ଓଡ଼ିଶାଲାଇଭ୍ ବ୍ୟୁରୋ

ବୈଜୟନ୍ତ ବିଜେଡିରେ ଥିବାବେଳେ ଓଡ଼ିଶା ଶାନ୍ତ ଥିଲା। ବିଜେପିକୁ ଯିବା ପରେ ତାଙ୍କୁ ଓଡ଼ିଶା ପାକିସ୍ତାନ ପାକିସ୍ତାନ ବାସୁଛି ?ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ।

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଗସ୍ତ ପ୍ରସଙ୍ଗରୁ ଆରମ୍ଭ ହୋଇଥିବା ବିବାଦରେ ଏବେ ସବୁଦିନ ଗୋଟିଏ ଗୋଟିଏ ନୂଆ ପ୍ରସଙ୍ଗ ଯୋଡ଼ି ହୋଇ ଯାଉଛି। ଯେତିକି ପ୍ରସଙ୍ଗ ଯୋଡ଼ି ହେଉଛି, ତାହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି।

ଓଟିଭି ସାମ୍ବାଦିକଙ୍କୁ କେନ୍ଦୁଝର ପୋଲିସ ଉଠାଇନେବା, ଓଟିଭି କାର୍ଯ୍ୟାଳୟ ପରିସରରେ କେନ୍ଦୁଝର ପୋଲିସ ଓ କମିସନରେଟ୍ ପୋଲିସ ପଇଁତରା ମାରିବା ସହ ଦୁଇଦିନ ଡେରା ପକାଇଥିଲା। ଏହି ଘଟଣା ପରେ ଓଟିଭିର ମୁଖିଆ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶନିବାର ରାତିରେ ଓଡ଼ିଶା ପୋଲିସ ଉଦ୍ଦେଶ୍ୟରେ ଟୁଇଟ୍ କରି ଯେଉଁ ଲଘୁଚାପର ସୂତ୍ରପାତ କଲେ, ତାହା ଅବପାତର ରୂପ ନେଇ ଏବେ ପ୍ରତିକ୍ରିୟା ପରେ ପ୍ରତିକ୍ରିୟା ବର୍ଷିବାରେ ଲାଗିଛି।

ବୈଜୟନ୍ତ ନିଜ ଟୁଇଟ୍‌ରେ ଲେଖିଥିଲେ, ‘ଓଡ଼ିଶା ଓ ମହାରାଷ୍ଟ୍ର ପୋଲିସ ଯେଉଁଭଳି ଭାବରେ ସାମ୍ବାଦିକମାନଙ୍କୁ ଉଠାଇନେଉଛି, ସେମାନଙ୍କୁ ଅସମ୍ମାନ କରୁଛି ଓ ହେପାଜତରେ ରଖି ଜେରା କରୁଛି, ତାହା ଲଜ୍ଜାଜନକ। ଆଇନର ଉଚିତ୍ ପ୍ରକ୍ରିୟାକୁ ଅନୁସରଣ ନ କରି ପୋଲିସ ଯାହା କରୁଛି, ତାହା ପାକିସ୍ତାନ ପରି ମନେହେଉଛି। ଏହା ପ୍ରକୃତରେ ଫାସିବାଦ।’

ବୈଜୟନ୍ତଙ୍କ ଏହି ଟୁଇଟ୍ ପରେ ତାଙ୍କର ଏଭଳି ମନ୍ତବ୍ୟ ପ୍ରତିବାଦରେ ପ୍ରତିକ୍ରିୟା ବର୍ଷିଥିଲେ ବିଜେଡି ନେତା। ସେହି କ୍ରମରେ ବିଞ୍ଝାରପୁର ବିଧାୟିକା ତଥା ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି, ‘ବୈଜୟନ୍ତ ଯେତେଦିନ ବିଜେଡିରେ ଥିଲେ, ବିଜେଡିର ସାଂସଦ ଥିଲେ, ସେତେଦିନ ଓଡ଼ିଶା ଶାନ୍ତ ଲାଗୁଥିଲା। ଶାସନ ଓ ପ୍ରଶାସନ ଠିକ୍ ଲାଗୁଥିଲା। କିନ୍ତୁ ବିଜେଡି ଛାଡ଼ି ବିଜେପିକୁ ଯିବା ପରେ ତାଙ୍କୁ ଓଡ଼ିଶା ଅଶାନ୍ତ ଲାଗିଲା। ଓଡ଼ିଶା ଶାସନ ଓ ପ୍ରଶାସନ ପାକିସ୍ତାନ ପରି ଲାଗିଲା?’

Comment