ଅସିତ ମହାନ୍ତି

ରାଜ୍ୟ ସରକାର ଗତ ସେପ୍ଟେମ୍ବର ୨୪ରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି ଜଣାଇଛନ୍ତି। ଏହାସହ ଓଡ଼ିଶାବାସୀଙ୍କୁ ପୁଣିଥରେ ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ସ୍ୱପ୍ନ ଦେଖାଇଛନ୍ତି ରାଜ୍ୟ ସରକାର। ଓଡ଼ିଶୀ ସଙ୍ଗୀତର ଇତିହାସ କ’ଣ ? ଏହି ସଙ୍ଗୀତ ପାଇଁ ଶାସ୍ତ୍ରୀୟତା ଦାବି ଓ ଏହାର ଯଥାର୍ଥତା କ’ଣ ରହିଛି ? ବରିଷ୍ଠ ସ୍ତମ୍ଭକାର ‘ଅସିତ ମହାନ୍ତି’ଙ୍କ ଏହି ଆଲେଖ୍ୟଟି ପଢ଼ିଲେ ଆପଣ ଏ ସବୁ ପ୍ରଶ୍ନର ଉତ୍ତର ପାଇଯିବେ ନିଶ୍ଚୟ। ଲେଖକଙ୍କ ଅନୁମତି କ୍ରମେ ତାଙ୍କ ଲେଖାଟିକୁ ଅବିକଳ ଏଠାରେ ଉପସ୍ଥାପନ କରାଯାଇଛି, ଯାହା ଏବେ ମଧ୍ୟ ପ୍ରାସଙ୍ଗିକ।

‘ଆଉ ଶହେ ବର୍ଷ ଏମିତି ଚାଲିଲେ ବି ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ହୋଇପାରିବନି ।’ ୨୦୧୫ ଅକ୍ଟୋବର ୨୫ ତାରିଖ ଏହା ଥିଲା ‘ରବିବାର ସମ୍ୱାଦ’ରେ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଏକ ସାକ୍ଷାତ୍‍କାରର ଶୀର୍ଷକ । କିନ୍ତୁ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଶ୍ରୀ କରଙ୍କ କାହିଁକି ଏଭଳି ନୈରାଶ୍ୟ ?

ଆଜି ସିନା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ କବିତା ଓ ଗୀତି କବିତା ଦୁଇଟି ଅଲଗା ଅଲଗା ବିଭାଗ ହୋଇଛି। କିନ୍ତୁ ଆଗରୁ ତାହା ନ ଥିଲା । କାବ୍ୟ-କବିତା ଥିଲା ଗୋଟିଏ ବିଭାଗ । ପୁଣି ପଛକୁ ପଛକୁ ଗଲେ ଦେଖାଯିବ ଯେ ଗଦ୍ୟ ଓ ପଦ୍ୟ ମଧ୍ୟରେ ଦିନେ କୌଣସି ଭେଦ ନ ଥିଲା । ସବୁ ସାହିତ୍ୟିକ କବି ରୂପେ ବିବେଚିତ ହେଉଥିଲେ।

ଓଡ଼ିଶାର ପ୍ରାଚୀନ ସାହିତ୍ୟ ମୁଖ୍ୟତଃ ପଦ୍ୟରେ ରଚିତ । ସେସବୁର ସାଂଗୀତିକ ଉତ୍କର୍ଷ ମଧ୍ୟ ଅତୁଳନୀୟ । ଏ ଦୃଷ୍ଟିରୁ ଆମର ପ୍ରାଚୀନ ସାହିତ୍ୟ ହେଉଛି ସଂଗୀତ-ସାହିତ୍ୟ । ସଂଗୀତ ଶବ୍ଦର ବ୍ୟୁତ୍ପତ୍ତି କହେ- ଏହା ନୃତ୍ୟ ଓ ବାଦ୍ୟ ସହିତ ଗୀତ । ଏଣୁ ତାଳ, ଲୟ ଓ ବୃତ୍ତ ଆଦିରେ ସମନ୍ୱିତ, ସରସ ରଚନା ହେଉଛି ଆମର ପଦ୍ୟ ସାହିତ୍ୟ । ଏ ଦୃଷ୍ଟିରୁ ‘ପ୍ରାଚୀନ ଉତ୍କଳ’ର ରଚୟିତା ଜଗବନ୍ଧୁ ସିଂହ ଏକଦା ‘ଭଞ୍ଜ ପ୍ରଦୀପ’ ପତ୍ରିକାରେ ଲେଖିଥିଲେ, ‘ପଦ୍ୟ ସାହିତ୍ୟର ବହୁଳତା ଉତ୍କଳରେ ସଂଗୀତ ବିଦ୍ୟାର ଉତ୍କର୍ଷ ପ୍ରମାଣ କରୁଅଛି । ଉତ୍କଳ ସଂଗୀତରେ ସ୍ୱାତନ୍ତ୍ର‌୍ୟ ଥିଲା । ଓଡ଼ିଶୀ ସଂଗୀତ ଅନ୍ୟାନ୍ୟ ପ୍ରାଦେଶିକ ସଂଗୀତଠାରୁ ସଂପୂର୍ଣ୍ଣ ପୃଥକ୍ । ଓଡ଼ିଶାର ଛାନ୍ଦ ଲେଖା ପରି ଲେଖା ଅନ୍ୟତ୍ର ବିରଳ । ସଂଗୀତ ଓଡ଼ିଶାରେ ନାନା ଆକାର ପ୍ରକାରରେ ଦେଖାଯାଏ । ଶଗଡ଼ିଆ ଗୀତ, ହଳବୁଲା ଗୀତ, ପା ବୁହା ଗୀତ, ନଉଡ଼ି ଖେଳ ଗୀତ, ଚଇତିଘୋଡ଼ା ଗୀତ, ପାଟୁଆ ଗୀତ, ପୁଞ୍ଚିଖେଳ ଗୀତ, ଶିଶୁରଞ୍ଜନ ଓ ଶିଶୁକ୍ରୀଡ଼ାଠାରୁ ଆରମ୍ଭ କରି ଚଉପଦୀ, ଚଉତିଶା, ଭଜନ, ଜଣାଣ, ଛାନ୍ଦ, ସଂଗୀତ ପ୍ରଭୃତି ନାନା ଛାନ୍ଦର, ସଂଗୀତର ଆଲୋଚନା ହେଉଥିଲା ।’

କିନ୍ତୁ ସମୟକ୍ରମେ ଏହି ଧାରା ପୂର୍ବର ଗତିବେଗ ହରାଇ ବସିଛି । ଏହା ଯେ ଏଇ ଦୁଇ-ତିନି ଦଶନ୍ଧି ଭିତରେ ହୋଇଛି, ତା’ ନୁହେଁ । ସେଥିପାଇଁ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ (ସପ୍ତମ ଖଣ୍ଡ, ୧୯୪୦)ର ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜ ‘ସଂଗୀତ’ ଶବ୍ଦ ପ୍ରସଙ୍ଗରେ ପ୍ରାୟ ୭୫ ବର୍ଷ ତଳେ ଲେଖିଥିଲେ, ‘ଆଧୁନିକ ଓଡ଼ିଶାରୁ ପ୍ରାଚୀନ (କ୍ଲାସିକାଲ୍‍) ସଂଗୀତର ଚର୍ଚ୍ଚା ଏକପ୍ରକାର ଉଠିଯିବାର ଉପକ୍ରମ ହୋଇଅଛି କହିଲେ ଅତ୍ୟୁକ୍ତି ହେବନାହିଁ । ଶିକ୍ଷିତ ଉତ୍କଳୀୟମାନେ ବଙ୍ଗୀୟ, ହିନ୍ଦୁସ୍ଥାନୀ ଓ ଫରାସୀ ସଂଗୀତ ଅନୁକରଣରେ ସଂଗୀତ ରଚନା ଓ ଗାନ କରୁଥିବା ଦେଖାଯାଏ। ଉପେନ୍ଦ୍ର, ବନମାଳୀ, ଗୋପାଳକୃଷ୍ଣ, କବିସୂର୍ଯ୍ୟ ପ୍ରଭୃତି ଉତ୍କଳର ପ୍ରାଚୀନ କବିମାନଙ୍କର ସଂଗୀତମାନ ଆଦିରସାତ୍ମକ ଥିଲେ ହେଁ ତହିଁର ରାଗରାଗିଣୀମାନଙ୍କର ବିଶିଷ୍ଟତା ଓ ବୈଚିତ୍ର‌୍ୟ ଅଛି । ଓଡ଼ିଶୀ ସଂଗୀତରେ ପାରଦର୍ଶିତା ଲାଭ କରିବା ପାଇଁ ଯେତେ ସାଧନା ଓ ତାଳ ଜ୍ଞାନ ଦରକାର, ବଙ୍ଗୀୟ ଓ ହିନ୍ଦୁସ୍ଥାନୀ ଗୀତ ବୋଲିବା ପାଇଁ ସେତେ ପରିଶ୍ରମ ଲୋଡ଼ା ହେଉ ନ ଥିବାରୁ ଆଧୁନିକ ଶିକ୍ଷିତମାନେ ଓଡ଼ିଶୀ ସଂଗୀତ ପ୍ରତି ଯଥେଷ୍ଟ ମନୋଯୋଗ ଦେଉ ନ ଥିବା ଦେଖାଯାଏ ।’

