ଓଡ଼ିଶାଲାଇଭ୍ ବ୍ୟୁରୋ

ପାର୍ବଣ ପୂର୍ବରୁ ରାଜ୍ୟବାସୀଙ୍କୁ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ।

“ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ ସର୍ବସାଧାରଣ ସ୍ଥାନରେ ଭିଡ଼ କରନ୍ତୁ ନାହିଁ। ଘରେ ରହି ମା’ଙ୍କ ପୂଜା, ପ୍ରାର୍ଥନା କରନ୍ତୁ। ବାହାରକୁ ଯାଉଥିଲେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରନ୍ତୁ। କରୋନା ମହାମାରୀ ସଂକ୍ରମଣ ବଢ଼ିଲେ ଆମେ ହଇରାଣ ହେବା ସହ ଆମ ପରିବାର ମଧ୍ୟ ହଇରାଣ ହେବ। ତେଣୁ ସମସ୍ତେ ସାବଧାନ ରହିବା ଉଚିତ୍”, ମଙ୍ଗଳବାର ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପାର୍ବଣ ଋତୁରେ କରୋନା ସଂକ୍ରମଣର ଭୟ ଅଧିକ ରହିଛି। ବିଶେଷକରି ଶୀତଦିନ ଆସିବାକୁ ଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସଚେତନ କରିବା ସହିତ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ସାତମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢ଼େଇ ଜାରି ରଖିଛି। ପିଲାମାନଙ୍କଠୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଘରେ ରହିବାକୁ ପଡୁଛି। ଯାହାଫଳରେ ଓଡିଶା ଗତ ୬ ମାସ ହେଲା କରୋନା ସଂକ୍ରମଣକୁ ରୋକାଯାଇପାରିଛି।

“ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ଆରମ୍ଭ କରିଛି। ପୂର୍ବରୁ ରାଜ୍ୟରେ ଚାରି ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଏବେ ଏହି ସଂଖ୍ୟା ଦୁଇ ହଜାର ତଳକୁ ଖସିଛି। ଦୁଇ ମାସ ତଳେ ଗଞ୍ଜାମ କରୋନାର ହଟସ୍ପଟ୍  ଥିଲା  ହେଲେ ଲୋକଙ୍କ ସହଯୋଗ ଦ୍ୱାରା ସେଠାରେ ସଂକ୍ରମଣକୁ ରୋକାଯାଇପାରିଛି। ମେଡିସିନ୍ ଓ ଟିକା ବାହାରିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ”, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ୟୁରୋପୀୟ ଦେଶର ତୁଳନା କରି କହିଛନ୍ତି ଯେ, ଇଂଲଣ୍ଡ, ଫ୍ରାନ୍ସ, ସ୍ପେନ୍ ଆଦି ଦେଶର ମାର୍ଚ୍ଚ-ଏପ୍ରିଲରେ କରୋନା ଭୟଙ୍କର ରୂପ ନେଇଥିଲା। ଅନେକ ଲୋକ ଜୀବନ ହରାଇଲେ। ଏହାପରେ କରୋନାର ପ୍ରକୋପ ଟିକେ କମିଥିଲା କିନ୍ତୁ ଏବେ ଦେଖନ୍ତୁ ସେଠାରେ ସଂକ୍ରମଣ ପୁଣି ଥରେ ବଢ଼ିଯାଇଛି।

ସେହିପରି ଭାରତର କେରଳରେ ମଧ୍ୟ ସୁନ୍ଦର ଭାବେ କରୋନା ସଂକ୍ରମଣକୁ ରୋକାଯାଇଥିଲା। ହେଲେ ସେଠାରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ଓନମ ପର୍ବ ପରେ ସଂକ୍ରମଣ ବଢ଼ିଯାଇଛି। ତେଣୁ ଆଗକୁ ଆମ ରାଜ୍ୟରେ ମଧ୍ୟ ଶାରଦୀୟ ପୂଜା ହେବାକୁ ଯାଉଛି। ଏହାକୁ ଆଖି ଆଗରେ ରଖି ସମସ୍ତେ ସଚେତନ ଓ ସୁରକ୍ଷିତ ରହିଲେ ହିଁ କରୋନା ସଂକ୍ରମଣକୁ ରୋକାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Comment