ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ାରେ ଗାଈ କ୍ଷୀରର ଅଭାବି ବିକ୍ରି ଉପରେ ରୋକ୍ ଲଗାଇବାକୁ ପ୍ରୟାସ ଆରମ୍ଭ କରିଛି ମାତୃଶକ୍ତି ଡାଏରି। ଜିଲ୍ଲାର ଗୋ-ପାଳକମାନଙ୍କଠାରୁ ସବୁ ସମୟରେ ଦୁଗ୍ଧ ସଂଗ୍ରହ କରି ଏହି ଡାଏରି ସେମାନଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନ କରିବ। ଏହି ଦୁଗ୍ଧରୁ ଛେନା ଏବଂ ଭିନ୍ନ ଭିନ୍ନ ମିଷ୍ଟାନ୍ନ ପ୍ରସ୍ତୁତ କରାଯିବ। ସେଗୁଡ଼ିକୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ବିକ୍ରି କରାଯିବ। ଏନେଇ ମାତୃଶକ୍ତି ଡାଏରିର ମୁଖ୍ୟ ବେଣୁଧର ସାହୁ ସୂଚନା ଦେଇଛନ୍ତି।

କରୋନା ମହାମାରୀ ଯୋଗୁଁ ବିଭିନ୍ନ ବ୍ୟବସାୟ ଗଭୀର ଭାବେ ପ୍ରଭାବିତ ହୋଇଛି। ଗାଁର ଦୁଗ୍ଧ ଚାଷୀମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ଦୁଗ୍ଧର ଅଭାବି ବିକ୍ରି କାରଣରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଦୁଗ୍ଧ ସଂଗ୍ରହ କରୁଥିବା ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ସବୁ ସମୟରେ ଦୁଗ୍ଧ କିଣୁନଥିବାରୁ ଦୁଗ୍ଧ ଚାଷୀ ହତାଶ ହେଉଛନ୍ତି।

ଏମିତି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ଦୁଗ୍ଧଜାତ ଜିନିଷ ପ୍ରସ୍ତୁତ କରୁଥିବା ମାତୃଶକ୍ତି ଡାଏରି ନାମକ ଏହି ବେସରକାରୀ ସଂସ୍ଥା ଦୁଗ୍ଧ ଚାଷୀମାନଙ୍କୁ ସହାୟତାର ହାତ ବଢ଼ାଇଛି। ଚାଷୀମାନଙ୍କୁ ଉଚିତ୍ ଦର ଦେଇ ଦୁଗ୍ଧ କିଣିବ ଏହି ମାତୃଶକ୍ତି ଡାଏରି। ଏହି ଦୁଗ୍ଧରୁ ଛେନା ପ୍ରସ୍ତୁତ କରାଯିବ।ଏହାଛଡ଼ା ଏବେ ଏହି ବ୍ୟବସାୟିକ କେନ୍ଦ୍ରରେ ପ୍ରାଥମିକ ଭାବେ ୩୦ ଜଣ କୁଶଳୀ ଓ ଅଣକୁଶଳଳୀ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ଏହାର କଳେବର ବୃଦ୍ଧି ପାଇଲେ ଶତାଧିକ ଶ୍ରମିକଙ୍କୁ ଏଠାରେ କର୍ମ ସଂସ୍ଥାନ ଯୋଗାଇ ଦିଆଯିବ ବୋଲି ମାତୃଶକ୍ତି ଡାଏରିର ମୁଖ୍ୟ ବେଣୁଧର ସାହୁ କହିଛନ୍ତି।

ଏଠାରୁ ସଂଗୃହୀତ ଛେନାରୁ କେନ୍ଦ୍ରାପଡ଼ା ପ୍ରସିଦ୍ଧ ଉଚ୍ଚମାନର ରସାବଳୀ ତିଆରି ହେବ। ଖାଲି ରସାବଳୀ ନୁହେଁ ଉଚ୍ଚ ମାନର ଛେନା ପୋଡ଼, ଛେନା ଝିଲ୍ଲୀ, ଛେନା ମୁଡ଼କି, ରସ କଦମ୍, ଛେନା ଗଜା ଆଉ ପାହାଳ ପରି ରସଗୋଲା ତିଆରି କରାଯିବ ବୋଲି ବେଣୁଧର ସାହୁ ସୂଚନା ଦେଇଛନ୍ତି।

ଏହାଛଡ଼ା ଏହି ଡାଏରିରେ ଭଲ ଗାଈ ଘିଅ ମଧ୍ୟ ଯୋଗାଇ ଦିଆଯିବାକୁ ଯୋଜନା କରାଯାଇଛି। ପରିମାଣ ଓ ମାନରେ ସବୁଠୁ ଆଗରେ ରହି ଲୋକଙ୍କ ହୃଦୟ ଜିଣିବା ଏହି ଯୋଜନାର ଲକ୍ଷ୍ୟ ବୋଲି ଶ୍ରୀ ସାହୁ କହିଛନ୍ତି।ପାହାଳ ରସଗୋଲା ଦୋକାନ ପରି କେନ୍ଦ୍ରାପଡ଼ା ଜିଲ୍ଲା କଟକ ଚାନ୍ଦବାଲି ରାସ୍ତାର ଜଣ୍ଟିଲୋ ଆଇବି ଛକରେ ଏହି ବ୍ୟବସାୟ ଆରମ୍ଭ ହୋଇଛି। ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ର।  ଜିନିଷର ମାନ ଉତ୍କୃଷ୍ଟ ରହୁଥିବାରୁ ଆରମ୍ଭରୁ ଏଠାରେ ଗରାଖଙ୍କ ଭିଡ଼ ବାରି ହେଲାଣି।

Comment