ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ସୋମବାର ରାଜ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ସୁଧମୁକ୍ତ ଋଣ ବ୍ୟବସ୍ଥା ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥାରେ ରାଜ୍ୟମାନଙ୍କୁ ୫୦ ବର୍ଷ ପାଇଁ ବିନା କୌଣସି ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ଏଥିପାଇଁ କେନ୍ଦ୍ର ସରକାର ମୋଟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ପାଖରୁ ଲୋନ୍ ନେବେ ଏବଂ ଏଥିପାଇଁ ସେମାନଙ୍କୁ କୌଣସି ସୁଧ ପଡ଼ିବ ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଗାମୀ ୫୦ ବର୍ଷ ଭିତରେ ରାଜ୍ୟ ସରକାର ଏହି ଟଙ୍କାକୁ କେନ୍ଦ୍ର ସରକାରଙ୍କ ଫେରାଇବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ କେନ୍ଦ୍ର ସରକାର ୨୫୦୦ କୋଟି ଟଙ୍କା ରାଜ୍ୟମାନଙ୍କୁ ଋଣ ଆକାରରେ ପ୍ରଦାନ କରିବେ। ଯେଉଁଥିରୁ ୧୬୦୦ କୋଟି ଉତ୍ତର-ପୂର୍ବ ରାଜ୍ୟମାନଙ୍କୁ ଓ ୯୦୦ କୋଟି ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡକୁ ଦିଆଯିବ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ଆଉ ୭୫୦୦ କୋଟି ଟଙ୍କା ପ୍ରଦାନ କରିବେ। ତେବେ କେଉଁ ରାଜ୍ୟକୁ କେତେ ଟଙ୍କା ଦିଆଯିବ ସେନେଇ ଅର୍ଥ ଆୟୋଗ ଧାର୍ଯ୍ୟ କରିବେ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ଟଙ୍କାକୁ ରାଜ୍ୟ ସରକାରମାନେ ୨୦୨୧ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଶେଷ କରିବାକୁ ପଡ଼ିବ। ଏହାପରେ ରାଜ୍ୟ ସରକାର ଆଗାମୀ ୫୦ ବର୍ଷ ଭିତରେ ଏହି ଟଙ୍କା କେନ୍ଦ୍ର ସରକାରଙ୍କୁ ବିନା କୌଣସି ସୁଧରେ ଫେରାଇବେ।

Comment