ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ତଥା ଏଲ୍‌ଜେପି ନେତା ରାମବିଳାସ ପାଶ୍ୱାନଙ୍କ ଗୁରୁବାର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

ପରଲୋକ ସମ୍ପର୍କରେ ତାଙ୍କ ପୁଅ ଚିରାଗ ପାଶ୍ୱାନ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ନିଜ ଟୁଇଟ୍‌ରେ ଲେଖିଛନ୍ତି, ‘ବାପା, ଆପଣ ଏ ଦୁନିଆରେ ଆଉ ନାହାନ୍ତି ସତ; କିନ୍ତୁ ମୁଁ ଜାଣିଛି, ଆପଣ ଯେଉଁଠି ଥିଲେ ବି ମୋ’ ସହ ସବୁବେଳେ ଅଛନ୍ତି। ମିସ୍ ୟୁ ପାପା।’

ଅସୁସ୍ଥତା କାରଣରୁ ରାମବିଳାସ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ରାମବିଳାସଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶୋକ ବ୍ୟକ୍ତ କରି କହିଛନ୍ତି, ‘ଦେଶ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତାଙ୍କୁ ହରାଇଲା।’ ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ‘ସେ ବନ୍ଧୁ ଓ ଜଣେ ଦୃଢ଼ମନା ସହଯୋଗୀଙ୍କୁ ହରାଇଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ୍ କରି ଶୋକ ଜଣାଇବା ସହ କହିଛନ୍ତି, ‘ପାଶଓ୍ୱାନ ଜଣେ ଅଭିଜ୍ଞ ଓ ଲୋକପ୍ରିୟ ନେତା ଥିଲେ।’ ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାମବିଳାସଙ୍କ ପରଲୋକରେ ଶୋକ ବ୍ୟକ୍ତ କରି କହିଛନ୍ତି, ‘ତାଙ୍କ ବିୟୋଗ ଖବର ଶୁଣି ମୁଁ ସ୍ତବ୍ଧ। ନିଜର ଦୀର୍ଘ ରାଜନୈତିକ ଜୀବନରେ ସେ ସବୁବେଳେ ଗରିବ ଓ ଅବହେଳିତ ବର୍ଗକୁ ମୁଖ୍ୟଧାରାରେ ଯୋଡ଼ିବା ପାଇଁ କାମ କରିଛନ୍ତି।’

LEAVE A REPLY

Please enter your comment!
Please enter your name here