ଓଡ଼ିଶାଲାଇଭ୍ ବ୍ୟୁରୋ

  • କୋଭିଡ୍ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ 
  • ପାର୍ବଣ ଋତୁରେ ସତର୍କ ରହିବାକୁ ପରାମର୍ଶ
  • ଅର୍ଥନୈତିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
  • ରାଜ୍ୟରେ ଆରୋଗ୍ୟ ହାର ଏବେ ୯୩ ପ୍ରତିଶତ

ରାଜ୍ୟର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧାମାନଙ୍କ କଠିନ ପରିଶ୍ରମ ଯୋଗୁ କୋଭିଡ ସଂକ୍ରମଣ କମୁଛି। ରାଜ୍ୟର ସମୁଦାୟ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହୋଇଛି ଏବଂ ଆରୋଗ୍ୟଙ୍କ ସଂଖ୍ୟା ଅଢେଇ ଲକ୍ଷରେ ପହଞ୍ଚିଛି। ତଥାପି ଏହାକୁ ନେଇ ଆମେ ଖୁସି ହେବା ଉଚିତ୍ ନୁହେଁ। ଆଜି ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍ ସ୍ଥିତିର ସମୀକ୍ଷା କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ହେବା ସହିତ ସମସ୍ତ କୋଭିଡ ନିୟମାବଳୀକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ ସଂପର୍କରେ ଜନସଚେତନତା ପାଇଁ ବ୍ୟାପକ ସୂଚନା ଅଭିଯାନ ଜାରି ରଖିବା ସହିତ କୌଣସି କ୍ଷେତ୍ରରେ ସାମାନ୍ୟ ଅବହେଳା ନ କରିବାକୁ ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି।ଗରିବ ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ଅର୍ଥନୈତିକ କାର୍ଯ୍ୟକ୍ରମ ଯେପରି ଅବିରତ ଭାବେ ଜାରି ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଶିଳ୍ପ ସଂସ୍ଥାଗୁଡିକ ନିର୍ବିଘ୍ନରେ ଯେପରି ସେମାନଙ୍କ ଉତ୍ପାଦନ ଜାରି ରଖିବେ, ପୁଞ୍ଜି ବିନିଯୋଗ କାର୍ଯ୍ୟକାରୀ ହେବ ସେଥିପାଇଁ ସମସ୍ତ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କୋଭିଡ ଯୋଦ୍ଧାମାନଙ୍କୁ ଓ ସେମାନଙ୍କ ପରିବାରକୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ରାଜ୍ୟରେ କରୋନା ସଂକ୍ରମଣରେ ହ୍ରାସ ଘଟୁଥିବା ସତ୍ତ୍ୱେ ପ୍ରଶାସନ ସଂପୂର୍ଣ୍ଣ ସତର୍କ ରହିଛି ବୋଲି ସେ ସୂଚନା ଦେଇଥିଲେ । ଦଶହରା ଓ ଦୀପାବଳି ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ବର୍ତ୍ତମାନ ରାଜ୍ୟରେ ୫ଟି ଜିଲ୍ଲା – ଖୋର୍ଦ୍ଧା, କଟକ, ସୁନ୍ଦରଗଡ, ମୟୁରଭଞ୍ଜ ଓ ଅନୁଗୁଳରେ ସକ୍ରିୟ ରୋଗୀ ସଂଖ୍ୟା ଏକ ହଜାରରୁ ଅଧିକ ଥିବାବେଳେ, ଅନ୍ୟ ଜିଲ୍ଲାମାନଙ୍କରେ ସକ୍ରିୟ ରୋଗୀ ସଂଖ୍ୟା ହ୍ରାସ ପାଇଛି ବୋଲି ଉନ୍ନୟନ କମିସନର କହିଥିଲେ।

ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ, ରାଜ୍ୟରେ ସଂକ୍ରମଣ ହାର ୦.୭୧ ପ୍ରତିଶତକୁ ହ୍ରାସ ଘଟିଥିବା ବେଳେ, ଆରୋଗ୍ୟ ହାର ୯୩ ପ୍ରତିଶତରେ ପହଞ୍ଚିଛି, ଯାହାକି ଜାତୀୟ ହାର ଠାରୁ ଅଧିକ ଅଟେ।

ଅଗଷ୍ଟ ୧୮ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ ହଜାର ତଳେ ଅଛି। ବର୍ତ୍ତମାନ ଏହା ୧୮,୦୫୦ରେ ଅଛି। ୧୫,୫୧୫ ରୋଗୀ ବର୍ତ୍ତମାନ ଗୃହ ସଂଗରୋଧରେ ଅଛନ୍ତି ବୋଲି ବୈଠକରୁ ଜଣାଯାଇଛି।

ପୂଜା ସମୟରେ କୋଭିଡ କଟକଣା ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଥିଲେ ଯେ, ପାର୍ବଣ ଋତୁକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ଏସପିମାନଙ୍କ ସହିତ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ କରାଯାଇଛି । ଅଧିକ ପୋଲିସ ମୁତୟନ ପାଇଁ ବନ୍ଦୋବସ୍ତ କରାଯିବା ସହିତ ସମ୍ବେଦନଶୀଳ ଜିଲ୍ଲାଗୁଡିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି.କେ. ପାଣ୍ଡିଆନ ବୈଠକକୁ ସଞ୍ଚାଳନ ସଞ୍ଚାଳନ କରିଥିଲେ।

Comment