ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁକ୍ତ ଦୁଇ ନାମଲେଖା ଅବଧି ଆଉ ୪ ଦିନ ବୃଦ୍ଧି। ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୨୬ ବଦଳରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ଏନେଇ ଆଜି କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ୧୮ ତାରିଖରେ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିଲା। ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୨୧ରୁ ୨୬ ତାରିଖ ଭିତରେ ନାମଲେଖାଇବାକୁ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ସିବିଏସଇ ଓ ଆଇସିଏସଇ ପିଲାମାନଙ୍କର ସାର୍ଟିଫିକେଟକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଯେଉଁ କାରଣରୁ ଗତକାଲି ଅନେକ ପିଲା ଆଡମିସନ କରାଇପାରିନଥିଲେ।

ଏହାକୁ ଆଖି ଆଗରେ ରଖି ବିଭାଗ ଆଡମିସନ ସମୟକୁ ଆଉ ୪ ଦିନ ବୃଦ୍ଧି କରାଯାଇଛି। ସିବିଏସଇ ଓ ଆଇସିଏଇ ପିଲାମାନେ ନିଜର ଡିଜି ଲକର ସାର୍ଟିଫିକେଟ୍ ଦେଇ ଆଡମିସନ କରିବେ। ଏହାପରେ ମାସକ ଭିତରେ ଆଣି ଅରିଜିନାଲ୍ ସାର୍ଟିଫିକେଟ୍ ଦାଖଲ କରିବେ ବୋଲି କୁହାଯାଇଛି।

ଅକ୍ଟୋବର ୩ ତାରିଖରେ ଯୁକ୍ତ ଦୁଇ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ଅକ୍ଟୋବର ୫ରୁ ୭ ତାରିଖ ଭିତରେ ନାମ ଲେଖାଇବେ। ଏହାପରେ ଅକ୍ଟୋବର ସ୍ପଟ୍ ଆଡମିସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

Comment