ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଟ୍ୟାଙ୍କର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା ନେଇ ଉତ୍ତେଜିତ ହୋଇଥିଲେ ସ୍ଥାନୀୟ ଲୋକେ। ମଙ୍ଗଳବାର ଉତ୍ତ୍ୟକ୍ତମାନେ ରାୟଗଡ଼ା-ବିଷମକଟକ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ବୁଝାସୁଝା ପରେ ଲୋକେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

ସୋମବାର ରାୟଗଡ଼ା ଜିଲ୍ଲାର ବିଷମକଟକ ଥାନା ଝିମିରିଗୁଡ଼ା ନିକଟରେ ଟ୍ୟାଙ୍କର ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ରାୟଗଡ଼ା-ବିଷମକଟକ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।ସୋମବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଗ୍ରାମର ବାମି କୃଷିକା ଅଟୋରୁ ଓହ୍ଲାଇ ଘରକୁ ଯାଉଥିବା ବେଳେ ରାୟଗଡ଼ାରୁ ମୁନିଗୁଡା ଅଭିମୁଖେ ଯାଉଥିବା ଏଖ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା। ମହିଳାଙ୍କୁ ବଞ୍ଚାଇବା ପାଇଁ ଟ୍ୟାଙ୍କର ଡ୍ରାଇଭର ଚେଷ୍ଟା କରିଥିବା ବେଳେ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡିଥିଲା।

ଗୁରୁତର ଅବସ୍ଥାରେ ବାମିଙ୍କୁ ଚିକିତ୍ସା ପାଇଁ ବିଷମକଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିପାଇଁ କ୍ଷତିପୂରଣ ଦାବିରେ ମଙ୍ଗଳବାର ସକାଳେ ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା।ଅବରୋଧ ପାଇଁ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ଥାନାକୁ ଆଲୋଚନା ପାଇଁ ଡାକିବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭର ଫେରାର୍ ହୋଇ ଯାଇଥିବା ବେଳେ ପୁଲିସ ମାମଲା ରୁଜୁ କରି ଘଟଣାର ଛାନବିନ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।

Comment