ସ୍ୱାଭାବିକ ଭାବରେ ଏହି ପ୍ରାୟ ୭୫ ବର୍ଷ ଭିତରେ ପରିସ୍ଥିତି ଆହୁରି ପ୍ରତିକୂଳ ହୋଇଛି । ସମ୍ଭବତଃ ତାହାରି ପ୍ରତିଧ୍ୱନି ଶୁଣିବାକୁ ମିଳିଛି ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଉକ୍ତିରେ । ସେ ଖୁବ୍‍ ସ୍ପଷ୍ଟ ଭାଷାରେ କହିଛନ୍ତି, ‘ଆମର ଆବିଲିଟି ନାହିଁ । ଗଳା ପ୍ରସ୍ତୁତ କରିବା ପାଇଁ ହିନ୍ଦୁସ୍ତାନୀ-କର୍ଣ୍ଣାଟକୀରେ ବହୁ ପରୀକ୍ଷିତ ପଦ୍ଧତି ରହିଛି । ଆମର ଏବେ ଗୋଟେ ପଦ୍ଧତି କରିଛନ୍ତି । ଅବଶ୍ୟ ଏଥିରେ ପ୍ରତିବର୍ଷ ପଚାଶ ଶହେ ବାହାରୁଛନ୍ତି ଡିଗ୍ରୀଧାରୀ । ପଦେ ଗାଇକି ଦେଖାଅ ! ସାଧାରଣ ଗୀତଟେ ଗାଅ ! ଦରକାର ନାହିଁ ତାନ୍‍ -ସରଗମ୍‍ । କେମିତି ବୁଝେଇବି ମୁଁ ? ଯେତେ ପିଲା ଓଡ଼ିଆରେ ଗାଉଛନ୍ତି, ଅଧିକାଂଶ ପିଲା ଓଡ଼ିଆ ଗୀତକୁ ଇଂଲିଶରେ ଲେଖିକି ଆଣି ଗାଉଛନ୍ତି । ଆମେ କହୁଛୁ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା । କଣ ବୁଝେଇବି ! ଆମର ହେଉଛି ଭାଷା-ପ୍ରଧାନ । ‘ଶ୍ରୀମତୀ ଶ୍ରୀପତି ବୃନ୍ଦାବନେ କେଳି ରଚିଲେ ବୃନ୍ଦାବନ ଶୋଭା ତରୁ, ତରୁ ତଳେ କଳ୍ପତରୁ… କ’ଣ ବୁଝିବ ଏଥିରୁ ? ତମେ ବୁଝୁଛ କିଛି? ‘ତରୁଣୀ ରତନ ତରୁ…’ । ଯଦି ସିଏ ଭାଷା ବୁଝୁନାହାନ୍ତି, ଆମେ ଭାବ ଦେବୁ କ’ଣ ? ଯଦି ଗାଇବାବାଲା ବୁଝୁ ନାହାନ୍ତି କି ଶୁଣିବାବାଲା ବୁଝୁ ନାହାନ୍ତି !’

ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ କ୍ଷୋଭର କିଛି ଯଥାର୍ଥତା ନିଶ୍ଚୟ ଅଛି । କାରଣ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷା ଯେଉଁ ପ୍ରାଚୀନ ସାହିତ୍ୟ ପାଇଁ ଏହି ମାନ୍ୟତା ପାଇଲା- ସେ ଭାଷା ବା ତା’ର ସାଂଗୀତିକ ମର୍ଯ୍ୟାଦା ବୁଝିବା ଲୋକ ଆଜି କେବଳ ସଂଗୀତରେ କାହିଁକି, ଆମ ସାହିତ୍ୟରେ ବି କମ୍‍ ଅଛନ୍ତି । ସେଇଥିପାଇଁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଯେତେବେଳେ ପଦ୍ମଶ୍ରୀ କୁଙ୍କୁମ ମହାନ୍ତିଙ୍କୁ ପ୍ରଶ୍ନ କରାଯାଇଥିଲା- ଓଡ଼ିଶୀ ନୃତ୍ୟ ତ ଶାସ୍ତ୍ରୀୟ ମାନ୍ୟତା ପାଇଥିଲା, ଏବେ ଓଡ଼ିଆ ଭାଷା ବି ଶାସ୍ତ୍ରୀୟ ମାନ୍ୟତା ପାଇଲା; ଓଡ଼ିଶୀ ସଂଗୀତ ଶାସ୍ତ୍ରୀୟ ମାନ୍ୟତା ପାଇବ କେବେ ? ତାହାର ଉତ୍ତରରେ ଶ୍ରୀମତୀ ମହାନ୍ତି ଠିକ୍‍ ଏଇ କଥା କହିଥିଲେ । ଆମର ପ୍ରାଚୀନ ଓ ସମୃଦ୍ଧ ପଦ୍ୟ ସାହିତ୍ୟକୁ ବୁଝିବା ପରି ଲୋକ ଆଜି ନାହାନ୍ତି ।

ତା’ହେଲେ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ପାଇଁ ଓଡ଼ିଶାର ଲୋକଙ୍କୁ କାହିଁକି ସ୍ୱପ୍ନ ଦେଖାଇ ଆସୁଛନ୍ତି ଆମ ରାଜ୍ୟର ସରକାର ? ଏହା କ’ଣ ଏକ ଅବାସ୍ତବ ସ୍ୱପ୍ନ ?

ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ଉଦ୍ୟମର ଇତିହାସ ଦୀର୍ଘ ପ୍ରାୟ ୨୦ ବର୍ଷର । କାରଣ ୧୯୯୬ ଅଗଷ୍ଟ ମାସ ୨୬ରେ ରାଜ୍ୟର ପ୍ରମୁଖ ନୃତ୍ୟ-ସଂଗୀତ ଗବେଷଣା ଅନୁଷ୍ଠାନ ‘ଓଡ଼ିଶୀ ଗବେଷଣା କେନ୍ଦ୍ର’ ପକ୍ଷରୁ ଓଡ଼ିଶୀ ସଂଗୀତର ରାଗ ସ୍ଥାପତ୍ୟ ସଂପର୍କରେ ଏକ ଶୀର୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେହି ସମ୍ମିଳନୀରେ ତତ୍‍କାଳୀନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁଧାଂଶୁ ଭୂଷଣ ମିଶ୍ର ଓ ଓଡ଼ିଶୀ ସଂଗୀତର ବିଶିଷ୍ଟ ଗୁରୁ ପଣ୍ଡିତ ନୀଳମାଧବ ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ କୁଙ୍କୁମ ମହାନ୍ତି ସେଥିରେ ପୌରୋହିତ୍ୟ କରିଥିଲେ ।

ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ନେଇ ଦୀର୍ଘଦିନ ଧରି ବାଦାନୁବାଦ ଚାଲିଥିବା ନେଇ ସେହି ସଭାରେ ତତ୍‍କାଳୀନ ସଂସ୍କୃତି ମନ୍ତ୍ରୀ ତଥା ମୁଖ୍ୟ ଅତିଥି ଭୂପିନ୍ଦର ସିଂହ କ୍ଷୋଭ ପ୍ରକାଶ କରିଥିଲେ ଏବଂ ଏହି ସମ୍ମିଳନୀ ସେଥି ନିମନ୍ତେ ଏକ ଭିତ୍ତିଭୂମି ପ୍ରସ୍ତୁତ କରିଛି ବୋଲି କହିଥିଲେ । ସମ୍ମିଳନୀ ଶେଷରେ ପଣ୍ଡିତ ନୀଳମାଧବ ପାଣିଗ୍ରାହୀ ଘୋଷଣା କରିଥିଲେ ଯେ- ଶାସ୍ତ୍ରୀୟ ଓଡ଼ିଶୀ ସଂଗୀତ ନିମନ୍ତେ ଏକ ମୌଳିକ ଭିତ୍ତିଭୂମି ଏଯାଏ ନଥିଲା । ସେଥିପାଇଁ ବିଭିନ୍ନ ଓଡ଼ିଶୀ ସଂଗୀତଜ୍ଞଙ୍କୁ ନେଇ ଓଡ଼ିଶୀର ୬୦ଟି ରାଗକୁ ଚିହ୍ନଟ କରାଯାଇଛି । ୬୦ଟି ରାଗର ରୂପ ଓ ଲକ୍ଷଣ ଚୂଡ଼ାନ୍ତ ହୋଇଥିବାରୁ ସଂସ୍କୃତି ମନ୍ତ୍ରୀ ଶ୍ରୀ ସିଂହ ସେଦିନ ‘ଆଜିଠୁଁ ଓଡ଼ିଶୀ ସଂଗୀତ ଶାସ୍ତ୍ରୀୟ ମାନ୍ୟତା ପାଇଲା’ ବୋଲି ଘୋଷଣା କରିଥିଲେ । ‘ଓଡ଼ିଶୀ ଗୀତ ପ୍ରକାଶ’ରୁ ୧୨ଟି ମୌଳିକ ରାଗ ସମେତ ଦେଶରେ ପ୍ରଚଳିତ ବିଭିନ୍ନ ରାଗର ପ୍ରସ୍ତୁତି କ୍ରମେ ଖୁବ୍‍ ଶୀଘ୍ର ‘ରାଗ ସରଣୀ’ ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ ପାଇବ ବୋଲି ମଧ୍ୟ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ କୁଙ୍କୁମ ମହାନ୍ତି କହିଥିଲେ ।

କିନ୍ତୁ ସର୍ବଶେଷ ସୂଚନାରୁ ଜଣାଯାଏ ଯେ ଓଡ଼ିଶୀ ଗବେଷଣା କେନ୍ଦ୍ର ବିଗତ ୨୦ ବର୍ଷ ମଧ୍ୟରେ ସେ ବାବଦରେ ପରବର୍ତ୍ତୀ ପଦକ୍ଷେପ ନେଇନାହିଁ କି ଓଡ଼ିଶୀ ସଂଗୀତ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଶାସ୍ତ୍ରୀୟ ମାନ୍ୟତା ପାଇବା ପାଇଁ କୌଣସି କାର୍ଯ୍ୟକ୍ରମ କରାଯାଇ ନାହିଁ । ଦୀର୍ଘ ୧୨ ବର୍ଷ ପରେ ନିର୍ଦ୍ଧାରିତ ୬୦ଟି ରାଗ ମଧ୍ୟରୁ ମାତ୍ର ୧୫ଟିକୁ ନେଇ ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’ ପକ୍ଷରୁ ୨୦୦୮ରେ ‘ଓଡ଼ିଶୀ ରାଗ ସରଣୀ’ ଶୀର୍ଷକରେ ଗୋଟିଏ ପୁସ୍ତକ ପ୍ରକାଶ ପାଇଛି ।

ଏହି ୨୦୦୮ ମସିହାରେ ଘଟିଥିଲା ଆଉ ଗୋଟିଏ ଉଲ୍ଲେଖନୀୟ ଘଟଣା । ଫେବୃୟାରୀ ମାସ ୨୯ ତାରିଖ ଦିନ, ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ଶ୍ରୀଜଗନ୍ନାଥାୟନ’ କାର୍ଯ୍ୟକ୍ରମରେ ତତ୍‍କାଳୀନ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ସଂସ୍କୃତି ମନ୍ତ୍ରୀ ଭୂପିନ୍ଦର ସିଂହଙ୍କ ୧୨ ବର୍ଷ ତଳର ଘୋଷଣାର ପୁନର୍ଘୋଷଣା କଲେ । ସେଦିନ ସେ କହିଲେ, ‘ଆଜିଠାରୁ ରାଜ୍ୟ ସରକାର ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେଲେ । ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।’

ଏହାର ପ୍ରାୟ ଛଅ ମାସ ପରେ, ଅଗଷ୍ଟ ୨୧ ତାରିଖ ଦିନ ବିଧାୟକ ଧନୁର୍ଜୟ ସିଦ୍ଧୁଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ପ୍ରକାଶ କଲେ, ‘ରାଜ୍ୟ ସରକାର ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ସଂଗୀତ ରୂପେ ବିଧିବଦ୍ଧ ଘୋଷଣା କରିଛନ୍ତି । ଏହି ମାନ୍ୟତା ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।’ କିନ୍ତୁ ପ୍ରକୃତ କଥା ହେଉଛି, ସେ ଦିନ ସୁଦ୍ଧା ତ ଦୂରର କଥା, ଏଯାଏ ବି ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇ ନାହିଁ । ସେ ବାବଦରେ ଦାବିପତ୍ର ପ୍ରସ୍ତୁତି ବି ରହିଛି ବିପର୍ଯ୍ୟସ୍ତ ଅବସ୍ଥାରେ ।

