ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱରରେ ହେବାକୁ ଯାଉଛି ଉପ-ନିର୍ବାଚନ।

ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ବିଜେଡିରେ ଦେଖାଦେଇଛି ଲବି ରାଜନୀତି। ଉପ-ନିର୍ବାଚନରେ ବିଜେଡି ଦଳର ପ୍ରାର୍ଥୀ ହେବାକୁ ନେଇ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଓ ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ଭିତରେ କଥା କଟାକଟି ହୋଇଥିବା ଖବର ସାମନାକୁ ଆସିଛି।

ବାଲେଶ୍ୱର ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁପରେ ଏଠାରେ ଉପ ନିର୍ବାଚନ ହେବ। ଏଥିପାଇଁ ତିନୋଟି ପ୍ରମୁଖ ଦଳ ଏବେ ପ୍ରାର୍ଥୀ ଚୟନ କରିବାକୁ ନେଇ ବ୍ୟସ୍ତ ଅଛନ୍ତି। ଏସବୁ ମଧ୍ୟରେ ବାଲେଶ୍ୱରର ଦୁଇ ବିଜେଡି ନେତା ଟିକେଟ୍ ପାଇବାକୁ ନେଇ ମୁହାଁମୁହିଁ ହେବା ବିଜେଡି ଶିବିରରେ ଚର୍ଚ୍ଚା ସୃଷ୍ଟି କରିଛି।

ଅନ୍ୟପଟେ ଜିଲ୍ଲାର ପର୍ଯ୍ୟବେକ୍ଷକ ଥିବା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ଦଳ ଭିତରେ କୌଣସି ଅସନ୍ତୋଷ ନାହିଁ। ଜିଲ୍ଲାର ସବୁ ବିଧାୟକ ଓ ନେତାଙ୍କ ସହିତ କଥାବାର୍ତ୍ତା ଚାଲିଛି। ଶେଷରେ ଦଳର ସଭାପତି ନବୀନ ପଟ୍ଟନାୟକ ଯାହାକୁ ପ୍ରାର୍ଥୀ କରିବେ ତାଙ୍କୁ ନେଇ ହିଁ ଦଳ ଉପ ନିର୍ବାଚନକୁ ଓହ୍ଲାଇବ।”

ବାଲେଶ୍ୱର ସଦରର ପୂର୍ବରୁ ତିନି ଥର ବିଧାୟକ ହୋଇଥିବା ଜୀବନ ପ୍ରଦୀପ ଦାସ ପୁଣିଥରେ ଟିକେଟ୍ ପାଇବାକୁ ଆଶାବାଦୀ ଅଛନ୍ତି। ୨୦୧୯ ନିର୍ବାଚନରେ ମଧ୍ୟ ସେ ଦଳ ତରଫରୁ ପ୍ରାର୍ଥୀ ହୋଇଥିଲେ। ହେଲେ ବିଜେପି ନେତା ମଦନମୋହନ ଦତ୍ତ ତାଙ୍କୁ ପାଖାପାଖି ୧୩ ହଜାର ଭୋଟରେ ହରାଇ ଦେଇଥିଲେ। ତେଣୁ ଉପ ନିର୍ବାଚନରେ ପ୍ରାର୍ଥୀ ହୋଇ ସେ ପୁଣିଥରେ ବିଧାନସଭା ଯିବାକୁ ଲକ୍ଷ୍ୟ ରଖିଛନ୍ତି।ସେହିଭଳି ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବିଜେଡି ନେତା ରବିନ୍ଦ୍ର ଜେନା ଉପ ନିର୍ବାଚନରେ ପ୍ରାର୍ଥୀ ହେବାକୁ ନେଇ ଆଶାବାଦୀ ଅଛନ୍ତି। ଗତ ଲୋକସଭା ନିର୍ବାଚନରେ ସେ ଦଳ ତରଫରୁ ପ୍ରାର୍ଥୀ ହୋଇଥିଲେ। ହେଲେ ପ୍ରତାପ ଷଡଙ୍ଗୀ ତାଙ୍କୁ ହରାଇ ଲୋକସଭା ଯାଇଥିଲେ। ତେଣୁ ସେ ଏଥର ବିଧାୟକ ପଦ ପାଇଁ ଆଶାବାଦୀ ଥିବା ଜଣାପଡ଼ିଛି।

Comment