କମଳାକାନ୍ତ ପତି

ନୂଆ ସମୀକରଣକୁ ଜନ୍ମ ଦେଲା ଉପେନ୍ଦ୍ର ଖୁସୱାଙ୍କ ନେତୃତ୍ୱରେ ଗଠିତ ବିକଳ୍ପ ତୃତୀୟ ମେଣ୍ଟ। ମେଣ୍ଟରେ ଅସହୁଦ୍ଦିନ୍ ଓୟେସିଙ୍କ ଯୋଗଦାନ ବିହାରରେ ଦଳିତ – ମୁସଲମାନ ଭୋଟ୍ ବ୍ୟାଙ୍କକୁ ଭାଗ ଭାଗ କରିଦେବାର ଆଶଙ୍କା ଜନ୍ମିଲାଣି। ଏହି ପରିପ୍ରେକ୍ଷୀରେ ରାମବିଳାସ ପାଶ୍ୱାନଙ୍କ ଦେହାନ୍ତ ରାଜ୍ୟରେ ଏଲଜେପି ପ୍ରତି ଅନୁକମ୍ପାର ହାୱା ସୃଷ୍ଟି କରିବାର ସମ୍ଭାବନା ମଧ୍ୟ ଦେଖାଦେଲାଣି।

ଖୁସୱାଙ୍କ ମେଣ୍ଟ କାହା ପାଇଁ ପୁଷମାସ…

ଚଳିତମାସଠାରୁ ଆରମ୍ଭ ହେବାକୁ ଯାଉଥିବା ବିହାର ବିଧାନସଭା ଭୋଟ୍ ପୂର୍ବରୁ ଗୁରୁବାର ଜନ୍ମ ନେଇଛି ତୃତୀୟ ବିକଳ୍ପ ମେଣ୍ଟ। ଏହି ମେଣ୍ଟର ନେତୃତ୍ୱ ନେଉଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆରଏଲଏସପି)ର ନେତା ଉପେନ୍ଦ୍ର ଖୁସୱା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ ଓୟେସିଙ୍କ ଦଳ ଏଆଇଏମଆଇମ୍ ଏବଂ ମାୟାବତୀଙ୍କ ବହୁଜନ ସମାଜପାର୍ଟି (ବିଏସପି) କୁ ସାମିଲ କରି ଖୁସୱା ଘୋଷଣା କରିଥିବା ଏହି ତୃତୀୟ ବିକଳ୍ପ ମେଣ୍ଟ ରାଜ୍ୟ ରାଜନୀତିରେ ଏକ ନୂଆ ସମୀକରଣର ଆଭାସ ହେଲାଣି।ରାଜନୈତିକ ମହଲର ଆଶଙ୍କା ଏହିମେଣ୍ଟ ରାଜ୍ୟର ଦଳିତ ଓ ମୁସଲିମ୍ ଭୋଟ୍ ବ୍ୟାଙ୍କ୍‌କୁ ଭାଗ ଭାଗ କରିଦେବ। ଯାହାଫଳରେ ଆରଜେଡ଼ି କଂଗ୍ରେସ ମହାମେଣ୍ଟର ମୁସଲିମ୍ ଭୋଟ୍ ବ୍ୟାଙ୍କ କେବଳ ବିଭାଜିତ ହେବ ନାହିଁ, ଏହି ମେଣ୍ଟ ଏବଂ ଏନଡିଏର ଅନ୍ୟତମ ପ୍ରମୁଖ ଦଳ ଜେଡିୟୁର ଦଳିତ ଭୋଟ ବ୍ୟାଙ୍କ୍ ଅତୁଟ ରହିପାରିବ ନାହିଁ। ଯାହାକି ନରେନ୍ଦ୍ର ମୋଦୀଙ୍କ ବିଜେପି ପାଇଁ ଫାଇଦା ଆଣିଦେବ ବୋଲି ରାଜନୈତିକ ମହଲ ଆକଳନ କରୁଛି। ଗତ କେତୋଟି ନିର୍ବାଚନ ଭଳି ଓୟେସି ଏଥର ମଧ୍ୟ ବିହାରରେ ଦଳୀୟ ପ୍ରାର୍ଥୀ ଛିଡ଼ା କରାଇବେ। ଆରଜେଡିର ମୁସଲମାନ ଭୋଟ୍‌ ଉପରେ ଭାଗ ବସାଇବା ତାଙ୍କର ଲକ୍ଷ୍ୟ।

ବିଜେପି ସହ ସୁସମ୍ପର୍କ ରଖିଛନ୍ତି ଖୁସୱା

ମୋଦୀ ସରକାରର ପ୍ରଥମ ପାଳିରେ କେନ୍ଦ୍ରରେ ମନ୍ତ୍ରୀ ଥିଲେ ଉପେନ୍ଦ୍ର ଖୁସୱା। ମତ ପାର୍ଥକ୍ୟ କାରଣରୁ ସେ ଏନଡିଏ ଛାଡ଼ିଥିଲେ ମଧ୍ୟ ବିଜେପି ସହ ସୁସମ୍ପର୍କ ରଖି ଚାଲିଛନ୍ତି। ଖୁସୱାଙ୍କ ବିକଳ୍ପ ମେଣ୍ଟ କାରଣରୁ ବିଜେପି ବିରୋଧୀ ଦଳିତ ଭୋଟ୍‌ ବ୍ୟାଙ୍କ୍ ଭାଗ ଭାଗ ହେବା ଅବଶ୍ୟମ୍ଭାବୀ ହୋଇ ଉଠିଛି। କୁହାଯାଇପାରେ ଯେ, ପ୍ରଥମରୁ ବନ୍ଧୁତ୍ୱ ଥିଲେ ମଧ୍ୟ ଗତ ଏକ ଦଶନ୍ଧି ଧରି ନୀତିଶ କୁମାରଙ୍କ ବିରୋଧରେ ମୁହଁ ଖୋଲି ଆସୁଛନ୍ତି ଏହି ନିମ୍ନବର୍ଗର ନେତା ଖୁସୱା।ସମ୍ଭବତଃ ସେଥିପାଇଁ ସେ ଆରଜେଡ଼ି ମହାମେଣ୍ଟ ଛାଡ଼ିବା ପରେ ଏନଡ଼ିଏରେ ସାମିଲ ନ ହୋଇ ଦଳିତ କାର୍ଡ ଖେଳିବାକୁ ଆଗ୍ରହୀ ହୋଇଛନ୍ତି। ଯେଉଁଥିପାଇଁ ଗଢ଼ିଲେ ତୃତୀୟ ବିକଳ୍ପ ମେଣ୍ଟ। ସେ ହେଉଛନ୍ତି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଉତ୍ତର ପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଓ ପୀଡ଼ିତାଙ୍କ ମୃତ୍ୟୁ ଘଟଣାକୁ ନେଇ ବିଜେପି ବିରୋଧରେ  ଖଡ଼ଗହସ୍ତ ଦଳିତ ସମାଜ। ମୋଦୀଙ୍କ ଶାସନ କାଳରେ ଦେଶର ବିଭିନ୍ନ ଅଞ୍ଚଳରେ ଦଳିତମାନଙ୍କ ଉପରେ ନିର୍ଯାତନାର ଅଭିଯୋଗ ଉଠୁଛି। ଏଥିରୁ ଖୁସୱା ଫାଇଦା ଉଠାଇବାର ସମ୍ଭାବନା ଦେଖାଦେଲାଣି।ଭୋଟ୍ ଉପରେ ପଡ଼ିବ ଅନୁକମ୍ପାର ପ୍ରଭାବ

ଗୁରୁବାର ଅପରାହ୍ଣରେ ତିନି ଦଳର ମେଣ୍ଟ ଘୋଷଣା, ରାତିରେ ଶେଷ ନିଶ୍ୱାସ ତ୍ୟାଗ କଲେ ରାମ ବିଳାସ ପାଶ୍ୱାନ। ବିହାରରେ ପଛୁଆବର୍ଗର ପ୍ରତିନିଧି ଥିଲେ ରାମବିଳାସ। ନିର୍ବାଚନର ଅବ୍ୟବହିତ ପୂର୍ବରୁ ତାଙ୍କର ଦେହାନ୍ତ ପଛୁଆବର୍ଗର ଲୋକଙ୍କୁ ଗଭୀର ଭାବେ ବ୍ୟଥିତ କରିଛି। ତାଙ୍କ ଭଳି ନେତାଙ୍କର ପରଲୋକ ଭୋଟ୍ ରାଜନୀତି ଉପରେ ପ୍ରଭାବ ପକାଇପାରେ ବୋଲି ଅନେକେ ମତଦେଲେଣି। ଫଳରେ ସହାନୁଭୂତି ଝଡ଼ରେ ପାଶ୍ୱାନ ଭୋଟ୍ ଚିରାଗଙ୍କ ଏଲଜେପି ବ୍ୟାଗରେ ପଡ଼ିପାରେ। ଦଳିତ ଭୋଟ୍‌ର ଏକ ବଡ଼ ଅଂଶ ଏଲଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ଯାଇପାରେ। ଏଭଳି ଯଦି ଘଟେ ତେବେ ଏନଡିଏର ଅଙ୍କକୁ ଚିରାଗ ପାଶ୍ୱାନ ଜଟିଳ କରିଦେଇପାରନ୍ତି। ଏମିତିରେ ଯେଉଁମାନେ ବିଜେପି ଓ ଜେଡିୟୁରୁ ଟିକକ ଆଶାୟୀ ଥିଲେ ସେମାନଙ୍କ ମଧ୍ୟରୁ ନିରାଶ ହେଉଥିବା ନେତାମାନେ ଏବେ ଏଲଜେପି ମୁହାଁ ହୋଇଥିବା ପରିଲକ୍ଷିତ ହେଉଛି। ରାମବିଳାସଙ୍କ ମୃତ୍ୟୁ ପରେ ଚିରାଗଙ୍କର ଆବେଗ ଭରା ଟୁଇଟ୍ ଅଧିକାଂଶଙ୍କ ସହାନୁଭୂତି ସଂଗ୍ରହ କରିପାରିଛି।ମେଣ୍ଟ ଛାଡ଼ିବା ପର୍ବରୁ ନଡ୍ଡାଙ୍କୁ ଚିଠି ଲେଖିଥିଲେ ଚିରାଗ

