ଓଡ଼ିଶାଲାଇଭ୍ ବ୍ୟୁରୋ

ତିର୍ତ୍ତୋଲରେ ଖୁବଶୀଘ୍ର ହେବାକୁ ଯାଉଛି ଉପ-ନିର୍ବାଚନ।

ଓଡ଼ିଶାର ଏକ ପ୍ରମୁଖ ରାଜନୈତିକ ଘଟଣା ବହୁଳ ନିର୍ବାଚନମଣ୍ଡଳୀ ହେଉଛି ତିର୍ତ୍ତୋଲ। ଯେ କୌଣସି ମୂହୁର୍ତ୍ତରେ ଏହି ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ହେଲେ କୌଣସି ଦଳ ସେମାନଙ୍କ ପ୍ରାର୍ଥୀ ସ୍ଥିର କରିନାହାନ୍ତି।

ଅବଶ୍ୟ ବିଜେପି ଜଣେ ଟାଣୁଆ କଂଗ୍ରେସ ନେତାକୁ ଆମଦାନୀ କରିସାରିଛି କିନ୍ତୁ ବିଜେଡିର ସେମିତି କିଛି ଯୋଜନା ନାହିଁ। ବିଜେଡିରେ ପ୍ରାର୍ଥୀ ମାଳମାଳ, ତେଣୁ କାହାକୁ ପ୍ରାର୍ଥୀ କରିବ ସେନେଇ ଚିନ୍ତାରେ ଦଳ। ଅନ୍ୟପଟେ କଂଗ୍ରେସ ବି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚିନ୍ତାରେ।ନିକଟରେ କଂଗ୍ରେସ ଛାଡ଼ି ବିଜେପିକୁ ଯାଇଥିବା ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରାଯାଉଥିବା ନେଇ ବିଜେପି ମହଲରେ ଚର୍ଚ୍ଚା ହେଉଛି। ସେପଟେ ବିଜେଡିରେ କିନ୍ତୁ ପ୍ରାଥମିକ ଭାବେ ୨ଟି ନାଁକୁ ନେଇ ଚର୍ଚ୍ଚା। ଜଣେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡକ୍ଟର ମିନତୀ ବେହେରା ଓ ଆଉ ଜଣେ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଯଦି ୨ ଜଣଙ୍କ ନାଁ ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସିଥାଏ, ତେବେ ମହିଳାଙ୍କୁ ପ୍ରାର୍ଥୀ କରିବେ କି ବିଷ୍ଣୁ ଦାସଙ୍କ ପୁଅକୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ହାସଲ କରିବେ ତାହା କେବଳ ସୁପ୍ରିମୋ ହିଁ କହିପାରିବେ।

ତିର୍ତ୍ତୋଲର ଭୋଟରଙ୍କ ମୁଡକୁ ଦେଖିଲେ, ଏଠାରେ ସବୁବେଳେ ବିଜେଡିର ପଲ୍ଲା ଭାରି ରହିଛି। ୨୦୦୦ ମସିହାରୁ ୨୦୧୯ ନିର୍ବାଚନରେ ମାତ୍ର ଥରେ କଂଗ୍ରେସ ଜିତିଥିବା ବେଳେ, ୪ ଥର ଜିତିଛି ବିଜେଡି। ଅବଶ୍ୟ ଏହା ପୂର୍ବରୁ ୧୯୮୦ ରୁ ୨୦୦୦ ଯାଏ ଏହା କଂଗ୍ରେସ ଅଧୀନରେ ଥିଲା।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ୩ ଥର ଜିତିଥିବା ବେଳେ, ନିତ୍ୟାନନ୍ଦ ସାମନ୍ତରାୟ ଥରେ ଜିତିଛନ୍ତି। ଏହାଛଡ଼ା ୨୦୦୦ରୁ ୨୦୧୪ ଯାଏ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହୁଥିବା ବେଳେ ୨୦୧୯ ନିର୍ବାଚନରେ ଦଳ ତୃତୀୟ ସ୍ଥାନକୁ ଖସିଯାଇଥିଲା। ଏହା ସଂରକ୍ଷିତ ଆସନ ହୋଇଥିବା ବେଳେ ଏବେ ୩ ଦଳ ପ୍ରାର୍ଥୀ କାହାକୁ କରିବେ ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।ବିଷ୍ଣୁଦାସଙ୍କ ପରିବାରରୁ କାହାକୁ ଦେଇ ବିଜେଡି ଅନୁକମ୍ପା ଭୋଟ୍ ହାସଲ କରିବ କି? ଏହାକୁ ନେଇ ଦ୍ୱନ୍ଦ୍ୱରେ ବିଜେଡି ଅଛି। କଂଗ୍ରେସର ଜଣେ ଟାଣୁଆ ନେତା ରାଜକିଶୋର ବେହେରା ଗତଥର କଂଗ୍ରେସ ଟିକଟ ପାଇ ନ ଥିବା ବେଳେ ଏଥର ଅବହେଳା ଅଭିଯୋଗ କରି ବିଜେପିକୁ ଯାଇସାରିଛନ୍ତି। ତାଙ୍କୁ ଟିକଟ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ୪୮,୧୦୦ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ସେହିପରି ୨୦୧୪ ନିର୍ବାଚନରେ ୫୩ ହଜାର ୫୦୫  ଭୋଟ୍ ପାଇଥିଲେ।

୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲା। ଦେବୀପ୍ରସାଦ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରି ତୃତୀୟ ସ୍ଥାନକୁ ଖସିଯାଇଥିଲା। କଂଗ୍ରେସକୁ ମାତ୍ର ୨୩ ହଜାର ଭୋଟ୍ ପାଇଥିଲା। ଦୀର୍ଘ ବର୍ଷ ଧରି ଥିବା କଂଗ୍ରେସର ପତିଆରା ୨୦୧୯ରେ ଆଉ ରହି ନ ଥିଲା। କିନ୍ତୁ ବିଜେପି ତାର ସ୍ଥାନ ଆଉ ସ୍ଥିତି ସୁଧାରିବାରେ ସଫଳ ହୋଇଥିଲା। ୨୦୦୯ ନିର୍ବାଚନରେ ବିଜେପି ମାତ୍ର ୪୫୧୪ ଭୋଟ୍ ପାଇଥିଲା।

୨୦୧୪ରେ ୧୪,୫୧୬ ଭୋଟରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ରାଜକିଶୋର କଂଗ୍ରେସରେ ୨ ଥର ବିଧାୟକ ପ୍ରାର୍ଥୀ ହୋଇ ଦଳର ଭୋଟକୁ ୫୦ ହଜାର ଉପରେ ରଖିପାରିଥିଲେ। ଏବେ ସେ ବିଜେପିକୁ ଆସିଥିବାରୁ ତାଙ୍କ ଭୋଟ, ବିଜେପି ଭୋଟ୍ ଓ କଂଗ୍ରେସ ଭୋଟ୍ ବିଭାଜନ କରି ରାଜକିଶୋରଙ୍କୁ ଜିତାଇବାକୁ ଚେଷ୍ଟା କରିବ। ସ୍ୱାଭାବିକ ଭାବେ ବିଜେଡି ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ଯଥେଷ୍ଟ ଉପରେ ରହିଥିବାରୁ ଏଥର ଅନୁକମ୍ପା ଭୋଟକୁ ମିଶାଇ ଯଥେଷ୍ଟ ଅଧିକ ଭୋଟରେ ଜିତିବ ବୋଲି ଆଶା କରିଛି। ଦଳ ପ୍ରାର୍ଥୀ ସ୍ଥିର କରି ନ ଥିଲେ, ମଧ୍ୟ ପଞ୍ଚାୟତୱାରୀ ଦାୟିତ୍ୱ ବଣ୍ଟନ କରିସାରିଛି।୨୦୦୯ ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ ରବୀନ୍ଦ୍ର ଭୋଇ ନିର୍ବାଚନ ଲଢ଼ିଥିଲେ। ଏଥିରେ ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଜକିଶୋର ବେହେରାଙ୍କଠାରୁ ୩୪ ହଜାରରୁ ଅଧିକ ଭୋଟରେ ଜିତିଥିଲେ। ସେହିପରି ୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଡାକ୍ତର ରାଜଶ୍ରୀ ମଲ୍ଲିକ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଜକିଶୋର ବେହେରାଙ୍କଠାରୁ ୩୫ ହଜାରରୁ ଅଧିକ ଭୋଟରେ ଜିତିଥିଲେ। ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ବିଷ୍ଣୁ ଦାସ ୯୩,୯୫୩ ଭୋଟ୍ ପାଇଥିବା ବେଳେ, ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କଠାରୁ ୪୦ ହଜାରରୁ ଅଧିକ ଭୋଟରେ ଜିତିଥିଲେ।

Comment