ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ପ୍ରଶାସନିକ ପ୍ରସ୍ତୁତି ଜୋରଦାର ଚାଲିଛି। କେଉଁଠି କେଉଁଠି ଏକାଧିକ ବୁଥ୍ ହେବ। କେମିତି କରୋନା ସ୍ଥିତିରେ ଭୋଟରଙ୍କ ସୁରକ୍ଷାକୁ ନିଶ୍ଚିତ କରାଯିବ, ତା ଉପରେ ନଜର। ଭୋଟରଙ୍କ ଭିତରେ ବିଶେଷ ଉଷ୍ମତା ଧରି ନ ଥିଲେ ମଧ୍ୟ ୩ଟି ପ୍ରମୁଖକ ଦଳର ବିଭିନ୍ନ କ୍ୟାମ୍ପରେ ଏହାକୁ ନେଇ ଭିତରେ ଭିତରେ ଆଲୋଚନା ଚାଲିଛି।

ନିର୍ବାଚନକୁ ନେଇ କେହି ବି ପୂର୍ଣ୍ଣମାତ୍ରାରେ ଉତ୍ସାହ ଦେଖାଇପାରୁନାହାନ୍ତି। ବିଜେପିର ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଅନୁକମ୍ପା ଭୋଟକୁ ନେଇ ବିଜେପି ବେଶୀ ସକରାତ୍ମକ ଆକଳନ କରିପାରୁନି। କାରଣ ମଦନମୋହନ ଦତ୍ତଙ୍କ ଅପେକ୍ଷା ମୋଦିଙ୍କ କ୍ରେଜ ପାଇଁ ସହରାଞ୍ଚଳ ଭୋଟର ବିଜେପିକୁ ଭୋଟ୍ ଦେଇଥିଲେ। ତେଣୁ ମଦନମୋହନଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କଲେ ସେ ଅନୁକମ୍ପା ଭୋଟ ଆସିବ ବୋଲି ନିଶ୍ଚିତ ହୋଇପାରୁନି ବିଜେପି। ତେଣୁ ମଦନଙ୍କ ପୁଅ ସଂଗଠନରେ ପୂର୍ବରୁ ସାମିଲ ହୋଇଥିଲେ ମଧ୍ୟ ବାପାଙ୍କ ଉପସ୍ଥିତିରେ ସେତିକି ପ୍ରଭାବୀ ନ ଥିଲେ। ପତ୍ନୀ ମଧ୍ୟ ସଂଗଠନ ଓ ରାଜନୀତି ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅନଭିଜ୍ଞ।

ଯଦି ଅନୁକମ୍ପା ଭୋଟ ଆସିବ ବୋଲି ସେମାନଙ୍କ ଆଭ୍ୟନ୍ତରୀଣ ସର୍ଭେରୁ ନିଶ୍ଚିତ ହୋଇପାରିଥାନ୍ତେ, ତେବେ ହୁଏତ ତାଙ୍କ ପରିବାରରକୁ କାହାକୁ ଟିକଟ ଦେବା ନେଇ ଦଳ ସ୍ଥିର କରିଥାନ୍ତା। ଏମିତି ପରିସ୍ଥିତିରେ ଆଉଜଣେ ବରିଷ୍ଠ ରାଜନେତାଙ୍କ ନାଁ ଏ ଚର୍ଚ୍ଚା ଭିତରକୁ ଆସିଛି। ଖାରବେଳ ସ୍ୱାଇଁଙ୍କ ବ୍ୟକ୍ତିତ୍ୱ ବେଶ ଭଲ ହୋଇଥିବା ବେଳେ, ସେ ଦୀର୍ଘଦିନ ଧରି ବାଲେଶ୍ୱର ରାଜନୀତିରେ ସକ୍ରିୟ ଥିଲେ। ଏପରିକି ଏକାଧିକ ଥର ସେ ସାଂସଦ ହୋଇଛନ୍ତି। ଭଲ ସାଂସଦ ଭାବେ ତାଙ୍କର ପରିଚୟ, ନିର୍ମଳ ଭାବମୂର୍ତ୍ତି ଯୋଗୁ ବିଜେପିର ଶୀର୍ଷ ନେତୃତ୍ୱ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଚାର କରୁଛି। ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଆଗାମୀ ପୌର ନିର୍ବାଚନରେ ଦଳ ପୌରପାଳ ଟିକଟ ଦେବ ବୋଲି ମାନସଙ୍କ କ୍ୟାମ୍ପକୁ ବୁଝାଇବାକୁ ଚେଷ୍ଟା କରାଯାଉଛି ବୋଲି ଦଳର କିଛି ଛାମୁଆ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି।

jiban pradeep das

ଏ ପରିସ୍ଥିତିରେ ବିଜେଡି ଏବେ ବି ଦ୍ୱନ୍ଦ୍ୱରେ ଅଛି। ଜୀବନ ପ୍ରଦୀପ ଦାସ ଓ ସୁବାସିନୀ ଜେନାଙ୍କ ପ୍ରାର୍ଥୀର୍ତ୍ୱକୁ ନେଇ ଦଳ ବିଚାର କରୁଛି। ଉଭୟ ଗୋଷ୍ଠୀ ଟାଣୁଆ ହୋଇଥିବାରୁ ଦଳ ପ୍ରାଥମିକସ୍ତରରେ ଉଭୟଙ୍କୁ ବସାଇ ଆଲୋଚନା କରୁଥିବା ଦଳର ବରିଷ୍ଠ ମହଲରେ ଆଲୋଚନା ହେଉଛି। ଯାହାକୁ ବି ପ୍ରାର୍ଥୀ କରାଯିବ, ତାଙ୍କ ସପକ୍ଷରେ ସହମତି ସୃଷ୍ଟି କରିବାକୁ ଦଳର ବରିଷ୍ଠ ନେତୃତ୍ୱ ଚେଷ୍ଟା ଚଳାଇଛନ୍ତି। ଯଦି ଏଠାରେ ପର୍ଯ୍ୟବେକ୍ଷକ କିମ୍ବା ବରିଷ୍ଠ ନେତା କିଛି ସହମତି ସୃଷ୍ଟି କରିବାରେ ବିଫଳ ହୁଅନ୍ତି, ତେବେ ଦଳର ସୁପ୍ରିମୋ ହିଁ ଯାହାକୁ ଘୋଷଣା କରିବେ ତାଙ୍କୁ ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଦଳର ବରିଷ୍ଠନେତାଙ୍କ ମହଲରେ ଆଲୋଚନା ହେଉଛି।

କଂଗ୍ରେସ କିନ୍ତୁ ଏ ଦୃଷ୍ଟିରୁ ବେଶ ପଛରେ ରହିଛି। କାରଣ ଏଠାରେ ମାନସଦାସ ପଟ୍ଟନାୟକ ପ୍ରାର୍ଥୀ ହେବେ କି ଦଳର ସାଂସଦ ପ୍ରାର୍ଥୀ ଥିବା ନବଜ୍ୟୋତି ପଟ୍ଟନାୟକ ହେବେ ତାହା ସ୍ଥିର କରିପାରୁନି ଦଳ। କାରଣ କିଛି ବରିଷ୍ଠ ନେତାଙ୍କ କହିବା କଥା, ନିଜେ ନବଜ୍ୟୋତି ପଟ୍ଟନାୟକ ଏଠାରୁ ପ୍ରାର୍ଥୀ ହେବାକୁ ପୂରା ମନ ସ୍ଥିର କରିପାରୁନାହାନ୍ତି। ଏଠାରେ ଦଳ ଯଦି ହାରିଯିବ ତେବେ ତାଙ୍କର ଦୁଇଆଡୁ କ୍ଷତିହେବ। କାରଣ ୨୦୨୪ ନିର୍ବାଚନ ପାଇଁ ସେ ପ୍ରସ୍ତୁତି ଚଳାଉଥିବା ବେଳେ, ଏହି ନିର୍ବାଚନର ଫଳାଫଳ ତାଙ୍କ କ୍ୟାରିଅରକୁ ପ୍ରଭାବିତ କରିବ। ୨ ଥର ହାରିଲେ ସେ ୨୪ ନିର୍ବାଚନରେ ଟିକଟ ପାଇଁ ସେତିକ ଦୃଢ଼ ଭାବେ ଦାବି କରିପାରିବେ ନାହିଁ। ବାକି ରହିଲେ ମାନସ ଦାସ ପଟ୍ଟନାୟକ, ପୂର୍ବରୁ ନିର୍ବାଚନ ଲଢ଼ିବାର ଅଭିଜ୍ଞତା ରହିଛି। ସହରରେ ସଂଗଠନ ଥିବାରୁ ତାଙ୍କୁ ମଧ୍ୟ ପ୍ରାର୍ଥୀ କଲେ ନବଜ୍ୟୋତିଙ୍କର ଆପତ୍ତି ରହିବ ନାହିଁ ବୋଲି କିଛି ବରିଷ୍ଠ ନେତା ପ୍ରକାଶ କରିଛନ୍ତି। ଏହାବାଦ ଆହୁରି 5ରୁ ଅଧିକ ଆଶାୟୀ କଂଗ୍ରେସ ଟିକଟ ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି।

Comment