ସଂସ୍କୃତି ମନ୍ତ୍ରୀଙ୍କ ବିଧାନସଭାର ଉତ୍ତର ପରେ ବି ବିତି ଯାଇଥିଲା ଆହୁରି ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ କାଳ । କିନ୍ତୁ ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ଗବେଷଣା କେନ୍ଦ୍ର ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ବାବଦରେ ’ସା’ଟିଏ ବି କରି ନଥିଲା । ପୁଣି ସେ ପ୍ରଶ୍ନ ଉଠିଲା ୨୦୧୩ ମସିହା ଜୁନ୍‍ ମାସରେ- ଯେତେବେଳେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ନିମନ୍ତେ ଅନୁରୋଧ କରି  କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ରିପୋର୍ଟ ପ୍ରଦାନ କରାଗଲା । ସେତେବେଳକୁ ଭୂପିନ୍ଦର ସିଂହ ଓ ସୂର୍ଯ୍ୟ ନାରାୟଣ ପାତ୍ର ଯାଇ ମହେଶ୍ୱର ମହାନ୍ତି ହେଲେଣି ସଂସ୍କୃତି ମନ୍ତ୍ରୀ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସଭାକକ୍ଷରେ ସେ ଏ ବାବଦରେ ଏକ ସ୍ୱତନ୍ତ୍ର ବୈଠକ ଡକାଇଲେ । ଦାମୋଦର ହୋତା, ପ୍ରଫୁଲ୍ଲ କର, ଗୋପାଳ ଚନ୍ଦ୍ର ପଣ୍ଡା, ଶ୍ୟାମାମଣି ଦେବୀ, ରଘୁନାଥ ପଣ୍ଡା ପ୍ରମୁଖ ଗାୟକ, ଗୁରୁ ଓ ବିଦ୍ୱାନ ସେଥିରେ ଯୋଗ ଦେଲେ ।

ବୈଠକରେ ଗୃହୀତ ନିଷ୍ପତ୍ତି ଅନୁସାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ସାତକଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଗଲା । ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଂପାଦକ ସେଥିରେ ଆବାହକ ରହିଲେ । ସଦସ୍ୟ ରୂପେ ଗ୍ରହଣ କରାଗଲା ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ଡକ୍ଟର ରଘୁନାଥ ପଣ୍ଡା, ଗୁରୁ ରାମହରି ଦାସ, ଗବେଷକ କୀର୍ତ୍ତନ ନାରାୟଣ ପାଢ଼ୀ ଓ କଟକ ଆକାଶବାଣୀ କେନ୍ଦ୍ରର ଉପମହାନିର୍ଦ୍ଦେଶିକା ଡକ୍ଟର ସୁଧା ମିଶ୍ରଙ୍କୁ । ନିମନ୍ତ୍ରିତ ସଦସ୍ୟ ରୂପେ ରହିଲେ ବରିଷ୍ଠ ସଂଗୀତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଡକ୍ଟର ଦାମୋଦର ହୋତା ଓ ପ୍ରଫୁଲ୍ଲ କର ।

କମିଟିର ନିଷ୍ପତ୍ତିକ୍ରମେ ଓଡ଼ିଶୀ ସଂଗୀତର କ୍ରମବିକାଶ, ଇତିହାସ ଓ ପରଂପରା, ରାଗରାଗିଣୀ, ଜାଗା ଆଖଡ଼ା ସଂଗୀତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସଂଗୀତର କ୍ରମବିକାଶ, ଆନୁଷଙ୍ଗିକ କଳାରେ ଓଡ଼ିଶୀ ସଂଗୀତ, ଶ୍ରୀକ୍ଷେତ୍ର ସଂଗୀତ, ଓଡ଼ିଶୀ ସଂଗୀତର ତାଳବାଦ୍ୟର ବ୍ୟବହାର ଓ ଗାୟନ ଶୈଳୀ ଆଦି ୨୬ଟି ବିବିଧ ବିଷୟରେ ସଂଗୀତଗୁରୁ, ଗାୟକ, ଗବେଷକ, ବାଦ୍ୟକାର ଓ ବିଦ୍ୱାନଙ୍କୁ ପ୍ରବନ୍ଧ ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରାଗଲା । ପରେ ପରେ ଆଉ କେତୋଟି ବୈଠକ ମଧ୍ୟ ନିୟମିତ ବସିଲା । ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ସେତେବେଳକୁ ଓଡ଼ିଶୀ ଗବେଷଣା କେନ୍ଦ୍ର ନୁହେଁ, ଓଡ଼ିଶୀ ସଂଗୀତ ନାଟକ ଏକାଡେମୀ ହିଁ ରହିଥିଲେ ତାହାର ଦାୟିତ୍ୱରେ ।

ଏହାର ପ୍ରାୟ ନଅ ମାସ ପରେ, ୨୦୧୪ ମାର୍ଚ୍ଚ ୨୬ ତାରିଖ ଦିନ ଏକାଡେମୀର ସଂପାଦକ ତଥା ଶାସ୍ତ୍ରୀୟ ମାନ୍ୟତା କମିଟିର ଆବାହକ ଚିତ୍ତରଂଜନ ମଲିଆ ଏକ ବିବୃତିରେ କହିଲେ, ଏପ୍ରିଲ୍‍ ୨୫ ତାରିଖ, ଅର୍ଥାତ୍‍ ମାସକ ମଧ୍ୟରେ ଗୁରୁ ଓ ଗବେଷକମାନଙ୍କଠାରୁ ଭିତ୍ତି ପ୍ରବନ୍ଧ ସଂଗ୍ରହ କାର୍ଯ୍ୟ ଶେଷ ହେବ । ତଦନୁଯାୟୀ ୨୦୧୪ ଏପ୍ରିଲ୍‍ ୨୬ ତାରିଖ ଦିନ ସଂସ୍କୃତି ବିଭାଗର ତତ୍‍କାଳୀନ କମିସନର ତଥା ସଚିବ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଂଗ୍ରହାଳୟରେ ଏକ ବୈଠକ ଅନୁଷ୍ଠିତ ହେଲା । କିନ୍ତୁ ସେହିଦିନ ସୁଦ୍ଧା ୨୬ଟି ମଧ୍ୟରୁ ମାତ୍ର ୬ଟି ପ୍ରବନ୍ଧ ସଂଗ୍ରହ ହୋଇପାରିଥିଲା ।

ଏ ଭିତରେ, ୨୦୧୪ ଜୁନ୍‍ ମାସରେ ପୂର୍ଣ୍ଣାଙ୍ଗ ବିବରଣୀ ପ୍ରସ୍ତୁତି ପାଇଁ ଏକ ଡ୍ରାଫ୍‍ଟିଂ କମିଟି ଗଠିତ ହୋଇଛି । ସେଥିରେ ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀ, ପ୍ରଫେସର ରାମହରି ଦାସ, ପ୍ରଫେସର ଡକ୍ଟର ରଘୁନାଥ ପଣ୍ଡା, ପ୍ରଫେସର ଡକ୍ଟର ଗଣେଶ ପ୍ରସାଦ ଦାସ ଓ ଡକ୍ଟର ସୁଧା ମିଶ୍ର ସଦସ୍ୟ ଅଛନ୍ତି । କିନ୍ତୁ ଜୁନ୍‍ ୨୦୧୪ରୁ ମେ ୨୦୧୫- ଏହି ବର୍ଷକ ମଧ୍ୟରେ ତାହାର ଗୋଟିଏ ହେଲେ ବୈଠକ ବସି ନଥିଲା । ପ୍ରାଶାସନିକ ନାଲିଫିତା ଭିତରେ ବନ୍ଦୀ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ନଥି ବର୍ଷକ ପରେ ୨୦୧୫ ଜୁନ୍‍ ମାସରେ ହିଁ ଖୋଲିଲା ଏବଂ ପ୍ରଥମ ବୈଠକ ବସିଲା । କିନ୍ତୁ ଏ ଭିତରେ ଆହୁରି ପ୍ରାୟ ସାତ ମାସ ବିତି ଯାଇଥିଲେ ବି ଶାସ୍ତ୍ରୀୟ ମାନ୍ୟତା ଦାବିପତ୍ର ପ୍ରସ୍ତୁତି ‘ସା’ରୁ ‘ରେ’କୁ ଯାଇ ପାରିନାହିଁ । କିନ୍ତୁ ଓଡ଼ିଶୀ ଗବେଷଣା କେନ୍ଦ୍ରରୁ ଓଡ଼ିଶୀ ସଂଗୀତ ନାଟକ ଏକାଡେମୀକୁ ଆସିଥିବା ଦାୟିତ୍ୱ ଏ ଭିତରେ ପୁଣିଥରେ ଫେରିଯାଇଛି ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ।

ବିଶେଷ ସୂଚନାରୁ ଜଣାଯାଏ ଯେ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଂଗୀତ ଦୀର୍ଘ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ତଳେ ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ସେତେବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେ ନେଇ ବିଧିବଦ୍ଧ ଭାବେ କୌଣସି କମିଟି ଗଠିତ ହୋଇ ନଥିଲା । ଆଜି ବି ଭାରତବର୍ଷର କୌଣସି ପ୍ରାନ୍ତୀୟ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କର ନିର୍ଦ୍ଦିଷ୍ଟ କମିଟି ନାହିଁ । ଏ ସଂପର୍କରେ ସଂପୃକ୍ତମାନଙ୍କର ଯୁକ୍ତି ହେଉଛି, ଭାରତବର୍ଷର କୌଣସି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ବି ପୂର୍ବରୁ  କୌଣସି କମିଟି ନଥିଲା । ତାମିଲ୍‍ ଭାଷା ପକ୍ଷରୁ ଶାସ୍ତ୍ରୀୟ ମାନ୍ୟତା ଦାବି ହେବା ପରେ, ବିଧିବଦ୍ଧ ଭାବରେ କମିଟି ଗଠନ କରାଯିବା ସହିତ ନିର୍ଦ୍ଦିଷ୍ଟ ନୀତି ନିୟମ ନିର୍ଦ୍ଧାରଣ କରାଗଲା ।

ଓଡ଼ିଶୀ ସଂଗୀତର ମୌଳିକତା ଓ ସ୍ୱାତନ୍ତ୍ର‌୍ୟ ଅଛି । ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରଠାରୁ ଆରମ୍ଭ କରି ଜୟଦେବଙ୍କ ଗୀତ ଗୋବିନ୍ଦ ପର୍ଯ୍ୟନ୍ତ ଏକ ସୁଦୀର୍ଘ ଓ ସମୃଦ୍ଧ ସାଂଗୀତିକ ଐତିହ୍ୟ ଅଛି । ଖଣ୍ଡଗିରି ଓ ଉଦୟଗିରିର ଗୁମ୍ଫା ସ୍ଥାପତ୍ୟ ଓ ଶିଳାଲେଖଠାରୁ ଆରମ୍ଭ କରି ପରବର୍ତ୍ତୀ ମନ୍ଦିର ସ୍ଥାପତ୍ୟ ପର୍ଯ୍ୟନ୍ତ ବହୁ ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ରହିଛି । ବହୁ ସଂଗୀତ ଶାସ୍ତ୍ର ଏବଂ ଗାୟନ ପରଂପରା ମଧ୍ୟ ଅଛି । ଏଣୁ ଓଡ଼ିଶୀ ନୃତ୍ୟ ଓ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଓଡ଼ିଶୀ ସଂଗୀତ ଏହି ମାନ୍ୟତା ପାଇବା ପାଇଁ ହକ୍‍ଦାର ।

କିନ୍ତୁ ଉପରୋକ୍ତ ଘଟଣାକ୍ରମ ସ୍ପଷ୍ଟ ସୂଚିତ କରେ ଯେ ରାଜ୍ୟ ସରକାର ଗତ ୨୦ ବର୍ଷରୁ ଊର୍ଦ୍ଧ୍ୱ ଧରି ରାଜ୍ୟବାସୀଙ୍କୁ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ସ୍ୱପ୍ନ ଦେଖାଇ ଆସୁଥିଲେ ମଧ୍ୟ ସରକାରଙ୍କର ଘୋଷଣା ଓ କାର୍ଯ୍ୟାନ୍ୱୟନ ମଧ୍ୟରେ ତାଳ-ମେଳ ନାହିଁ । ଫଳରେ ଏହା ରାଜ୍ୟ ସରକାରଙ୍କର ଏକ ବେସୁରା ସଂଗୀତରେ ହିଁ ପରିଣତ ହୋଇଯାଇଛି । ଏ ତାଳ-ଲୟ କେବେ ଠିକ୍‍ ସୁର ଧରିବ, ତାହା ଅନ୍ତତଃ ଏବେ ଆକଳନ କରି ହେଉନାହିଁ ।

(ଏହି ଲେଖାଟି ୧୨ ଫେବୃଆରୀ, ୨୦୧୬ରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା।)

LEAVE A REPLY

Please enter your comment!
Please enter your name here