ଓଡ଼ିଶାଲାଇଭ୍ ବ୍ୟୁରୋ

କାହିଁକି ଘୋଷଣା ହେଉନି ଯୁବ ଓ ଛାତ୍ର ବିଜେଡି ସଭାପତିଙ୍କ ନାଁ?
ବିଜୁ ଜନତା ଦଳର ଯୁବ ଓ ଛାତ୍ର ସଙ୍ଗଠନର ସଭାପତି କିଏ ହେବ ସେନେଇ ଛିଣ୍ଡୁନି ଅଙ୍କ। ଦଳର ସୁପ୍ରିମୋ କାହା ଉପରେ ଏହି ଦୁଇ ସଙ୍ଗଠନର ଦାୟିତ୍ୱ ଦେବେ ତାକୁ ନେଇ ଏବେ ବି ଲାଗି ରହିଛି ଆଶା ଆଶଙ୍କା। ରାଜନୀତିର ଏହି ଗଣିତକୁ ନେଇ ଏବେ ରାଜନୀତି କରିଡରରେ ଜୋରଦାର ଅଙ୍କକଷା ଚାଲିଛି।
ଗତ ୨୩ ତାରିଖରେ ଦଳର ସଭାପତି ଯୁବ ବିଜେଡିର ନୂଆ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରିଥିଲେ। ଏହାର ଗୋଟିଏ ଦିନ ପରେ ଆଜି ଛାତ୍ର ବିଜେଡ଼ିର ମଧ୍ୟ ନୂଆ କାର୍ଯ୍ୟକର୍ତ୍ତା ନିଯୁକ୍ତ ହୋଇଛନ୍ତି। ହେଲେ ଏହି ଦୁଇ ସଙ୍ଗଠନର ନୂଆ ସଭାପତିଙ୍କ ନାଁ ଏବେ ବି ଘୋଷଣା ହୋଇନାହିଁ।
ଦଳ କେଉଁ ଦୁଇ ଚେହେରାଙ୍କୁ ଏହି ଦୁଇ ସଙ୍ଗଠନର ଭାର ଦେଲେ ରାଜନୀତିର ଗଣିତ ଠିକ୍ ରହିବା ସହିତ ଦଳରେ କୌଣସି କନ୍ଦଳ ହେବନି ସେ ନେଇ ଏବେ ଦଳ ଭିତରେ ମାନସମନ୍ଥନ ଚାଲିଥିବା ସୂଚନା ମିଳିଛି। ଏହାର କାରଣ ହେଉଛି ଏହି ଦୁଇ ପଦବୀ ପାଇଁ ଦଳରେ ଏକାଧିକ ଆଶାୟୀ ଆଶାବାନ୍ଧି ବସିଛନ୍ତି।
ଛାତ୍ର ବିଜେଡିର ପୂର୍ବତନ ସଭାପତି ରାଣାପ୍ରତାପ ପାତ୍ରଙ୍କୁ ଦଳ ବୁଧବାର ଦିନ ଯୁବ ବିଜେଡିର ବରିଷ୍ଠ ଉପ-ସଭାପତି ଭାବେ ନିଯୁକ୍ତ କରିଛି। ରାଣାପ୍ରତାପଙ୍କ ସ୍ଥାନରେ ଦଳ କାହାକୁ ଛାତ୍ର ବିଜେଡିର ଦାୟିତ୍ୱ ଦେବ ତାକୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା। ଏହି ପଦ ପାଇଁ ଦଳରେ ଏକାଧିକ ଆଶାୟୀ ଥିବାବେଳେ ଅନେକ ବିଧାୟକ ମଧ୍ୟ ଏହି ପଦ ପାଇବାକୁ ଲବି କରିଛନ୍ତି।
ବାଙ୍କୀର ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏହି ରେସର ପ୍ରଥମରେ ରହିଛନ୍ତି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସ୍ଥାନରେ ତାଙ୍କ ପୁଅ ଦେବୀରଞ୍ଜନ ଏଥର ପ୍ରଥମ କରି ବିଧାନସଭାକୁ ଆସିଛନ୍ତି। ତେଣୁ ଛାତ୍ର ବିଜେଡି ଦାୟିତ୍ୱ ପାଇବାକୁ ସେ ଦଳରେ ଲବି କରିଥିବା ସୂଚନା ମିଳିଛି।
ସେହିପରି କଟକ ଚୌଦାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାଗାରେ ତାଙ୍କ ପୁଅ ସୌଭିକ ବିଶ୍ୱାଳ ମଧ୍ୟ ନୂଆକରି ବିଧାନସଭା ଆସିଛନ୍ତି। ସେ ଏବେ ଦଳର ଜଣେ ନୂଆ ଯୁବ ଚେହେରା। ତେଣୁ ତାଙ୍କୁ ଦଳରେ ଛାତ୍ର ବିଜେଡି ଦାୟିତ୍ୱ ଦେବାକୁ ସେ ଅଡ଼ି ବସିଥିବା ଜଣାପଡ଼ିଛି। ଅନ୍ୟପଟେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ଛାତ୍ର ବିଜେଡିର ମହାସଚିବ ହରିଶଙ୍କର ରାଉତ ମଧ୍ୟ ଏହି ରେସରେ ଥିବା ଜଣାପଡ଼ିଛି।
ଅନ୍ୟପଟେ ଯୁବ ବିଜେଡି ସଭାପତି ପଦକୁ ନେଇ ମଧ୍ୟ ଅନେକ ଆଲୋଚନା ଚାଲିଛି। ଏହି ପଦ ପାଇଁ ମଧ୍ୟ ଦଳରେ ଏକାଧିକ ଆଶାୟୀ ଥିବାରୁ ଦଳ ଏଯାବତ ସଭାପତିଙ୍କ ନାଁ ଘୋଷଣା କରିନି। କେଉଁ ଯୁବ ଚେହେରାକୁ ସଙ୍ଗଠନର ଦାୟିତ୍ୱ ଦେଲେ ଦଳ ମଜଭୁତ ହେବା ସହିତ କୌଣସି କନ୍ଦଳ ହେବ ନାହିଁ ସେ ନେଇ ଦଳ ଏବେ ବିଚାର କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।


















