ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନୁପୁର ଗାଁରେ ରବିବାର ରାତିରେ ବଡ଼ ଧରଣର ଡକାୟତି ହୋଇଛି। ଡକାୟତମାନେ ଗାଁର ଦୁଇ ଜଣଙ୍କ ଘରେ ପଶି କଳାକନା ବୁଲାଇଛନ୍ତି। ଏଥିସହ ଡକାୟତଙ୍କ ଭୁଜାଲି ଚୋଟରେ ଏକ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମାର୍ଶାଘାଇ ପୋଲିସ ତଦନ୍ତ ଜାରି ରଖିଛି।

ଗତକାଲି ରାତିରେ ୬ ଜଣିଆ ଡକାୟତ ଦଳ ପ୍ରଥମେ କୁସୁନପୁର ଗାଁର ଅକ୍ଷୟ ସାହୁଙ୍କ ଘରେ ପଶିଥିଲେ। ଅକ୍ଷୟଙ୍କ ଘରୁ ସେମାନେ ୫ ହଜାର ଟଙ୍କା ଚୋରି କରିଥିଲେ । ଏହାପରେ ଡକାୟତମାନେ ଗାଁର କାହ୍ନୁଚରଣ ନାୟକଙ୍କ ବାହାର ଗ୍ରୀଲ ତାଡ଼ି ଘରେ ପଶିଥିଲେ।

କାହ୍ନୁଚରଣଙ୍କ ମା’ ଓ ଭଉଣୀଙ୍କ ଶୋଇବା ଘରକୁ ଡକାୟତମାନେ ବାହାରୁ ତାଲା ପକାଇ ଦେଇଥିଲେ। କାହ୍ନୁଚରଣ ଓ ତାଙ୍କ ପତ୍ନୀ ସୁଲୋଚନା ଶୋଇଥିବା ଘରେ ଦୁର୍ବୁତ୍ତମାନେ ପଶି ଭୁଜାଲି ଦେଖାଇ ଭୟଭୀତ କରି ଘରର ବାକ୍ସରେ ଥିବା ଟଙ୍କା ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।ସୁଲୋଚନା ପିନ୍ଧିଥିବା କାନଫୁଲ ଓ ମୁଦିକୁ ଛଡ଼ାଇବାକୁ ଉଦ୍ୟମ କରିବାରୁ କାହ୍ନୁଚରଣ ଓ ସୁଲୋଚନା ଚିତ୍କାର କରିଥିଲେ। ଜୋରରେ ପାଟି କରି ପଡ଼ୋଶୀଙ୍କୁ ଡାକିବାକୁ ଉଦ୍ୟମ କରିବାରୁ ଉଭୟ କାହ୍ନୁଚରଣ ଓ ତାଙ୍କ ପତ୍ନୀ ସୁଲୋଚନାଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିଲେ।

କାହ୍ନୁଚରଣଙ୍କ ହାତ, ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ହୋଇଥିବା ବେଳେ ସୁଲୋଚନା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତେବେ ସେମାନଙ୍କ ପାଟି ଶୁଣି ପଡ଼ୋଶୀମାନେ ଆସିବା ବେଳକୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଆହତ କାହ୍ନୁଚରଣ ଓ ତାଙ୍କ ପତ୍ନୀଙ୍କୁ ପ୍ରଥମେ ମାର୍ଶାଘାଇ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ କାହ୍ନୁଚରଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଆଜି ସକାଳୁ ଖବରପାଇ ମାର୍ଶାଘାଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ସାରି ଫେରି ଆସିଛି। ଅଧିକ ତଦନ୍ତ ପାଇଁ ଜିଲ୍ଲାର ସାଇଣ୍ଟିଫିକ୍ ଟିମ୍ ଓ ଜିଲ୍ଲା ବାହାରୁ ସନ୍ଧାନୀ କୁକୁର ଆଣି ତଦନ୍ତ କରାଯିବ ବୋଲି ମାର୍ଶାଘାଇ ଥାନା ପକ୍ଷରୁ ସୂଚନା ମିଳିଛି।

Comment