ଓଡ଼ିଶାଲାଇଭ୍ ବ୍ୟୁରୋ

ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ମହାନଦୀ ଉପରେ ନିର୍ମାଣ ହେବ ଦୁଇଟି ନୂଆ ସେତୁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ତିର୍ତ୍ତୋଲ ଓ ପୋଷଳ ଅଞ୍ଚଳରେ ଗୋଟିଏ ସେତୁ ଏବଂ ଜଇପୁର ଓ କଟିକଟା ମଧ୍ୟରେ ଆଉ ଗୋଟିଏ ସେତୁ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଆଜି ଶିଳାନ୍ୟାସ କରିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଉପରେ ସବୁବେଳେ ଜୋର ଦେଇ ଆସୁଛନ୍ତି। ଗତ ୨୦ ବର୍ଷ ଭିତରେ ଓଡିଶା ଭିତ୍ତିଭୂମି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି। ଏଥିସହିତ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ,କରୋନା ଲଢ଼େଇ ସହ ବିକାଶ କାମ ଜାରି ରହିବ। ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ଆଗରୁ ବଢ଼ିବାକୁ ହେବ।ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ- ପୋଷଳଠାରେ ସେତୁ ନିର୍ମାଣ ପାଇଁ ଗତ କିଛି ଦିନ ତଳେ ରାଜ୍ୟ ସରକାର ଅନୁମୋଦନ ଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ୱାରା ଜଗତସିଂହପୁର ଜିଲ୍ଲା ସହ କେନ୍ଦ୍ରାପଡ଼ା ଜିଲ୍ଲା ଯୋଡ଼ି ହୋଇପାରିବ। ବିଶେଷକରି ତିର୍ତ୍ତୋଲ ବ୍ଲକର ୧୦ଟି ପଞ୍ଚାୟତ, କୁଜଙ୍ଗ ବ୍ଲକର ୫ଟି  ଓ ଗରଦପୁର ବ୍ଲକର ୫ଟି ପଞ୍ଚାୟତ ଏହାଦ୍ୱାରା ସବୁଦିନିଆ ଯୋଗାଯୋଗର ସୁବିଧା ପାଇପାରିବେ। ଏଥିପାଇଁ ମୋଟ ୧୧୮ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ସେହିପରି ଜଇପୁର ଓ କଟିକଟା ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ମୋଟ ୮୨ କୋଟି ୫୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ଏହାଦ୍ୱାରା ଜଗତସିଂହପୁର ଜିଲ୍ଲା ସହ କଟକ ଜିଲ୍ଲାକୁ ଗମନାଗମନ ସହଜ ହେବ। ଏହି ସେତୁ ନିର୍ମାଣ ହେଲେ ପ୍ରାୟ ୫୦ ହଜାର ଲୋକ ଏହାର ସୁବିଧା ପାଇପାରିବେ ବୋଲି କୁହାଯାଇଛି।

Comment