କମଳାକାନ୍ତ ପତି

ବିରୋଧୀଙ୍କୁ ପାଲଟା ଜବାବ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କହୁଛନ୍ତି, ତାଙ୍କ ସରକାର କୃଷକମାନଙ୍କର ଭଲ ଚାହୁଁଥିବାରୁ ବିରୋଧୀଙ୍କର ରାଗ। ଯଦି ଏହା ସତ୍ୟ, ତେବେ ସରକାର ନୂଆ କୃଷି ବିଲ୍ ପ୍ରଣୟନ କରିସାରିଥିଲେ ମଧ୍ୟ କୃଷକଙ୍କୁ ଭୟ କରୁଛନ୍ତି କାହିଁକି? ତଥ୍ୟାଭିଜ୍ଞ ମହଲ ଏଭଳି ପ୍ରଶ୍ନ କଲେଣି।

କୃଷକଙ୍କୁ ବୈଠକକୁ ଡାକି ମନ୍ତ୍ରୀ ଅନୁପସ୍ଥିତ

ଦେଶର କୃଷକଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷାର ପ୍ରତିବଦ୍ଧତାକୁ ଦୋହରାଇବାକୁ ଯାଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସଦ୍ୟ ସମାପ୍ତ ସଂକ୍ଷିପ୍ତ ପାର୍ଲାମେଣ୍ଟ ଅଧିବେଶନରେ ତିନୋଟି କୃଷି ବିଲ୍ ପାରିତ କରିନେଲେ। ମେଣ୍ଟ ସହଯୋଗୀ ଶିରୋମଣି ଅକାଳୀ ଦଳର ତୀବ୍ର ବିରୋଧ, ଏହି ଦଳରୁ ମନ୍ତ୍ରୀ ହୋଇଥିବା ହରସିମରତ କୌର ବାଦଲଙ୍କ ଇସ୍ତଫା ଏବଂ ଶେଷରେ ଅକାଳୀ ଦଳ ଜାତୀୟ ଗଣତାନ୍ତ୍ରିକ କମେଣ୍ଟ (ଏନ୍‌ଡିଏ)ରୁ ଓହରିଯିବା ସତ୍ତ୍ୱେ ସରକାର ରୋକିଲେ ନାହିଁ।

ପଞ୍ଜାବ, ହରିୟାଣା ସମେତ ଦେଶର ବିଭିନ୍ନ ରାଜ୍ୟରେ କୃଷକ ଆନ୍ଦୋଳନ, କଂଗ୍ରେସ ସମେତ ଅଧିକାଂଶ ବିରୋଧୀଦଳର ବିରୋଧ ଓ ପାର୍ଲାମେଣ୍ଟ ବର୍ଜନ ସତ୍ତ୍ୱେ କୃଷି ବିଲ୍ ଅନୁମୋଦିତ ହୋଇଥିଲା। ଏପରିକି ଏହି ବିଲ୍‌ରେ ସ୍ୱାକ୍ଷର ନ କରିବାକୁ ବିରୋଧୀ ଦଳଗୁଡ଼ିକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅନୁରୋଧ କରି ନିରାଶ ହୋଇଥିଲେ। କୃଷି ବିଲ୍ ଆଇନ୍‌ରେ ପରିଣତ ହୋଇଯିବା ପରେ ସରକାର କୃଷକ ସଙ୍ଗଠନଗୁଡ଼ିକୁ, ଏହି ଆଇନ୍ କିପରି କୃଷକଙ୍କ ସ୍ୱାର୍ଥ ସାଧନ କରିବ, ତାହା ବୁଝାଇବାକୁ ଚେଷ୍ଟା କରୁଛନ୍ତି। ତେଣୁ ବୁଧବାର କେନ୍ଦ୍ର ସରକାର କୃଷକ ସଙ୍ଗଠନଗୁଡ଼ିକୁ ଏକ ବୈଠକ ପାଇଁ ନୂଆ ଦିଲ୍ଲୀ ଡକାଇଥିଲେ।

ବୈଠକକୁ ଆସିଥିବା କୃଷକ ସଙ୍ଗଠନର ପ୍ରତିନିଧିମାନେ ସେଠାରେ କେନ୍ଦ୍ର କୃଷି ମନ୍ତ୍ରୀ କିମ୍ବା ରାଷ୍ଟ୍ରମନ୍ତ୍ରୀଙ୍କୁ ନ ଦେଖି କ୍ଷୁବ୍ଧ ହୋଇଥିଲେ। ବୈଠକ ବର୍ଜନ କରି କୃଷି ଆଇନ୍‌ର ଦସ୍ତାବିଜ୍‌କୁ ଚିରି ଫିଙ୍ଗି ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ମହଲର ପ୍ରଶ୍ନ କୃଷି ଆଇନ୍ ଯଦି କୃଷକଙ୍କ ସ୍ୱାର୍ଥ ପ୍ରତି ଅନୁକୂଳ, ତେବେ ସରକାର ଚାଷୀ ସମାଜକୁ ଭୟ କରୁଛନ୍ତି କାହିଁକି? ବୈଠକକୁ କୃଷି ସଚିବଙ୍କୁ ପଠାଇ ପର୍ଦ୍ଦା ଆଢୁଆଳରେ ରହିଯିବାର କାରଣ କ’ଣ? ଏହା ସରକାରଙ୍କର ଦୋମୁହାଁ ନୀତି ନୁହେଁ କି?

ଚାପ ହ୍ରାସ ପାଇଁ ବୈଠକ ଡକାଯାଇଥିଲା

କୃଷି ବିଲ୍ ଆଇନ୍‌ରେ ପରିଣତ ହୋଇସାରିଥିଲେ ମଧ୍ୟ ସରକାରଙ୍କ ଉପରେ କୃଷକ ସଙ୍ଗଠନ ଓ ବିରୋଧୀ ଦଳଗୁଡ଼ିକର ଚାପ ବଢୁଛି। ଦେଶର ବିଭିନ୍ନ ରାଜ୍ୟରେ କୃଷକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସରକାରଙ୍କର ମନ୍ତ୍ରୀ ଏବଂ ଖୋଦ୍ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ, ବିରୋଧୀଙ୍କ ପ୍ରରୋଚନାରେ କୃଷକମାନେ ବିଭ୍ରାନ୍ତ ହେଉଛନ୍ତି। ଚାପ କ୍ରମଶଃ ବଢୁଥିବାରୁ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଆଲୋଚନା ସକାଶେ କୃଷକ ସଙ୍ଗଠନର ପ୍ରତିନିଧିମାନଙ୍କୁ ଡକାଯାଇଥିଲା। କାଳେ କୃଷକ ପ୍ରତିନିଧିମାନେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ ସେଥିପାଇଁ ବୈଠକସ୍ଥଳ କୃଷିଭବନ ବାହାରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା।

ଏଭଳି ନିରାପତ୍ତା ବ୍ୟବସ୍ଥାକୁ ଦେଖି ମନେ ହେଉଥିଲା କୃଷକମାନଙ୍କ ପ୍ରତି ଅତ୍ୟନ୍ତ ଭୟଭୀତ ସରକାର। ଡାକରା ପାଇଁ କୃଷକ ପ୍ରତିନିଧିମାନେ ଆସିବାର କାରଣ ଥିଲା ସେମାନେ ସିଧାସଳଖ ସେମାନଙ୍କ ଦାବି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କଠାରେ ରଖିବେ। ମାତ୍ର ବୈଠକ ସ୍ଥଳରେ ମନ୍ତ୍ରୀ ତୋମାର କିମ୍ବା ତାଙ୍କର ରାଷ୍ଟ୍ରମନ୍ତ୍ରୀ କାହାକୁ ନ ଦେଖି ଉତ୍ତେଜିତ ହୋଇ ପଡ଼ିଥିଲେ କୃଷକ ପ୍ରତିନିଧିମାନେ। ବୈଠକରେ କୃଷି ସଚିବ ସଞ୍ଜୟ ଅଗ୍ରୱାଲ ଅଧ୍ୟକ୍ଷତା କରୁଥିବାରୁ ଉତ୍ତେଜନା ଅଧିକ ହୋଇଥିଲା। କୃଷକ ପ୍ରତିନିଧିମାନେ ବୈଠକ ବର୍ଜନ କରି ଚାଲିଆସିଥିଲେ।

କୃଷକ ସଙ୍ଗଠନ ତିନି ଦାବିରେ ଅଟଳ

ବୁଧବାର ବୈଠକ ବର୍ଜନ କରିଥିବା ଏଆଇକେଏସସିସି ଓ ପଞ୍ଜାବ କୃଷକ ସଙ୍ଗଠନଗୁଡ଼ିକର ବକ୍ତବ୍ୟ ହେଲା, ସରକାର ଯଦି କୃଷକ ସଙ୍ଗଠନଗୁଡ଼ିକ ସହ କୌଣସି ଆଲୋଚନା ଚାହାଁନ୍ତି ତେବେ ପ୍ରଥମ ତିନିଗୋଟି ସର୍ତ୍ତ ପୂରଣ କରିବାକୁ ପଡ଼ିବ। ପ୍ରଥମତଃ ଯେଉଁ ତିନିଗୋଟି ନୂଆ  କୃଷି ଆଇନ୍ ପ୍ରଣୟନ କରାଯାଉଛି, ତାହାକୁ ବାତିଲ୍ କରିବାକୁ ହେବ। ଦ୍ୱିତୀୟତଃ ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଆଇନ୍ ସ୍ୱୀକୃତି ଦେବାକୁ ପଡ଼ିବ। ତୃତୀୟତଃ ଚାଷ ପାଇଁ ହେଉଥିବା ଖର୍ଚ୍ଚ, ଖାଦ୍ୟ ସୁରକ୍ଷା ଓ ଅନ୍ୟାନ୍ୟ ବିଷୟକୁ ବିବେଚନା କରିବାକୁ ପଡ଼ିବ। ବୁଧବାର ବୈଠକରେ ସେମାନେ ଏହି ସର୍ତ୍ତ କୃଷିମନ୍ତ୍ରୀଙ୍କ ନିକଟରେ ରଖିବା ସକାଶେ ପ୍ରସ୍ତୁତ ହୋଇ ଆସିଥିଲେ। କିନ୍ତୁ ବୈଠକରେ କୃଷିମନ୍ତ୍ରୀ ନ ଥିବାରୁ ନିରାଶ ହୋଇଥିଲେ। କୃଷକ ପ୍ରତିନିଧିମାନେ କହିଛନ୍ତି ଯେ, କୃଷି ସଚିବଙ୍କ ଦ୍ୱାରା ସବୁ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ ସମ୍ଭବ ନୁହେଁ। ତେଣୁ ବୈଠକ ବର୍ଜନ କରିବାକୁ ପଡ଼ିଲା।

ପଳାୟନପନ୍ଥୀ ସାଜୁଛନ୍ତି କାହିଁକି?

ପ୍ରଶ୍ନ ଉଠାଇଛନ୍ତି କୃଷକ ପ୍ରତିନିଧି ଓ ବିରୋଧୀ। ବୈଠକକୁ ଆସିଥିବା ୨୯ କୃଷକ ସଙ୍ଗଠନ ସମନ୍ୱୟ ସମିତିର ସଦସ୍ୟ ଦର୍ଶନ ପାଲଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାରର ନେତା ଓ ମନ୍ତ୍ରୀମାନେ ଆଇନ କରିଦେଉଛନ୍ତି। ଯେତେବେଳେ ଏହି ଆଇନକୁ ବିରୋଧ କରାଯାଉଛି, ସେତେବେଳେ ସମାଧାନ ପାଇଁ ସଚିବଙ୍କୁ ଆଗକୁ ଠେଲି ଦିଆଯାଉଛି। ସରକାର ଏଭଳି ପଳାୟନପନ୍ଥୀ ସାଜୁଛନ୍ତି କାହିଁକି? ପଞ୍ଜାବରେ ମନ୍ତ୍ରୀ ଭର୍ଚୁଆଲ୍ ବୈଠକ କରୁଛନ୍ତି। କିନ୍ତୁ ଦିଲ୍ଲୀକୁ ବୈଠକକୁ ଡକାଇ ନିଜେ ଅନୁପସ୍ଥିତ ରହୁଛନ୍ତି। ସରକାର ଏଭଳି ଦୋହରା ମାନଦଣ୍ଡ ଗ୍ରହଣ କରୁଛନ୍ତି କାହିଁକି? କୃଷକ ପ୍ରତିନିଧିଙ୍କ ଏଭଳି ପ୍ରଶ୍ନର କୌଣସି ଉତ୍ତର ନାହିଁ।

କୃଷକଙ୍କ ଭଲ ଚାହୁଁଥିବାରୁ ରାଗ: ମୋଦୀ

ଗତ ରବିବାର ଗ୍ରାମାଞ୍ଚଳର ଲୋକମାନଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ ସକାଶେ ଏକ ସରକାରୀ ଭିଡିଓ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ ପ୍ରଚଣ୍ଡ ବର୍ଷିଛନ୍ତି। ବିଶେଷ କରି ନୂଆ କୃଷି ଆଇନକୁ ବିରୋଧୀମାନେ କୃଷକଙ୍କ ସ୍ୱାର୍ଥ ବିରୋଧୀ ଦର୍ଶାଇ ପ୍ରଚାର ଚଳାଇଥିବାରୁ ମୋଦୀ ସେମାନଙ୍କୁ ଟାର୍ଗେଟ୍ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କହିବା କଥା ହେଉଛି – ସେ ଗ୍ରାମ, ଗରିବ ଓ ସାମାଜିକ ଭାବେ ପଛୁଆବର୍ଗର ଲୋକଙ୍କ ପାଇଁ ଆପ୍ରାଣ ଲଢ଼େଇ କରୁଛନ୍ତି। ସେମାନେ କିପରି ଭଲରେ ଓ ସମ୍ମାନର ସହ ବଞ୍ଚିବେ ତାହା ଚିନ୍ତା କରୁଛନ୍ତି। ପଦକ୍ଷେପ ମଧ୍ୟ ନେଉଛନ୍ତି।

ଏଥିପାଇଁ ତାଙ୍କ ଉପରେ ବିରୋଧୀଙ୍କ ରାଗ। ବିରୋଧୀମାନେ ଜାଣନ୍ତି ଯେ, ଏହି ଲୋକମାନେ ନିଜ ଅଧିକାର ସମ୍ପର୍କରେ ସଚେତନ ହେଲେ, ଅଭାବରୁ ମୁକ୍ତି ପାଇଲେ, ସେମାନଙ୍କର  (ଦୁର୍ନୀତିର) ‘ଦୋକାନ’ ଚାଲିବ କିପରି? ତେଣୁ ସେମାନେ ଚାହୁଁଛନ୍ତି ଗ୍ରାମାଞ୍ଚଳର ସମସ୍ୟା ବଞ୍ଚିରହୁ। ସେଇଥିପାଇଁ ତ ସେମାନେ ଗରିବମାନଙ୍କୁ ଅଭାବରେ ରଖି ରାଜନୀତି କରୁଥିଲେ। ଏବେ ନୂଆ କୃଷି ଆଇନ୍‌କୁ ନେଇ ରାଜନୀତି କରୁଛନ୍ତି। ମୋଦିଙ୍କର ଏହି କଥାର ସତ୍ୟତା ଥାଇପାରେ। କିନ୍ତୁ ତାଙ୍କ ସରକାର କ’ଣ କରୁଛନ୍ତି। ଦେଶର ମନ୍ତ୍ରୀ କୃଷକଙ୍କୁ ସାମ୍ନା କରିବାର ସାହସ ଜୁଟାଇ ପାରୁନାହାନ୍ତି କାହିଁକି? ବିରୋଧୀମାନେ ଯଦି ବିଭ୍ରାନ୍ତ କରୁଛନ୍ତି, ତେବେ କୃଷକମାନଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର ପାଇଁ ବ୍ୟକ୍ତିଗତ ସ୍ତରରେ ମନ୍ତ୍ରୀ ଉଦ୍ୟୋଗୀ ହେଉନାହାନ୍ତି କାହିଁକି?

ନୂଆ କୃଷି ଆଇନ୍ ଆଣିବ ପଞ୍ଜାବ

ନୂଆ କୃଷି ଆଇନ୍‌କୁ ବିରୋଧ କରୁଥିବା କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ସବୁ କଂଗ୍ରେସ୍ ଶାସିତ ରାଜ୍ୟକୁ ଏହି ‘କଳା ଆଇନ୍‌’ର ପ୍ରତ୍ୟାଖ୍ୟାନ ପାଇଁ ପରାମର୍ଶ ଦେଇଥିଲେ। ସେହି ପରାମର୍ଶକୁ ପ୍ରଥମେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ପଞ୍ଜାବର କଂଗ୍ରେସ ସରକାର। ଏହି  ରାଜ୍ୟର ବିରୋଧୀ ଦଳ ଶିରୋମଣି ଅକାଳୀ ଦଳ ମଧ୍ୟ କୃଷି ଆଇନ୍‌ର ତୀବ୍ର ବିରୋଧୀ। ତେଣୁ ଅକାଳୀ ଦଳ ଏନଡିଏରୁ ଓହରି ଆସିଛି। ସୁତରାଂ ବିକଳ୍ପ କୃଷି ବିଲ୍‌ ଆଣି ତାହାକୁ ଅନୁମୋଦିତ କରାଇ ନେବାରେ କ୍ୟାପଟେନ୍ ଅମରିନ୍ଦର ସିଂହ ସରକାର ପାଇଁ କଷ୍ଟକର ହେବ ନାହିଁ।

ଏଥିସକାଶେ ପଞ୍ଜାବରେ ଆଗାମୀ ୧୯ରେ ବସୁଛି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ପଞ୍ଜାବ ପରେ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଓ ଛତିଶଗଡ଼ ସମାନ ମାର୍ଗ ଅନୁସରଣ କରିବେ ବୋଲି ରାଜନୈତିକ ସୂତ୍ରରୁ ସୂଚନା ମିଳୁଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ମଧ୍ୟ ସେହି ଆଭିମୁଖ୍ୟ ଗ୍ରହଣ କରିପାରେ। ଏଭଳି ହେଲେ ଅନ୍ୟ ରାଜ୍ୟଗୁଡ଼ିକରେ କୃଷକମାନେ ସରକାରଙ୍କ ଉପରେ ଚାପ ପକାଇ ପାରନ୍ତି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment