କମଳାକାନ୍ତ ପତି

ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ଏକାକୀ ୩୦୩ ଆସନ ଲାଭ କଲା। ଦଳ ଚାହିଁଥିଲେ ଏନ୍‌ଡିଏର କୌଣସି ମେଣ୍ଟ ସହଯୋଗୀ ଦଳଗୁଡ଼ିକ ବିନା ଏକାକୀ ସରକାର ଗଠନ କରିପାରିଥାଆନ୍ତା।ମାତ୍ର ମୋଦୀ ମେଣ୍ଟ ଧର୍ମ ରକ୍ଷା କରିବାର ଆଦର୍ଶ ଦେଖାଇଥିଲେ ମଧ୍ୟ ଅନ୍ୟ ସହଯୋଗୀ ଦଳଗୁଡ଼ିକ ଏନ୍‌ଡିଏରେ ଥାଇ ମଧ୍ୟ କ୍ରମେ ଗୁରୁତ୍ଵ ହରାଉଥିବା ପରିଲକ୍ଷିତ ହେଉଛି।

ସଂଖ୍ୟାବଳରେ ବଳିୟାନ ବିଜେପି

କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାର ଯଦି ନିରଙ୍କୁଶ ହୋଇଯାଏ, ତେବେ ସ୍ଵେଚ୍ଛାଚାରିତା ବୃଦ୍ଧି ପାଏ। ତେଣୁ ଗଣତନ୍ତ୍ରରେ ବିରୋଧୀଙ୍କ ଭୂମିକାକୁ ଗୁରୁତ୍ଵ ଦିଆଯାଇଛି। ଏବେ ଭାରତରେ ବିରୋଧୀ ବସ୍ତୁତଃ ସଂଖ୍ୟା ଦୃଷ୍ଟିରୁ ଦୁର୍ବଳ। ୨୦୧୯ ସାଧାରଣ ନିର୍ବାଚନରେ ଶାସକ ଏନ୍‌ଡିଏ ପୁନର୍ବାର ବିଜୟୀ ହୋଇ କ୍ଷମତାର ମଙ୍ଗ ନିଜ ହାତରେ ରଖିପାରିଛି। କେନ୍ଦ୍ରରେ ଏନ୍‌ଡିଏ ସରକାର ଚାଲିଛି ବୋଲି କୁହାଯାଉଥିଲେ ମଧ୍ୟ ପ୍ରକୃତ ଅର୍ଥରେ ଚାଲିଛି ବିଜେପି ସରକାର।

ଗତ ନିର୍ବାଚନରେ ବିଜେପି ୫୪୫ ସଦସ୍ୟ ବିଶିଷ୍ଟ ଲୋକସଭାରେ ଏକାକୀ ଜିତିଛି ୩୦୩ ଆସନ। ଏକାଧିକ ରାଜନୈତିକ ଦଳ ବିଜେପି ଛତ୍ରଛାୟା ତଳେ ରହି ନିର୍ବାଚନ ଲଢ଼ିଥିଲେ। ମାତ୍ର ସେମାନଙ୍କର ଆସନ ସଂଖ୍ୟା ସୀମିତ ହୋଇଯାଇଛି। ଫଳରେ ଏହି ଦଳଗୁଡ଼ିକ ଏନ୍‌ଡିଏରେ ଥାଇ ମଧ୍ୟ ନଥିଲା ପରି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସେମାନଙ୍କ ସଂଖ୍ୟା ଇତିମଧ୍ୟରେ ଏକକୁ ଖସିଆସିଲାଣି। ଏହାବାଦ୍ ମୋଦୀ ସରକାର ବାହ୍ୟ ଅର୍ଥରେ ମେଣ୍ଟ ଧର୍ମ ପାଳନ କରୁଥିଲେ ମଧ୍ୟ ମେଣ୍ଟ ସହଯୋଗୀମାନଙ୍କୁ କୌଣସି ଗୁରୁତ୍ଵ ଦେଉନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କାରଣ ବିଜେପି ଏଥର ସଂଖ୍ୟା ବଳରେ ବଳୀୟାନ।

ଯବକାଚ ଦେଇ ଅଣବିଜେପି ମନ୍ତ୍ରୀ ଖୋଜା

“ସର୍ବନିମ୍ନ ସରକାର, ସର୍ବୋଚ୍ଚ ଶାସନ’’ (ମିନିମମ୍ ଗଭର୍ଣ୍ଣମେଣ୍ଟ, ମ୍ୟାକ୍ସିମମ୍ ଗଭର୍ଣ୍ଣାନ୍ସ) ର ସ୍ଳୋଗାନ୍ ଦେଇ ଦ୍ଵିତୀୟ ପାଳି ସରକାରକୁ ଆସିଥିବା ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଏବେ ୫୯ ଜଣ ମନ୍ତ୍ରୀ। କ୍ୟାବିନେଟ, ରାଷ୍ଟ୍ର, ରାଷ୍ଟ୍ର ସ୍ଵାଧୀନ – ଏହିଭଳି  ଭାବେ ଯେଉଁ ମନ୍ତ୍ରୀମାନେ ଏବେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ମେଣ୍ଟ ସହଯୋଗୀ ଦଳଗୁଡ଼ିକର ସଂଖ୍ୟା (ଅଣ ବିଜେପି ମନ୍ତ୍ରୀ) କେତେ? ଯଦି କେହି ଏହା ଖୋଜିବାକୁ ଚାହିଁବେ, ତେବେ ତାଙ୍କୁ ଯବକାଚର ସାହାଯ୍ୟ ନେବାକୁ ପଡ଼ିବ।

ଦ୍ଵିତୀୟ ପାଳି ସରକାରରେ  ମନ୍ତ୍ରିମଣ୍ଡଳ ଗଢ଼ିବା ବେଳେ ମୋଦୀ ଯେଉଁ କେତେଜଣ ଅଣ ବିଜେପି ମନ୍ତ୍ରୀ କରିଥିଲେ, ସେମାନଙ୍କ ସଂଖ୍ୟା ଇତିମଧ୍ୟରେ ହ୍ରାସ ପାଇଗଲାଣି। ମେଣ୍ଟ ସହଯୋଗୀ ଶିବସେନା ଓ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ଏନ୍‌ଡିଏରୁ ଓହରିଯିବା ଏବଂ ସଦ୍ୟ ଏଲଜେପି ମନ୍ତ୍ରୀ ରାମବିଳାସ ପାଶ୍ଵାନଙ୍କ ଅକାଳ ବିୟୋଗ ଏହି ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଏବେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଜଣେ ମାତ୍ର ଅଣ ବିଜେପି ମନ୍ତ୍ରୀ ରହିଛନ୍ତି। ସେ ହେଉଛନ୍ତି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ତଥା ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ)ର ପ୍ରତିନିଧି ରାମଦାସ ଅଠାଓ୍ବଲେ। ଅନ୍ୟ ସମସ୍ତେ ବିଜେପି ମନ୍ତ୍ରୀ।

ଗୀତେ, ହରସିମରତଙ୍କ ଇସ୍ତଫା, ପାଶ୍ଵାନଙ୍କ ଦେହାନ୍ତ

ଗତ ବର୍ଷ ସରକାରକୁ ଆସି ମନ୍ତ୍ରିମଣ୍ଡଳ ଗଠନ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏନ୍‌ଡିଏ ସହଯୋଗୀ ଦଳଗୁଡ଼ିକ ମଧ୍ୟରୁ ୩ଟି ଦଳରୁ ୩ ଜଣଙ୍କୁ କ୍ୟାବିନେଟ୍ ପାହ୍ୟାର ମନ୍ତ୍ରୀ କରିଥିଲେ। ସେମାନେ ହେଲେ ଶିବସେନାର ଅନନ୍ତ ଗୀତେ, ଅକାଳୀଦଳର ହରସିମରତ କୌର ବାଦଲ ଏବଂ ଏଲଜେପିର ରାମ ବିଳାସ ପାଶ୍ଵାନ। ଗତ ବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନୀରେ ଶିବସେନା ନେତା ଉଦ୍ଧବ ଠାକ୍‌ରେ  କ୍ଷମତା ଲାଳସାରେ ବିଜେପି ହାତ ଛାଡ଼ି କଂଗ୍ରେସ ଓ ଏନସିପିର ହାତ ଧରିଥିଲେ।  ଆଦର୍ଶଗତ ପାର୍ଥକ୍ୟ ସତ୍ତ୍ଵେ ଉଦ୍ଧବ  କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ସମୟରେ ଶିବସେନାକୁ ଏନଡିଏ ଛାଡ଼ିବାକୁ ପଡ଼ିଥିଲା। ମୋଦୀଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ଶିବସେନାର ଅନନ୍ତ ଗୀତେ।  ସେ ଥିଲେ ଭାରି ଶିଳ୍ପ ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ।

ଠିକ ସେହିପରି ମୋଦୀ ସରକାରଙ୍କ କୃଷି ବିଲ୍ କୃଷକଙ୍କ ସ୍ଵାର୍ଥ ବିରୋଧୀ ବୋଲି ଅଭିଯୋଗ ଆଣି ଏହାର ପ୍ରତିବାଦରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ଏସଏଡି ମନ୍ତ୍ରୀ ହରସିମରତ କୌର ବାଦଲ। ସେ ଥିଲେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ। କେବଳ ସେ ମନ୍ତ୍ରୀପଦ ଛାଡ଼ିନାହାନ୍ତି, ଏସଏଡି ମଧ୍ୟ ଦୀର୍ଘଦିନର ସମ୍ପର୍କ ତୁଟାଇ ଏନଡିଏରୁ ଓହରିଯାଇଛି। ଅନ୍ୟତମ ମେଣ୍ଟ ସହଯୋଗୀ ଦଳ ଏଲଜେପିରୁ କେନ୍ଦ୍ରରେ ମନ୍ତ୍ରୀ ଥିଲେ ରାମବିଳାସ ପାଶ୍ଵାନ। ସେ ଖାଦ୍ୟ, ସାଧାରଣ ବଣ୍ଟନ ଓ ଖାଉଟି ବ୍ୟାପାର କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ଗତ ସପ୍ତାହରେ ତାଙ୍କ ଦେହାନ୍ତ ମୋଦୀଙ୍କ ମନ୍ତ୍ରିମଣ୍ଡଳକୁ ଅଣ ବିଜେପି କ୍ୟାବିନେଟ୍ ମନ୍ତ୍ରୀ ଶୂନ୍ୟ କରିଦେଇଛି।

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ନାହିଁ ଜେଡିୟୁ

ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ବିଜେପି ବ୍ୟତୀତ ଅନ୍ୟ ବଡ଼ ଦଳ ଭାବେ ରହିଛି ନୀତିଶ କୁମାରଙ୍କ ଜନତା ଦଳ (ୟୁ)। ୨୦୧୪ରେ ସାମୟିକ ବିଚ୍ଛେଦ ପରେ ନୀତିଶଙ୍କ ଜେଡିୟୁ ପୁନର୍ବାର ଏନଡିଏକୁ ଫେରିଆସିଛି। ବିହାରରେ ଏବେ ଏନଡିଏ ସରକାର। ଏଥର ନିର୍ବାଚନ ମଧ୍ୟ ବିଜେପି ଓ ଜେଡିୟୁ ଆସନ ଭାଗବଣ୍ଟା କରି ଲଢୁଛନ୍ତି। ବିଡ଼ମ୍ବନାର କଥା ହେଉଛି ୨୦୧୯ ନିର୍ବାଚନରେ ଦୁଇ ଦଳ ମେଣ୍ଟ କରି ଲଢ଼ିଥିଲେ ମଧ୍ୟ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହିଁ ଜେଡିୟୁ। ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ୨ଟି ଗୁରୁତ୍ଵପୂର୍ଣ୍ଣ ପଦବୀ ଜେଡିୟୁ ପ୍ରତିନିଧିଙ୍କୁ ଦିଅନ୍ତୁ ବୋଲି ଚାହୁଁଥିଲେ ନୀତିଶ। ମାତ୍ର ତାହା ମିଳିବ ନାହିଁ ବୋଲି ଜାଣିବା ପରେ ନୀତିଶଙ୍କ ସିଦ୍ଧାନ୍ତ ଅନୁଯାୟୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦେଇ ନାହିଁ ଜେଡିୟୁ। ଉଲ୍ଲେଖ କରାଯାଇପାରେ ଯେ, ୨୦୧୯ ନିର୍ବାଚନରେ ମୋଦି ବିପୁଳ ସଂଖ୍ୟାଗରିଷ୍ଠତା ନେଇ ଆସିବା ବେଳକୁ ଏନଡିଏରେ ମେଣ୍ଟ ସହଯୋଗୀଙ୍କ ସଂଖ୍ୟା ଥିଲା ୨୪। ମାତ୍ର ସହଯୋଗୀ ଦଳଗୁଡ଼ିକୁ ମନ୍ତ୍ରିମଣ୍ଡଳରେ ମିଳିନାହିଁ ଉପଯୁକ୍ତ ପ୍ରତିନିଧିତ୍ଵ।

ବିଜେପି ମେଣ୍ଟ ସହଯୋଗୀଙ୍କ ଶକ୍ତି?

ରାଜନୈତିକ ମହଲର ପ୍ରଶ୍ନ – ତେବେ କ’ଣ ବିଜେପି ତା’ର ମେଣ୍ଟ ସହଯୋଗୀଙ୍କ ଶକ୍ତି? ବିଜେପି ମୁଖପାତ୍ର ଗୌରବ ଭାଟିଆଙ୍କ ମତରେ, ଆମ ଦଳ ଅଟଳ ବିହାରୀ ବାଜପାୟୀଙ୍କ ସମୟରୁ ମେଣ୍ଟ ସହଯୋଗୀଙ୍କୁ ସମ୍ମାନ ଦେଇ ଆସିଛି। ସେମାନଙ୍କର ଏନଡିଏରେ ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି। ଏନଡିଏ ଏବଂ ବିଜେପି ସର୍ବଦା ଜାତୀୟ ସ୍ଵାର୍ଥକୁ ଗୁରୁତ୍ଵ ଦେଇ ଆସିଛନ୍ତି। ହୁଏତ ତାହା କେବେ କେବେ ଆଞ୍ଚଳିକ ରାଜନୈତିକ ଦଳ କିମ୍ବା ଆଞ୍ଚଳିକ ସ୍ଵାର୍ଥ ସହ ଖାପ ଖୁଆଇ ପାରିନାହିଁ।

ଭାଟିଆଙ୍କ ମନ୍ତବ୍ୟକୁ ଯଦି ସତ୍ୟ ଭାବେ ଧରି ନିଆଯାଏ, ତେବେ ଏନଡିଏରେ କ୍ଷୁଦ୍ର ସହଯୋଗୀ ଦଳଗୁଡ଼ିକ କ’ଣ ନିଜ ବଦଳରେ ନୁହେଁ, ମୋଦୀଙ୍କ ଜନପ୍ରିୟତାକୁ କାମରେ ଲଗାଇଛନ୍ତି ବୋଲି ବୁଝିବାକୁ ପଡ଼ିବ? ରାଜନୈତିକ ମହଲକୁ ଏହି ପ୍ରଶ୍ନ ବାରମ୍ବାର ଆନ୍ଦୋଳିତ କରୁଛି। ସମ୍ଭବତଃ ସେହି ଧାରଣା ବିଜେପି ଶୀର୍ଷ ନେତାଙ୍କ ମନରେ ବସା ବାନ୍ଧିଛି। ତେଣୁ ବିଜେପି ତା’ର ମନ୍ତ୍ରିମଣ୍ଡଳରୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରୁ ସହଯୋଗୀ ଦଳଗୁଡ଼ିକୁ କ୍ରମଶଃ ଦୂରେଇ ଦେଉଛି। ତେଣୁ ଏବେ ଏନଡିଏରେ ଥିବା ଛୋଟ ଦଳଗୁଡ଼ିକ ମଧ୍ୟରେ ନିରାପତ୍ତାର ଅଭାବବୋଧ ସୃଷ୍ଟି ହେଉଛି।

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା

ମନ୍ତ୍ରିମଣ୍ଡଳରେ ଅଣ –ବିଜେପି ମନ୍ତ୍ରୀଙ୍କ ଶୂନ୍ୟସ୍ଥାନ ନେଇ ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ଚାପା ଗୁଞ୍ଜରଣ ଶୁଣିବାକୁ ମିଳିଲାଣି। ଏପରିକି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ନୂଆ ଟିମ୍ ଘୋଷଣା କରି ସାରିଥିଲେ ମଧ୍ୟ ଦଳର ଅନେକ ବରିଷ୍ଠ ନେତା ପଦବୀ ଶୂନ୍ୟ ହୋଇ ରହିଛନ୍ତି। ମୋଦୀ ତାଙ୍କ ଦ୍ଵିତୀୟ ପାଳି ସରକାର ଶପଥ ନେବା ଦିନଠାରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କିମ୍ବା ଅଦଳବଦଳ କରିନାହାନ୍ତି। ଇତିମଧ୍ୟରେ ତିନିଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ସେମାନଙ୍କ ନିକଟରେ ଥିବା ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟଗୁଡ଼ିକୁ ଏବେ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀମାନେ ଅତିରିକ୍ତ ଦାୟିତ୍ଵ ଭାବେ ତୁଲାଉଛନ୍ତି। ଏହିସବୁ ଦୃଷ୍ଟିରୁ ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ଅଦଳବଦଳ ଖୁବ୍ ଶୀଘ୍ର କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ ଏଥିପାଇଁ ବିହାର ବିଧାନସଭା ନିର୍ବାଚନ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment