ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ରାଜନୀତି ମଇଦାନରେ ଯେତେସବୁ ଉପନିର୍ବାଚନ ହୋଇଛି, ସେଥିରେ ନିର୍ଣ୍ଣାୟକ ଭୂମିକା ନେଇଛି ଅନୁକମ୍ପା ଭୋଟ୍। ଦିବଂଗତ ବିଧାୟକ କିମ୍ବା ଏମ୍‌ପିଙ୍କ ପୁଅ ଅବା ସ୍ତ୍ରୀଙ୍କୁ ପ୍ରାର୍ଥୀ କରି ନିର୍ବାଚନ ଲଢ଼େଇରେ ସଫଳ ହୋଇଛନ୍ତି ରାଜନୈତିକ ଦଳ। ସେହି ଫର୍ମୁଲାରେ ଏବେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ବାଲେଶ୍ୱରରୁ ମାନସ ଦତ୍ତ ଓ ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସ।

ନଭେମ୍ବର ୩ରେ ଓଡ଼ିଶାର ଦୁଇଟି ସ୍ଥାନରେ ଉପନିର୍ବାଚନ ହେବ। ବାଲେଶ୍ୱର ଓ ତିର୍ତ୍ତୋଲ। ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ପରେ ସେହି ଦୁଇଟି ଆସନ ଖାଲି ପଡ଼ିଛି। ଏହି ଦୁଇଟି ସ୍ଥାନରେ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସ ଓ ବାଲେଶ୍ୱରରୁ ସ୍ୱରୂପ କୁମାର ଦାସଙ୍କ ପ୍ରାର୍ଥିତ୍ୱରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେପି ଉପରୋକ୍ତ ଆସନରେ ଯଥାକ୍ରମେ ରାଜକିଶୋର ବେହେରା ଓ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି।

ଭାବପ୍ରବଣତାକୁ ଭୋଟ୍‌ରେ ପରିଣତ କରିବାର ଫର୍ମୁଲା

କୌଣସି ବିଧାୟକଙ୍କ ପରଲୋକ ଘଟିଲେ, ତାଙ୍କ ସ୍ତ୍ରୀ, ପୁଅ କିମ୍ବା ପରିବାରରୁ ଅନ୍ୟ କାହାକୁ ପ୍ରାର୍ଥୀ କରି ଉପନିର୍ବାଚନ ରଣାଙ୍ଗନକୁ ଓହ୍ଲାନ୍ତି ବିଭିନ୍ନ ରାଜନୈତିକ ଦଳ। ଅଧିକାଂଶ ଉପନିର୍ବାଚନ ଫଳାଫଳ ସେହିମାନଙ୍କ ସପକ୍ଷରେ ହିଁ ଯାଇଥିବା ରାଜନୀତି ଇତିହାସ କହୁଛି। ଭାବପ୍ରବଣ ଓଡ଼ିଆ ଜନତା ଦିବଂଗତ ବିଧାୟକଙ୍କ ପ୍ରିୟ ପରିଜନଙ୍କୁ ହିଁ ନିଜ ଭୋଟ୍ ଦିଅନ୍ତି। ଆବେଗ ଓ ଭାବପ୍ରବଣତାକୁ ଅନୁକମ୍ପା ଭୋଟ୍‌ରେ ପରିଣତ କରିବାର ଏ ହେଉଛି ରାଜନୈତିକ ଫର୍ମୁଲା।

ବାଲେଶ୍ୱର : ମାନସଙ୍କ ପାଇଁ ବାପାଙ୍କ ପତିଆରା, ସ୍ୱରୂପଙ୍କ ପାଇଁ ଶାସକ ଦଳ ସାହା

ବାଲେଶ୍ୱର ବିଧାନସଭା ଆସନକୁ ଦୀର୍ଘ ବର୍ଷ ପରେ ନିଜ ହାତକୁ ଆଣିଥଲା ବିଜେପି। ମଦନମୋହନ ଦତ୍ତ ସେଠାରୁ ବିଜୟୀ ହୋଇ ପ୍ରଥମଥର ବିଧାୟକ ହୋଇଥିଲେ। କିନ୍ତୁ ବିଜୟର ମାତ୍ର ବର୍ଷକ ପରେ ତାଙ୍କ ପରଲୋକ ଯୋଗୁ ଉପନିର୍ବାଚନ ହେଉଛି। ଏଥିପାଇଁ ବିଜେପି ନିଜର ଏହି ଆସନକୁ ସୁରକ୍ଷିତ ରଖିବା ପାଇଁ ତାଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଦିବଂଗତ ବିଧାୟକ ବାପା ବିଜୟର ବର୍ଷକ ଭିତରେ ଯେଉଁ ଉନ୍ନୟନ କାମ ଆରମ୍ଭ କରିଥିଲେ, ତାହାକୁ ପୂରଣ କରିବା ଲକ୍ଷ୍ୟରେ ରହିଛନ୍ତି ପୁଅ ମାନସ। ବାପାଙ୍କ ଆସନରୁ ଜିତିବା ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ।

ଉପନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ନୂଆ ଚେହେରାକୁ ସୁଯୋଗ ଦେବାକୁ ପସନ୍ଦ କରନ୍ତି। ବିଜେଡି ପକ୍ଷରୁ ବହୁ ଆଶାୟୀ ଥିବାବେଳେ ସମସ୍ତଙ୍କୁ ଚମକାଇ ଦେଇ ଦଳ ଏଠାରୁ ଜଣେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଛି। ସେ ହେଲେ ସ୍ୱରୂପ କୁମାର ଦାସ। ସେ ବାଲେଶ୍ୱର ପୌରପରିଷଦର ପୂର୍ବତନ କାଉନସିଲର। ତାଙ୍କ ଭାଇ ଅରୂପ (କୁନା) ଦାସ ଦୁଇଥର ପୌରାଧ୍ୟକ୍ଷ ହୋଇଥିଲେ।

ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବା ବିଜେଡିର ମାଷ୍ଟର ପ୍ଲାନ

ଉଲ୍ଲେଖଯୋଗ୍ୟ, ବିଜେଡିର ଟିକେଟ୍ ରେସ୍‌ରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ତାଙ୍କ ପତ୍ନୀ ତଥା ବାଲେଶ୍ୱର ଜିଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ସୁବାସିନୀ ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ବିଧାୟକ ଅରୁଣ ଦେ, ଅଭିନେତା ଅରିନ୍ଦମ ରହିଥିଲେ। ଏମାନଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରି ଦଳରେ ବିଦ୍ରୋହ ଜନ୍ମାଇବା ପାଇଁ ନଦେଇ ଚତୁର ନିଷ୍ପତ୍ତି ନେଇଛି ବିଜେଡି। ନୂଆ ଚେହେରାକୁ ସୁଯୋଗ ଦେଇ ଦଳ ଏହି ଆସନକୁ ପୁଣି ଫେରି ପାଇବା ପାଇଁ ଉଦ୍ୟମ କରିବ। ତେବେ ଏଠାରୁ କଂଗ୍ରେସର ପ୍ରାର୍ଥୀ କିଏ ହେବ, ତାହା ସ୍ପଷ୍ଟ ହୋଇନାହିଁ।

ତିର୍ତ୍ତୋଲ : ବିଜୟଙ୍କ ପାଇଁ ୩ ପ୍ଲସ୍ ପଏଣ୍ଟ, ଗତ ରେକର୍ଡରୁ ଲାଭ ଉଠାଇବା ଆଶାରେ ରାଜକିଶୋର

ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ପରଲୋକ ପରେ ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲରେ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବାପ ପରେ ପୁଅ ଏବେ ନିର୍ବାଚନ ରଣାଙ୍ଗନରେ। ଏକଦା ନିଜ ପୁଅର ମାଟ୍ରିକ ପରୀକ୍ଷା ଖାତାରେ ମାର୍କ ଜାଲିଆତି ଅଭିଯୋଗରେ ବିଷ୍ଣୁ ଦାସଙ୍କ ମନ୍ତ୍ରୀପଦ ଯାଇଥିଲା।  ତାଙ୍କ ଅନ୍ତେ ଏବେ ପୁଅ ବିଧାୟକ ପ୍ରାର୍ଥୀ। ବାପାଙ୍କ ପତିଆରା ଓ ତାଙ୍କ ପରଲୋକଜନିତ ଅନୁକମ୍ପା ଏବଂ ଶାସକ ଦଳର ସମର୍ଥନ ବିଜୟଙ୍କ ପାଇଁ ପ୍ଲସ୍ ପଏଣ୍ଟ ହେବ। ଏହାସହ ସେ ଜଣେ ଯୁବକ ହୋଇଥିବାରୁ ତିର୍ତ୍ତୋଲର ଯୁବପିଢ଼ିଙ୍କ ସମର୍ଥନ ତାଙ୍କ ଖାତାକୁ ଯାଇପାରେ। ସେହିପରି ବିଜେପି ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି। ୨୦୧୪ରେ ସେ ଏଠାରୁ ପ୍ରାର୍ଥୀ ହୋଇଥିଲେ। ଦୀର୍ଘବର୍ଷ ଧରି କଂଗ୍ରେସରେ ସକ୍ରିୟ ରହିବା ପରେ ସେ ବିଜେପି ଶିବିରରେ ସାମିଲ ହୋଇଥିଲେ। ବର୍ଷକ ତଳର ନିର୍ବାଚନରେ ତିର୍ତ୍ତୋଲ ଆସନରେ ବିଜେପି ଦ୍ୱିତୀୟ ସ୍ଥାନରେ ଥିଲା। ତେଣୁ ଏଥର ଏଠାରୁ ବିଜୟ ଆଶା ରଖିଛି ବିଜେପି।

ଉପନିର୍ବାଚନ ଫଳକୁ ପ୍ରଭାବିତ କରେ ଅନୁକମ୍ପା ଭୋଟ୍ ଓ ଶାସକ ଦଳର ସମର୍ଥନ

ଉପନିର୍ବାଚନରେ ଅଧିକାଂଶ ଫଳ ଶାସକ ଦଳ ସପକ୍ଷରେ ହିଁ ଯାଏ। କ୍ଷମତାରେ ଥାଇ ଦଳ ଉପନିର୍ବାଚନ ପୂର୍ବରୁ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ପ୍ରଭାବିତ କରିପାରନ୍ତି। ଏହାସହ ଅନୁକମ୍ପା ଭୋଟ୍ ନିର୍ଣ୍ଣାୟକ ଭୂମିକା ନିଏ। ପରଲୋକଗତ ବିଧାୟକଙ୍କ ସ୍ତ୍ରୀ, ପୁଅ ହିଁ ଅନୁକମ୍ପା ଭୋଟ୍‌ରେ ବିଜୟୀ ହୋଇଛନ୍ତି।

ପାଟକୁରା ନିର୍ବାଚନ

୨୦୧୯ ନିର୍ବାଚନର ୯ ଦିନ ପୂର୍ବରୁ କେନ୍ଦ୍ରାପଡ଼ା ଜିଲା ଅଧୀନ ପାଟକୁରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବରିଷ୍ଠ ବିଜେଡି ନେତା ବେଦପ୍ରକାଶ ଅଗ୍ରଓ୍ୱାଲାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ଅନ୍ତେ ଅନୁକମ୍ପା ଭୋଟ୍ ପାଇଁ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲାଙ୍କୁ ପ୍ରାର୍ଥୀ କରି ବିଜେଡି ସଫଳ ହୋଇଥିଲା। ପରାସ୍ତ ହୋଇଥିଲେ ବିଜେପିର ହେଭିଓ୍ୱେଟ୍ ବିଜୟ ମହାପାତ୍ର।

ବିଜେପୁର ଉପନିର୍ବାଚନ

ସେହିପରି ୨୦୧୮ରେ ବିଜେପୁର ନିର୍ବାଚନମଣ୍ଡଳୀରେ ମଧ୍ୟ ସମାନ ଫର୍ମୁଲା ଆପଣାଇଥିଲା ବିଜେଡି। ସେହି ଆସନରୁ ୩ ଥର କଂଗ୍ରେସ ବିଧାୟକ ଥିବା ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ସ୍ତ୍ରୀ ରିତା ସାହୁଙ୍କୁ ନିଜ ଦଳକୁ ଆଣିଥିଲା ବିଜେଡି। ଏହାପରେ ସେଠାରୁ ତାଙ୍କୁ ପ୍ରାର୍ଥୀ କରାଇଥିଲା। ରୀତା ସାହୁ ବିଜେପୁରରୁ ୯୭,୯୯୦ ଭୋଟ୍‌ର ରେକର୍ଡ ବ୍ୟବଧାନରେ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ।

କନ୍ଧମାଳ ଲୋକସଭା କ୍ଷେତ୍ର ଉପନିର୍ବାଚନ

କନ୍ଧମାଳର ପୂର୍ବତନ ଲୋକସଭା ସାଂସଦ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ପରଲୋକ ପରେ ୨୦୧୪ରେ ଯେଉଁ ଉପନିର୍ବାଚନ ହୋଇଥିଲା, ସେଥିରେ ବିଜେଡି ହେମେନ୍ଦ୍ରଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ପ୍ରାର୍ଥୀ କରିଥିଲା। ବିଜେପି ପ୍ରାର୍ଥୀ ରୁଦ୍ରମାଧବ ରାୟଙ୍କୁ ହରାଇ ପ୍ରତ୍ୟୁଷା ଲୋକସଭା ଯାଇଥିଲେ।

ତିର୍ତ୍ତୋଲ ଓ ବାଲେଶ୍ୱର ଆସନ ପାଇଁ କଂଗ୍ରେସ ଏଯାବତ୍ ନିଜ ପ୍ରାର୍ଥୀ ଘୋଷଣା କରିନାହିଁ। ସେମାନେ କାହାକୁ ପ୍ରାର୍ଥୀ କରୁଛନ୍ତି, ସେମାନଙ୍କ ଉପରେ ବିଜେଡି, ବିଜେପିର ନଜର ରହିବ। କିନ୍ତୁ ମୋଟାମୋଟି କହିବାକୁ ଗଲେ ଏହି ଦୁଇଟି ଆସନରେ ବିଜେଡି ଓ ବିଜେପି ମଧ୍ୟରେ ହିଁ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି।

Comment