କମଳାକାନ୍ତ ପତି

ଶାସକ ହୁଅନ୍ତୁ କି ବିରୋଧୀ ଦଳ, ନିର୍ବାଚନ ବେଳେ ବିନା ପ୍ରତିଶ୍ରୁତିରେ ମୈଦାନଙ୍କୁ ଓହ୍ଲାଇବା ସମ୍ଭବ ନୁହେଁ ଗଣତନ୍ତ୍ର ଶାସନର ଆରମ୍ଭ କାଳରୁ ଏହି ଧାରା ଅବ୍ୟାହତ ରହି ଆସିଛି ଭୋଟ୍ ବେଳେ ଯେଉଁ ପ୍ରତିଶ୍ରୁତି ଭୋଟରଙ୍କୁ ଦିଆଯାଉଛି, ତାହା କେତେ ଶତାଂଶ ପୂରଣ ହେଉଛି ?ବରଂ ସେହି ପ୍ରତିଶ୍ରୁତି ହିଁ ଭୋଟ୍ ଟାଣୁଛି

ବିହାର ଭୋଟରଙ୍କୁ ନିଯୁକ୍ତିର ପ୍ରଲୋଭନ

କରୋନା ଅତିମାରୀ କାଳରେ କୌଣସି ଭାରତୀୟ ରାଜ୍ୟରେ ପ୍ରଥମ କରି ହେଉଛି ବିଧାନସଭା ନିର୍ବାଚନ। ଯଦିଓ ଏହି ସମୟରେ କେତୋଟି ରାଜ୍ୟରେ ଉପ ନିର୍ବାଚନ ମଧ୍ୟ ହେଉଛି, ତେବେ ବିହାର ବିଧାନସଭା ନିର୍ବାଚନ ଅଧିକ ଗୁରୁତ୍ଵ ବହନ କରୁଛି। ଏହି ରାଜ୍ୟରେ ମଝିରେ ମାତ୍ର ୧୦ ମାସକୁ ଛାଡ଼ିଦେଲେ ୨୦୦୫ ମସିହାରୁ କ୍ଷମତାରେ ଅଛନ୍ତି ନୀତୀଶ କୁମାର। ମଝି ୧୦ ମାସ ୨୦୧୪ ମେ ୨୦ରୁ ୨୦୧୫ ଫେବୃୟାରୀ ୨୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ଵରେ ଥିଲେ ଜିତିନରାମ ମାନ୍‌ଝୀ। ବିହାରରେ ନୀତୀଶଙ୍କ ନେତୃତ୍ଵରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ସରକାର ଚାଲିଛି। ଏଥର ନିର୍ବାଚନ ଏନଡିଏର ଜନତା ଦଳ (ୟୁ) (ନୀତୀଶଙ୍କ ଦଳ) ପାଇଁ ଯେତିକି ଗୁରୁତ୍ଵପୂର୍ଣ୍ଣ, ମେଣ୍ଟର ପ୍ରମୁଖ ଦଳ ବିଜେପି ପାଇଁ ମଧ୍ୟ ତା’ଠାରୁ ଅଧିକ ଗୁରୁତ୍ଵ ରଖୁଛି।

ଏଥର ବିହାରରେ ଚତୁର୍ମୁଖୀ ଲଢ଼େଇ ଦେଖିବାକୁ ମିଳିବ। କାରଣରେ ଭୋଟ୍ ମଇଦାନରେ ରହିଛନ୍ତି ତିନୋଟି ମେଣ୍ଟ (ଏନଡିଏ, ଆରଜେଡି – କଂଗ୍ରେସ ମେଣ୍ଟ, ଆରଏଲଏସ୍‌ପି, ବିଏସ୍‌ପି ମେଣ୍ଟ) ଏବଂ ଏକା ନିର୍ବାଚନ ଲଢୁଛନ୍ତି ଚିରାଗ ପାଶ୍ଵାନଙ୍କ ଦଳ ଲୋକ ଜନଶକ୍ତି ପାର୍ଟି (ଏଲଜେପି)। ନିର୍ବାଚନରେ  ଗୁରୁତ୍ଵ ପାଉଛି ଚାକିରି ପ୍ରତିଶ୍ରୁତି। ଗତ ମାସ ୨୭ ତାରିଖରେ ଆରଜେଡି ନେତା ତେଜସ୍ଵୀ ଯାଦବ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଦଳର ନର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିଥିଲେ। ନିଜର ପ୍ରତିଶ୍ରୁତିକୁ ‘ମଜବୁତ୍ ଇରାଦା’ ବୋଲି କହି ତାଙ୍କ ଦଳ ଯଦି କ୍ଷମତାକୁ ଆସିବ, ତେବେ ୧୦ ଲକ୍ଷ ସ୍ଥାୟୀ ସରକାରୀ ଚାକିରି ଦେବ ବୋଲି ପ୍ରତିଜ୍ଞାବଦ୍ଧ ହୋଇଛନ୍ତି। ଅନ୍ୟପକ୍ଷରେ ଏନଡିଏ ଆଉ ପାଦେ ଆଗେଇଯାଇ ୧୯ ଲକ୍ଷ ଚାକିରିର ପ୍ରତିଶ୍ରୁତି ଦେଇଛି। ଗୁରୁବାର ମେଣ୍ଟର ନିର୍ବାଚନ ଇସ୍ତାହାର ପ୍ରକାଶ କରି ଏହା ଘୋଷଣା କରାଯାଇଛି।

ବିରୋଧୀଙ୍କ ପ୍ରଶ୍ନବାଣରେ ଆହତ ନୀତୀଶ

ଦୀର୍ଘ ୧୫ ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ଅଛନ୍ତି ନୀତୀଶ। କୁହାଯାଏ ଯେ, ଲାଲୁ –ରାବ୍ରୀ (ଆରଜେଡି) ଶାସନର ଅନ୍ତଃ ହେବା ପରେ ବିହାରରେ ଜଙ୍ଗଲରାଜର ପରିସମାପ୍ତି ଘଟିଛି। ନୀତୀଶଙ୍କ ଶାସନରେ ବିକାଶ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି। କିନ୍ତୁ ଏହା ଯଦି ସତ୍ୟ ତେବେ ରାଜ୍ୟରେ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି କରିବାରେ ନୀତୀଶ ଅସମର୍ଥ କାହିଁକି? ଏଭଳି ପ୍ରଶ୍ନବାଣରେ ଆହତ ହେଲେଣି ନୀତୀଶ। ଆସନ୍ତା ସପ୍ତାହରୁ (୨୮ ଅକ୍ଟୋବର) ଆରମ୍ଭ ହୋଇଯିବ ତିନି ପର୍ଯ୍ୟାୟ ବିଶିଷ୍ଟ ବିଧାନସଭା ନିର୍ବାଚନ। ଏଭଳି ସମୟରେ ଭୋଟ୍ ବୈତରଣୀ ପାରି ହେବା ସକାଶେ ପ୍ରତିଶ୍ରୁତି ହିଁ ଭରସା।

ନୀତୀଶଙ୍କ ନେତୃତ୍ଵରେ ଏଥର ଭୋଟ୍ ଲଢୁଛି ଏନଡିଏ। ମେଣ୍ଟ ଯଦି ପୁଣି ବିହାରବାସୀଙ୍କ ଆଶୀର୍ବାଦ ଲାଭକରେ, ନୀତୀଶ ହେବେ ମୁଖ୍ୟମନ୍ତ୍ରୀ। ଭୋଟ୍‌କୁ ଆଉ ମାତ୍ର ୬ ଦିନ ରହିଥିବା ବେଳେ ଏନଡିଏ ଆଜି ତା’ର ସଂକଳ୍ପ ପତ୍ର ଜାରି କରିଛି। ପ୍ରଚାର ମଇଦାନରେ ନୀତୀଶଙ୍କୁ ସାମାନ୍ୟ ଆଶ୍ଵସ୍ତି ଦେବା ସକାଶେ ପ୍ରତିଶ୍ରୁତିର ଲମ୍ବା ଫର୍ଦ୍ଦ ଘୋଷଣା କରିଛି ଏନଡିଏ। ୧୯ ଲକ୍ଷ ଚାକିରିର ପ୍ରତିଶ୍ରୁତି କେବଳ ନୁହେଁ, ରାଜ୍ୟର ସବୁ ଲୋକଙ୍କୁ ମାଗଣାରେ କରୋନା ପ୍ରତିଷେଧକର ପ୍ରତିଶ୍ରୁତି ମଧ୍ୟ ରହିଛି ସଂକଳ୍ପ ପତ୍ରରେ।

ଏନଡିଏରେ ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ

ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଏନଡିଏର ବିହାର ସଂକଳ୍ପପତ୍ର ଘୋଷଣା କରାଯିବା ପରେ ରାଜନୈତିକ ମହଲରେ ନାନା ପ୍ରଶ୍ନ ଉଠିଛି। ଏନଡିଏ କୌଣସି ନିର୍ବାଚନ ଅବ୍ୟବହିତ ପୂର୍ବରୁ କାହିଁକି ଫମ୍ପା ପ୍ରତିଶ୍ରୁତି ଦେଉଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରସଙ୍ଗରେ ସେମାନେ ଟାଣି ଆଣିଛନ୍ତି ଏନଡିଏ ୨୦୧୪ ନିର୍ବାଚନ ପୂର୍ବରୁ ଦେଶବାସୀଙ୍କୁ ଦେଇଥିବା କର୍ମସଂସ୍ଥାନର ପ୍ରତିଶ୍ରୁତିକୁ। ଏନଡିଏର ନେତୃତ୍ଵ ନେଇ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବାର୍ଷିକ ୨ କୋଟି ନିଯୁକ୍ତି ସୁଯୋଗର ପ୍ରତିଶ୍ରୁତି ଦେଇଥିଲେ।

ଇତିମଧ୍ୟରେ ମୋଦୀଙ୍କ ଶାସନକାଳରେ ପ୍ରଥମ ପାଳି ଶେଷ ହୋଇ ଦ୍ୱିତୀୟ ପାଳିର ୧୭ ମାସ ଅତିକ୍ରାନ୍ତ ହୋଇଗଲାଣି। କର୍ମସଂସ୍ଥାନର ସଂଖ୍ୟା ବଢ଼ିବା ପରିବର୍ତ୍ତେ ଲକ୍ଷାଧିକ ଲୋକ ଚାକିରି ହରାଇ ବେକାର ହୋଇ ଯାଇଛନ୍ତି। ବେକାରୀମାନେ ଯେଉଁ ତିମିରେ କି ସେହି ତିମିରେ। ଏବେ ବିହାରବାସୀଙ୍କ ଭୋଟ୍ ଜିତିବା ପାଇଁ ଏନଡିଏ ୧୯ ଲକ୍ଷ ଚାକିରିର ପ୍ରତିଶ୍ରୁତି ଦେଇଛି। ବିରୋଧୀ ଆରଜେଡି ନେତା ତେଜସ୍ଵୀଙ୍କ ୧୦ ଲକ୍ଷ ସରକାରୀ ଚାକିରି ପ୍ରତିଶ୍ରୁତିକୁ ଟପିଯିବା ପାଇଁ ଏନଡିଏ ଏଭଳି ପ୍ରତିଶ୍ରୁତି ଦେଉଛି କି ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ରାଜନୈତିକ ମହଲ।

କେବଳ ବିହାର ପାଇଁ ମାଗଣା ଟିକା!

ଅତିମାରୀ କରୋନା କବଳରେ ସାରା ଦେଶ। ପ୍ରତିଦିନ ଏହି ମହାମାରୀ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି ହଜାର ହଜାର ଲୋକ। ଦୈନିକ ଶତାଧିକ ପ୍ରାଣ ହରାଉଛନ୍ତି। ସାରା ଦେଶ ଏବେ ଚାତକ ପରି କରୋନା ପ୍ରତିଷେଧକକୁ ଚାହିଁ ବସିଛି। ଟିକା ପ୍ରସ୍ତୁତ ପାଇଁ ଉଦ୍ୟମ ଚଳାଇଥିବା ଗବେଷଣା ସଂସ୍ଥାଗୁଡ଼ିକ କେବେ ଏହାର ଚୂଡ଼ାନ୍ତ ପରୀକ୍ଷଣ ସାରି ବଜାରକୁ ପ୍ରତିଷେଧକ ଆଣିବେ ତାହା ସ୍ପଷ୍ଟ କହିପାରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ବିହାର ତଥା କେନ୍ଦ୍ରର ଶାସକ ଏନଡିଏ ପ୍ରତିଷେଧକକୁ ନିର୍ବାଚନୀ ମଇଦାନରେ ଛିଡ଼ା କରାଇଲେଣି। ବିହାର ନେତାଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ ବୋଲି ଏନଡିଏ ତା’ର ସଂକଳ୍ପପତ୍ରରେ ପ୍ରତିଶ୍ରୁତି ଦେଇଛି।

ପ୍ରଶ୍ନ ଉଠୁଛି ଯେଉଁ ଜିନିଷ ହାତକୁ ଆସିନାହିଁ, ତା’ର ଭବିଷ୍ୟତ ନେଇ ଅନେକ ସନ୍ଦିହାନ, ସେହି ପ୍ରତିଷେଧକକୁ ଏନଡିଏ ନିର୍ବାଚନୀ ପ୍ରତିଶ୍ରୁତିରେ ସ୍ଥାନ ଦେଉଛି କିପରି? ଭୋଟ୍ ପାଇଁ ଟିକା କାର୍ଡ ଖେଳିବା କ’ଣ ନିହାତି ଆବଶ୍ୟକ ଥିଲା? ବିହାର ବ୍ୟତୀତ ଦେଶର ଅନ୍ୟ ଲୋକମାନେ କ’ଣ କରୋନା ଆକ୍ରାନ୍ତ ହେଉନାହାନ୍ତି? ଟିକା ମୂଲ୍ୟରେ ଭୋଟ୍ କିଣିବାକୁ ଏନଡିଏ ଏତେ ବ୍ୟଗ୍ରତା ଦେଖାଇଲା କାହିଁକି? ନା ଏହା ମଧ୍ୟ ଭୋଟ୍ ପାଇଁ କେବଳ ପ୍ରତିଶ୍ରୁତି? ନିର୍ବାଚନୀ ଅସ୍ତ୍ର? ସୀତାରମଣ କହିଛନ୍ତି, କରୋନା ଟିକା ବଜାରକୁ ଆସିଲେ ବିହାରର ପ୍ରତ୍ୟେକ ଲୋକଙ୍କୁ ମାଗଣାରେ ଏହା ଯୋଗାଇ ଦେବା ହେଉଛି ଆମ ନିର୍ବାଚନ ଇସ୍ତାହାରର ପ୍ରଥମ ପ୍ରତିଶ୍ରୁତି।

ଆତ୍ମନିର୍ଭରଶୀଳ ହେବେ ଏକ କୋଟି ମହିଳା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କରୋନା କାଳରେ ଆତ୍ମନିର୍ଭର ହେବାର ଆହ୍ଵାନ ଦେଇଛନ୍ତି। କରୋନା ସଙ୍କଟ ଆମକୁ ଏହି ସଂକଳ୍ପ ନେବାର ଶିକ୍ଷା ଦେଇଛି। ଆତ୍ମନିର୍ଭର ଭାରତ ପ୍ୟାକେଜ ମଧ୍ୟ ଘୋଷଣା କରିସାରିଛନ୍ତି ପ୍ରଧାନମନ୍ତ୍ରୀ। ଏବେ ବିହାର ନିର୍ବାଚନୀ ଇସ୍ତାହାରରେ ସେହି ଆତ୍ମନିର୍ଭର ହେବାର କଥା କହିଛି ଏନଡିଏ। ଏଥିରେ ପ୍ରତିଶ୍ରୁତି ଦିଆଯାଇଛି ଯେ, ବିହାରରେ ଏନଡିଏ ପୁନଃ କ୍ଷମତାକୁ ଆସିଲେ ରାଜ୍ୟର ଏକ କୋଟି ମହିଳାଙ୍କୁ ଆତ୍ମନିର୍ଭର କରାଯିବ। ପ୍ରଶ୍ନ ଉଠୁଛି ଯେଉଁ ରାଜ୍ୟରୁ ଲକ୍ଷାଧିକ ଲୋକ କାମଧନ୍ଦା ଅନ୍ୱେଷଣରେ ପ୍ରବାସୀ ଶ୍ରମିକ ହୋଇଯାଉଛନ୍ତି, ସେହି ରାଜ୍ୟରେ ଆତ୍ମନିର୍ଭର ପ୍ରସଙ୍ଗ କେତେ ପ୍ରାସଙ୍ଗିକତା ରଖୁଛି? କରୋନା ସଂକ୍ରମଣ ଯୋଗୁ କେନ୍ଦ୍ର ସରକାର ଲକଡାଉନ୍ ଘୋଷଣା କରିବା ପରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ନଜରକୁ ଆସିଲା। ବିହାର ସମେତ ଅନେକ ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କ ସୁଅ ଛୁଟିଲା।

ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟଗ୍ର ପ୍ରବାସୀ ଶ୍ରମିକ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ। ଏବେ ପୁଣି ସେମାନେ ଜୀବିକା ତାଡ଼ନାରେ ଅନ୍ୟ ରାଜ୍ୟର କର୍ମସ୍ଥଳକୁ ଫେରିବାର ବ୍ୟଗ୍ରତା ଦେଖାଉଛନ୍ତି। ଏଭଳି ସ୍ଥିତି ଆତ୍ମନିର୍ଭର ଭାରତ ଯୋଜନା ଉପରେ ପ୍ରଶ୍ନଚିହ୍ନ ଲଗାଇ ସାରିଲାଣି। ଏନଡିଏ କହୁଛି ବିହାରର ଏକ କୋଟି ମହିଳାଙ୍କୁ ଆତ୍ମନିର୍ଭର କରିବ। ଏହା କିଭଳି ବାସ୍ତବ ରୂପ ନେବ, ସେ ନେଇ ନୀତୀଶ କୁମାର ଚିନ୍ତା କରିଛନ୍ତି କି? ନବମ ଶ୍ରେଣୀରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଟାବଲେଟ୍ ଯୋଗାଣ, ୩୦ ଲକ୍ଷ ଲୋକଙ୍କୁ ପକ୍କାଘର ମଧ୍ୟ ଏନଡିଏ ଇସ୍ତାହାରରେ ପ୍ରତିଶ୍ରୁତି ତାଲିକାଭୁକ୍ତ ହୋଇଛି।

 କରୋନା ଟିକା ବିଜେପିର?

ବିହାର ଜନତାଙ୍କୁ ମାଗଣା କରୋନା ପ୍ରତିଷେଧକ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ବିଜେପି (ଏନଡିଏ) ଏବେ ସମାଲୋଚନାର ଶରବ୍ୟ ହୋଇଛି। ବିରୋଧୀ ଆରଜେଡି ଓ କଂଗ୍ରେସ ନେତାମାନେ ଟୁଇଟ୍ କରି ପ୍ରଶ୍ନବାଣ ଛାଡ଼ିଛନ୍ତି- କରୋନା ଟିକା କ’ଣ ବିଜେପିର? ଏହି ଦଳର ନେତାମାନେ ଭୁଲିଯିବା ଉଚିତ୍ ନୁହେଁ ଯେ, ଦେଶବାସୀଙ୍କ ଟିକସ ଅର୍ଥ ଖର୍ଚ୍ଚ କରାଯାଇ କରୋନା ଟିକା ବିକଶିତ କରାଯାଉଛି। ବିଜେପି ଏହି ଟିକାକୁ ନେଇ ନିର୍ବାଚନୀ ରାଜନୀତିରୁ ନିବୃତ୍ତ ରହିବା ଆବଶ୍ୟକ।

ବିହାରବାସୀଙ୍କୁ ମାଗଣା ଟିକା ବାଣ୍ଟି ଦେଶର ଅନ୍ୟ ନାଗରିକଙ୍କୁ ଏଥିପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ପରୋକ୍ଷରେ ସୂଚନା ଦେଇଛନ୍ତି କି? ସୋସିଆଲ ମିଡିଆରେ ମଧ୍ୟ ଏଭଳି ପ୍ରଶ୍ନ କରାଯାଉଛି। ଆରଜେଡି ନେତା ତେଜସ୍ଵୀ ଯାଦବ ଟୁଇଟ୍ କରି କହିଛନ୍ତି- କରୋନା ଟିକାର ରାଜନୈତିକ ଉପଯୋଗ କରି ବିଜେପି ପ୍ରମାଣିତ କରିଦେଉଛି ଯେ, ସେମାନଙ୍କ ନିକଟରେ ରୋଗ ଏବଂ ମୃତ୍ୟୁର ଭୟ ବିକ୍ରି କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ବିହାରୀ ସ୍ଵାଭିମାନୀ। ଅଳ୍ପ କିଛି ଟଙ୍କା ପାଇଁ ସେମାନେ ନିଜ ପିଲାଙ୍କ ଭବିଷ୍ୟତ ବିକ୍ରି କରିବେ ନାହିଁ ବୋଲି କହିଛନ୍ତି ତେଜସ୍ଵୀ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)

Comment