲେଖକ ଅଛନ୍ତି। ୯ଟି ପୁରସ୍କାରରୁ କବିତା ପାଇଁ ସର୍ବାଧିକ ୫ଟି, କ୍ଷୁଦ୍ରଗଳ୍ପକୁ ୩ଟି ଓ ସାହିତ୍ୟ ସମାଲୋଚନା ପୁସ୍ତକକୁ ଗୋଟିଏ ପୁରସ୍କାର ମିଳିଛି। ଜାଣନ୍ତୁ କେଉଁ ମସିହାରେ କେଉଁ ଲେଖକ ଓ ତାଙ୍କ ବହି ଯୁବ ପୁରସ୍କାର ପାଇଛି।

  • ୨୦୧୧     –      ଗାୟତ୍ରୀବାଳା ପଣ୍ଡା        –      ଗାଁ (କବିତା ସଂକଳନ)
  • ୨୦୧୨     –      ସୃଷ୍ଟିଶ୍ରୀ ନାୟକ            –      ଭିନ୍ନ ଉପବନ (କ୍ଷୁଦ୍ର ଗଳ୍ପ)
  • ୨୦୧୩     –      କ୍ଷେତ୍ରବାସୀ ନାୟକ        –      ଦାଦନ (କ୍ଷୁଦ୍ରଗଳ୍ପ)
  • ୨୦୧୪     –      ନରେନ୍ଦ୍ର ଭୋଇ           –      ପୀଡ଼ା ପର୍ବ (କବିତା)
  • ୨୦୧୫     –      ସୁଜିତ କୁମାର ପଣ୍ଡା       –      ମାନସାଙ୍କ (କ୍ଷୁଦ୍ରଗଳ୍ପ)
  • ୨୦୧୬     –      ଜ୍ଞାନୀ ଦେବାଶିଷ ମିଶ୍ର     –      ଦାଗ (କବିତା)
  • ୨୦୧୭     –      ସୂର୍ଯ୍ୟସ୍ନାତ ତ୍ରିପାଠୀ        –      ଏ ସମ୍ପର୍କ ଏମିତି (କବିତା)
  • ୨୦୧୮     –      ଜୟଦ୍ରଥ ସୁନା            –      ଶୋଷ (କବିତା)
  • ୨୦୧୯     –      ଶିଶିର ବେହେରା          –      ବିମୁଗ୍ଧ ଉଚ୍ଚାରଣ (ସାହିତ୍ୟ ସମାଲୋଚନା)

ପୁରସ୍କାର ରାଶି ଓ ବୟସସୀମା

ପ୍ରଚଳିତ ହୋଇଥିବା ଏହି ପୁରସ୍କାର ୩୫ ବର୍ଷ ବା ତାହାଠାରୁ କମ୍‌ ବୟସର ପ୍ରତିଭାବାନ ଲେଖକଙ୍କୁ ଦେଇଆସୁଛି କେନ୍ଦ୍ର ସାହିତ୍ୟ ଏକାଡେମୀ। ଏହି ପୁରସ୍କାର ପାଉଥିବା ଲେଖକଙ୍କୁ ପ୍ରୋତ୍ସାହନ ରାଶି ଭାବେ ୫୦ ହଜାର ଟଙ୍କା ଓ ଫଳକ ପ୍ରଦାନ କରାଯାଇଥାଏ। ୨୦୨୧ ବର୍ଷର ଯୁବ ପୁରସ୍କାର ପାଇଁ ଆବେଦନକାରୀ ଲେଖକଙ୍କ ବୟସ ୧ ଜାନୁଆରୀ ୨୦୨୧ ସୁଦ୍ଧା ୩୫ ବର୍ଷ ବା ତା’ଠାରୁ କମ୍ ହେବା ଦରକାର।

କେମିତି କରିବେ ଆବେଦନ

ସାହିତ୍ୟ ଏକାଡେମୀ ୱେବସାଇଟ୍‌ରୁ ଯୁବ ପୁରସ୍କାର ଆବେଦନ ଫର୍ମ ପ୍ରିଣ୍ଟ ଆଉଟ୍‌ ବାହାର କରି ତାହାକୁ ପୂରଣ କରନ୍ତୁ। ବହି ସହ ପୂରଣ ହୋଇଥିବା ଫର୍ମକୁ ଏକାଡେମୀ ଠିକଣାରେ ପଠାନ୍ତୁ। ଓଡ଼ିଆ ଭାଷାରେ ଯୁବ ପୁରସ୍କାର ପାଇଁ ଆବେଦନ କରିବାର ଠିକଣା ହେଲା ରିଜିଓନାଲ ସେକ୍ରେଟାରୀ, ସାହିତ୍ୟ ଏକାଡେମୀ, ୪, ଡି.ଏଲ୍‌. ଖାନ୍ ରୋଡ୍‌, କୋଲକାତା ୭୦୦୦୨୫। ବହି ସହିତ ଜନ୍ମ ତାରିଖ ପ୍ରମାଣପତ୍ରର ନକଲ ୨୦ ଅକ୍ଟୋବର ୨୦୨୦ ସୁଦ୍ଧା ଏକାଡେମୀ ପାଖରେ ପହଞ୍ଚିବା ଆବଶ୍ୟକ। ସ୍ୱୀକୃତ ଜନ୍ମ ପ୍ରମାଣପତ୍ର ବିନା କୌଣସି ବହି ଗ୍ରହଣୀୟ ହେବନାହିଁ ବୋଲି ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ ପକ୍ଷରୁ ସୂଚନା ଦିଆଯାଇଛି।

Comment