ବିହାରରେ ଘଡ଼ିକୁ ଘଡ଼ି ରାଜନୈତିକ ସମୀକରଣ ବଦଳୁଥିବା ବେଳେ ସାମ୍ନାକୁ ଆସିଛି ଚିରାଗଙ୍କ ‘ପତ୍ର ବୋମା’। ଏନଡିଏରୁ ନିଜ ଦଳ ଏଲଜେପିକୁ ଓହରାଇ ନେବାର କିଛି ଦିନ ପୂର୍ବରୁ (ନିର୍ବାଚନ ଘୋଷଣାର ଦିନକ ପୂର୍ବରୁ) ଚିରାଗ ପାଶ୍ୱାନ ଏକ ଚିଠି ଲେଖିଥିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ। ଏହି ଚିଠି ଗୁରୁବାର ସାର୍ବଜନୀନ ହୋଇଯାଇଛି। ଚିରାଗ ଉକ୍ତ ଚିଠିରେ ନୀତିଶଙ୍କ ପ୍ରତି ତାଙ୍କର ଅସନ୍ତୋଷ ବ୍ୟକ୍ତ କରିଥିଲେ। ନୀତିଶ କିଭଳି ପାଶ୍ୱାନଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ଚାହୁଁନଥିଲେ, ଏଥିପାଇଁ ଖୋଦ୍ ରାମବିଳାସ ବାଧ୍ୟ ହୋଇ ତାଙ୍କୁ ଭେଟି ଅନୁରୋଧ କରିଥିଲେ, ସେହି ବିଷୟ ଲେଖିଛନ୍ତି ଚିରାଗ, ନୀତିଶ ତାଙ୍କ ବାପାଙ୍କୁ ଅପମାନିତ କରିଥିବାରୁ ସେ ମେଣ୍ଟ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ତେବେ କେନ୍ଦ୍ରରେ ବିଜେପି ସହ ତାଙ୍କର ସମ୍ପର୍କ ଅତୁଟ ରହିବ। ଏଲଜେପି ଏନଡିଏରୁ ଓହରିବ ନାହିଁ ବୋଲି ଚିରାଗ ଏଥିରେ ସୂଚୀତ କରିଦେଇଥିଲେ। ନଡ୍ଡା ଯଥେଷ୍ଟ ପୂର୍ବରୁ ଏକଥା ଜାଣି ମଧ୍ୟ ଚିରାଗଙ୍କୁ ବୁଝାଇବା ପରେ ଅସମର୍ଥ ରହିଥିଲେ। କୁହାଯାଉଛି ଯେ, ଏଥିପାଇଁ ବିହାରର ଅନେକ ବିଜେପି ନେତା ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଯଦିଓ ଚିରାଗ ଘୋଷଣା କରିସାରିଛନ୍ତି ଯେ, ଏଲଜେପି ପ୍ରାର୍ଥୀମାନେ ବିଜେପି ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।ପାନେ ପାଇଲେ ପାଣ୍ଡେ

ଆସନ୍ତାବର୍ଷ ଫେବୃୟାରୀରେ ଅବସର ନେଇ ଥାଆନ୍ତେ ବିହାରର ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଗୁପ୍ତେଶ୍ୱର ପାଣ୍ଡେ। କିନ୍ତୁ ଏହାର ପ୍ରାୟ ୬ ମାସ ପୂର୍ବରୁ ଇଚ୍ଛାକୃତ ଅବସର (ଭିଆରଏସ୍) ନେଇ ରାଜନୀତି କରିବା ସକାଶେ ନିର୍ବାଚନ ଲଢ଼ିବାର ଆଶା ପୋଷଣ କରିଥିଲେ। ଏଥିପାଇଁ ତାଙ୍କୁ ସମ୍ଭବତଃ ନୀତିଶ କୁମାରଙ୍କ ଜନତା ଦଳ (ୟୁ) ପକ୍ଷରୁ ଆଶା ଦିଆଯାଇଥିଲା। ତେଣୁ ପାଣ୍ଡେ ଭିଆରଏସ୍ ନେବା ପରେ ନୀତିଶଙ୍କ ପାର୍ଟିରେ ଯୋଗ ଦେଇଥିଲେ। ନିଜ ହୋମ୍‌ ଟାଉନ୍ ବକ୍‌ସାରରୁ ଲଢ଼ିବାକୁ ଆଶା ରଖିଥିବା ପାଣ୍ଡେ ଶେଷରେ ନିରାଶ ହୋଇଛନ୍ତି। ଏହି ଆସନଟି ଭାଗ ବଣ୍ଟା ବେଳେ ବିଜେପି ଭାଗରେ ପଡ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଆସନଟି ଉପରେ ରାଜ୍ୟର ପୂର୍ବତନ ଡିଜିପି ଆଶା ରଖିଥିଲେ ବିଜେପି ସେହି ଆସନରୁ ଜଣେ ପୂର୍ବତନ କନେଷ୍ଟବଳଙ୍କୁ ପ୍ରାର୍ଥୀ କରିଛି। ଉଲ୍ଲେଖ କରାଯାଇପାରେ ଯେ, ଗୁପ୍ତେଶ୍ୱର ୨୦୦୯ରୁ ରାଜନୀତି ମୈଦାନକୁ ଆସିବା ସକାଶେ ଉଦ୍ୟମ କରିଥିଲେ। ସେତେବେଳେ ମଧ୍ୟ ସେ ଭିଆରଏସ୍ ପାଇଁ ଆବେଦନ କରିଥିଲେ। ମାତ୍ର ଆଶା ରଖିଥିବା ଦଳ ତାଙ୍କୁ ଟିକେଟ ନ ଦେବାରୁ ସେ ଭିଆରଏସ୍ ଆବେଦନ ପ୍ରତ୍ୟାହାର କରିନେଇଥିଲେ। କିନ୍ତୁ ଏଥର ଆଶା ପାଇ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଭାଙ୍ଗି ପଡ଼ିଥିବା ଗୁପ୍ତେଶ୍ୱର କହିଛନ୍ତି, ନୀତିଶ କାହାକୁ ଠକନ୍ତି ନାହିଁ, ସମ୍ଭବତଃ ରାଜନୈତିକ ବାଧ୍ୟବାଧ୍ୟକତା ପାଇଁ ସେ ମୋତେ ଟିକେଟରୁ ବଞ୍ଚିତ କଲେ।

ଏଥର ପ୍ରଚାରରେ ଲାଲୁ ଅନୁପସ୍ଥିତ

କେବଳ ଏନଡ଼ିଏରେ ସମସ୍ୟା ଜଟିଳ ନୁହେଁ, ଆରଜେଡ଼ି ମେଣ୍ଟରେ ମଧ୍ୟ ଅନେକ ଦ୍ୱନ୍ଦ୍ୱ ରହିଛି। ଅସାଦୁଦ୍ଦିନଙ୍କ ମୁସଲିମ୍ ଭୋଟ୍ ଉପରେ ଭାଗ ବସାଇବାର ଆଶଙ୍କା ବାଦ୍ ଆରଜେଡି ପାଇଁ ଅନ୍ୟ ଏକ ସମସ୍ୟା ହେଉଛି ଏଥର ନିର୍ବାଚନରେ ଲାଲୁପ୍ରସାଦଙ୍କ ଅନୁପସ୍ଥିତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜାମିନ୍ ମିଳିଥିଲେ ମଧ୍ୟ ଝୁଲୁଥିବା ଅନ୍ୟ ମାମଲାରେ ତାଙ୍କୁ ଜେଲରେ ରହିବାକୁ ପଡ଼ିବ। ଦୀର୍ଘ ଚାରି ଦଶନ୍ଧି ମଧ୍ୟରେ ପ୍ରଥମ କରି କୌଣସି ଭୋଟ୍‌ରେ ଲାଲୁଙ୍କ ଅନୁପସ୍ଥିତି ଆରଜେଡିର  ଯୁବନେତା ତଥା ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀଙ୍କ ପାଇଁ ଯଥେଷ୍ଟ କ୍ଷତିକାରକ ହେବ ବୋଲି ଆକଳନ କରାଯାଉଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment