ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲଭ୍, ଇମୋସନ, ରୋମାନ୍ସ ପରେ ଏବେ ଆକ୍ସନ ଓ ଇନଭେଷ୍ଟିଗେସନ ମୁଡ୍‌ରେ ଓଲିଉଡ୍ ନାୟିକା ଅର୍ଚ୍ଚିତା। ପରଦାରେ ସେ ଦୁଇଥର ଖାକି ପିନ୍ଧିଲେଣି। ଆଉ କନ୍ଦାକଟା ନୁହେଁ, ଏଣିକି ଡେୟାରିଂ ସିନ୍‌ରେ ଆସିବେ ବୋଲି କହିଛନ୍ତି ଅର୍ଚ୍ଚିତା।

ପ୍ରଥମଥର ପାଇଁ ‘ଏସିପି ସାଗରିକା’ରେ ପୋଲିସ ଅଫିସର ଭୂମିକାରେ ଓଲିଉଡ୍ ପରଦାକୁ ଆସିଥିଲେ ଚୁଲବୁଲି ନାୟିକା ଅର୍ଚ୍ଚିତା। କପ୍ କ୍ୟାରେକ୍ଟରରେ ତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା ମିଳିଥିଲା। ଆଗକୁ ଆସିବାକୁ ଥିବା ସିନେମା ‘ଦୁର୍ଗତିନାଶିନୀ’ରେ ପୁଣି ଖାକି ପୋଷାକରେ ବକ୍ସ ଅଫିସକୁ ଓହ୍ଲାଇବେ ଅର୍ଚ୍ଚିତା।

କନ୍ଦାକଟା ବହୁତ ହେଲା, ଏଥର ଡେୟାରିଂ ରୋଲ୍‌: ଅର୍ଚ୍ଚିତା

ଆଗାମୀ ଦିନରେ ଆସିବାକୁ ଥିବା ନୂଆ ସିନେମା ‘ଦୁର୍ଗତିନାଶିନୀ’ରେ ଜଣେ ଡେୟାରିଂ ପୋଲିସ ଅଫିସର ଭୂମିକାରେ ଆସୁଛନ୍ତି ଅର୍ଚ୍ଚିତା। ଅଫିସର ନିତ୍ୟା। ନିତ୍ୟାର ଅର୍ଥ ଦୁର୍ଗା। ଅପରାଧର ଦୁର୍ଗତିକୁ ନାଶିବା ହେଉଛି ଅଫିସର ନିତ୍ୟାଙ୍କ କାମ। ଏହି ସିନେମା ହେଉଛି ଏକ ସସପେନ୍ସ ଥ୍ରୀଲର। ଅର୍ଚ୍ଚିତା ନିଜ ଭୂମିକା ସମ୍ପର୍କରେ ‘ଓଡ଼ିଶାଲାଇଭ୍’କୁ କହିଛନ୍ତି ଯେ ଆଗରୁ ଦର୍ଶକମାନେ ତାଙ୍କୁ କନ୍ଦାକଟା ସିନ୍‌ରେ ଦେଖିଆସୁଥିଲେ। ରିଲ୍‌ରେ ଅର୍ଚ୍ଚିତା ଅନ୍ୟକୁ ସାହାଯ୍ୟ ମାଗୁଥିବାର ଦେଖୁଥିଲେ ଦର୍ଶକ। କିନ୍ତୁ ‘ଏସିପି ସାଗରିକା’ ହେଉ କି ‘ଦୁର୍ଗତିନାଶିନୀ’, ଏଥର ଅର୍ଚ୍ଚିତାଙ୍କୁ ଡେୟାରିଂ ରୋଲ୍‌ରେ ଦେଖିବେ ସମସ୍ତେ। ଅର୍ଚ୍ଚିତା ଏଥର ରିଲ୍‌ରେ କାହାର ସାହାଯ୍ୟ ନେବେନି, ବରଂ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଛିଡ଼ାହେବେ। ‘ଦୁର୍ଗତିନାଶିନୀ’ ଏହି ବାର୍ତ୍ତା ଦେଉଛି ବୋଲି ଅର୍ଚ୍ଚିତା କହିଛନ୍ତି।

ଦଶହରା ପରେ ପରେ ପରଦାକୁ ଆସିବ ‘ଦୁର୍ଗତିନାଶିନୀ’

ଅକ୍ଷୟ ପରିଜା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ସିନେମା ‘ଦୁର୍ଗତିନାଶିନୀ’ର ସୁଟିଂ ଖୁବ୍ ଜୋର୍‌ସୋର୍‌ରେ ଚାଲିଛି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ରାଜା ଡି.। ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ଗୁଡ୍‌ଲି ରଥ। ଅର୍ଚ୍ଚିତାଙ୍କ ସହ ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ଅଭିନେତା ପାର୍ଥସାରଥୀ। ‘ଓଡ଼ିଶାଲାଇଭ୍‌’କୁ ଅର୍ଚ୍ଚିତା କହିଛନ୍ତି, ସିନେମାଟି ଦଶହରା ପରେ ପରେ ରିଲିଜ୍ ହେବ। କରୋନା କଟକଣା ଯୋଗୁ ଗତ ୭ ମାସ ହେଲା ସିନେମା ହଲ୍ ବନ୍ଦ ରହିଥିଲା। ‘ଦୁର୍ଗତିନାଶିନୀ’ ସିନେମା ଦଶହରା ପରେ ଥିଏଟରରେ ରିଲିଜ୍ ହୋଇପାରିଲେ, ଏହା ଫିଲ୍ମ ହଲ୍ ପାଇଁ ହେବ କରୋନା ସମୟର ପ୍ରଥମ ସିନେମା। ଅନେକ ଦିନ ହେଲା ଓଡ଼ିଶାର ସିନେପ୍ରେମୀ ହଲ୍‌ରେ ବସି ସିନେମା ଦେଖିବାର ସୁଯୋଗ ପାଇନାହାନ୍ତି। ତେଣୁ ଅର୍ଚ୍ଚିତାଙ୍କ ଏହି ଫିଲ୍ମକୁ ନେଇ ସେମାନଙ୍କ ଭିତରେ ଉତ୍କଣ୍ଠା ସୃଷ୍ଟି ହେଲାଣି।

ଆମର କମ୍‌ବ୍ୟାକ୍ ଇଣ୍ଡଷ୍ଟ୍ରି ପାଇଁ ଭଲ ଖବର

ଅର୍ଚ୍ଚିତା ଏହି ସିନେମାକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି। ସେ କହିଛନ୍ତି, ବହୁଦିନ ପରେ ଏହି ସିନେମା ବହୁତ ଜଣଙ୍କୁ କାମ ଦେଇଛି। ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ସୁଟିଂ ସେଟ୍‌ର ଲାଇଟମ୍ୟାନ୍, ମେକଅପ୍‌ ଆର୍ଟିଷ୍ଟ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ଉତ୍ସାହ ଦେବ। ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ଏହା ଭଲ ଖବର। ଭଲ କମ୍ ବ୍ୟାକ୍।

Comment