ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାର ଖରସ୍ରୋତା ନଦୀରୁ ଭଦ୍ରକକୁ ପାନୀୟ ଜଳ ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ପ୍ରକଳ୍ପକୁ ନେଇ ବିରୋଧ ଜୋର ଧରିଛି। ଆଜି ପ୍ରକଳ୍ପ ସ୍ଥାନରେ ଜନମେଳି ଏବଂ ମାନବ ଶୃଙ୍ଖଳ କରି ପ୍ରତିବାଦ ଜଣାଇଛି ଖରୋସ୍ରୋତା ସଂଗ୍ରାମ ସମିତି। ଏହି ଆନ୍ଦୋଳନରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ଗାଁ ଗାଁରେ ମାଇକ୍ ଯୋଗେ ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଏହି ପ୍ରକଳ୍ପ କାମ ଦୀର୍ଘ ୫ ମାସ ହେଲା ବନ୍ଦ ରହିଥିଲା।

ତେବେ ଆଜି ପୁଣି ପ୍ରକଳ୍ପ କାମ ଆରମ୍ଭ ହେବାରୁ ରାଜକନିକାରେ ଉତ୍ତେଜନା ବୃଦ୍ଧି ପାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଓ ଆଳି ବ୍ଲକର ଜୀବନରେଖା ଖରସ୍ରୋତାର ଜଳସ୍ତର କମି ଆସୁଥିବା ବେଳେ, ଏହି ନଦୀର ପାଣିକୁ ଅନ୍ୟ ଜିଲ୍ଲାକୁ ନଛାଡ଼ିବାକୁ ଆନ୍ଦୋଳନ ଦାନା ବାନ୍ଧୁଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ଭୂତଳ ଜଳସ୍ତର ଉଦବେଗଜନକ ଭାବେ ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଏହି ଜିଲ୍ଲାକୁ ରେଡ୍ ସିଗନାଲରେ ରଖିଛନ୍ତି। ଭୂତଳ ଜଳକୁ ଅଧିକ ଖର୍ଚ୍ଚ ନକରି ବର୍ଷା ଜଳ ଉତ୍ସକୁ ଅଧିକ ବ୍ୟବହାର କରିବା ଓ ବନୀକରଣ ଆଦି କରାଯାଇ ଭୂତଳ ଜଳକୁ ସୁରକ୍ଷିତ ରଖିବାକୁ ରାଜ୍ୟ ସରକାର ଅଧିକ ଗୁରୁତ୍ଵ ଦେଉଛନ୍ତି।

ନଦୀର ଜଳ ସ୍ରୋତ ସହିତ ଭୂତଳ ଜଳ ଉତ୍ସର ସିଧାସଳଖ ସମ୍ପର୍କ ରହିଥିବାରୁ ଖରସ୍ରୋତା ନଦୀର ଜଳ ସ୍ରୋତକୁ ସୁରକ୍ଷିତ ରଖିବା ପାଇଁ ଖରସ୍ରୋତା ସଂଗ୍ରାମ ସମିତି ନିଷ୍ପତ୍ତି ନେଇଛି। ବାହାର ଜିଲ୍ଲାକୁ ବୁନ୍ଦାଏ ପାଣି ନଛାଡ଼ିବାକୁ ସ୍ଥାନୀୟ ଅଞ୍ଚଳରେ ଜନମତକୁ ଏକାଠି କରୁଛି ଏହି ସଂଗଠନ।

ଆଜି ପ୍ରକଳ୍ପ ନିର୍ମାଣ ସ୍ଥାନରେ ଜନଜାଗରଣ ସଭା ଓ ମାନବଶୃଙ୍ଖଳ କରି ପ୍ରକଳ୍ପ ନିର୍ମାଣ କମ୍ପାନି ଓ ଜିଲ୍ଲା ପ୍ରଶାସନ ସମ୍ମୁଖରେ ନିଜର ଶକ୍ତି ପ୍ରଦର୍ଶନ କରିଛି ଖରସ୍ରୋତା ସଂଗ୍ରାମ ସମିତି।

ଗତକାଲି ଖରସ୍ରୋତା ନଦୀ ପଠାର ଗଡ଼ଗଡ଼ି ନିକଟରେ ଉକ୍ତ କମ୍ପାନି ପକ୍ଷରୁ ଆରମ୍ଭ କରାଯାଇଥିବା ଅସ୍ଥାୟୀ କ୍ୟାମ୍ପ୍ କାର୍ଯ୍ୟାଳୟକୁ ଆନ୍ଦୋଳନକାରୀମାନେ ଭାଙ୍ଗିଦେଇଥିଲେ। ଏଥିସହ କାମରେ ଲାଗିଥିବା ଜେସିବିକୁ ଉତ୍ତ୍ୟକ୍ତ ଲୋକେ ପୋଡ଼ିଦେବାକୁ ଉଦ୍ୟମ କରିଥିଲେ। ଗତକାଲି ଏହି ପ୍ରକଳ୍ପକୁ ବିରୋଧ କରି ଆଳି ବ୍ଲକର ବାଳକାଟିଠାରେ ଏକ ଜନ ଜାଗରଣ ବୈଠକ ହୋଇଥିଲା।ଆଜି ଉଭୟ ଆଳି ଓ ରାଜକନିକା ବ୍ଲକରୁ ପ୍ରାୟ ୧୦୦୦ ରୁ ଅଧିକ ଲୋକେ ଖରସ୍ରୋତା ନଦୀ ପଠାରେ ବିଶାଳ ବୈଠକ କରିଛନ୍ତି। ଖରସ୍ରୋତା ନଦୀରୁ ବୁନ୍ଦାଏ ପାଣି କେଉଁ ଆଡ଼େ ଛଡ଼ାଯିବନାହିଁ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।

ଗତକାଲିଠାରୁ ପ୍ରକଳ୍ପ ନିର୍ମାଣକାରୀ କମ୍ପାନି ତାଙ୍କର ଜେସିବିକୁ ଭଦ୍ରକ ନେଇଯାଇଛି। ଆଜି ଆନ୍ଦୋଳନ ହେବା ପରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ନଦୀପଠାରେ ହୋଇଥିବା ଜନମେଳି ନିକଟରେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ରଞ୍ଜନ ଦେ ଓ ରାଜକନିକା ତହସିଲଦାର ପହଞ୍ଚି ଆନ୍ଦୋଳନର କାରଣ ବିଷୟରେ ପଚାରି ବୁଝିଥିବା ସୂଚନା ମିଳିଛି।ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରିଛି। ହେଲେ ଏହି ଜନମେଳି ନିକଟକୁ ଆଜି କେହି ସଶସ୍ତ୍ର ପୋଲିସ ଯାଇନାହାନ୍ତି। ପ୍ରକଳ୍ପ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ନଦୀ ପଠାରେ ଆନ୍ଦୋଳନ ଜାରି ରହିବ ବୋଲି ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ ସୂଚନା ଦିଆଯାଇଛି।

Comment